ରାଜ୍ୟରେ ମଦ ବ୍ୟାନ୍! କିନ୍ତୁ ସାର ପିଲାଙ୍କ ହାତରେ ମଦ ମଗାଇଲେ!
ଗିରସୋମନାଥ ଜିଲ୍ଲାର ଉନ୍ନ ତାଲୁକାର ଖାପଟ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକକତା କରୁଛନ୍ତି ହରେଶ ଗିରି ଗୁଲାବ ଗିରି ଗୋସ୍ୱାମୀ। ସେ ସ୍କୁଲରେ ପାଠ ପାଢ଼ାଇବା ପରିବର୍ତ୍ତେ ଛାତ୍ରଙ୍କ ଦ୍ୱାରା ମଦ ମଗାଉଛନ୍ତି
ନୂଆଦିଲ୍ଲୀ: ସାର ସ୍କୁଲରେ ମଦ ପିଇବେ। ସେଥିପାଇଁ ପାଠ ପଢ଼ା ଅଧାରୁ ଛାଡ଼ି ଛାତ୍ରଙ୍କୁ ୫୦୦ ଟଙ୍କା ଦେଇ ମଦ ଆଣିବା ପାଇଁ ପଠାଇଲେ। ଆଜ୍ଞାଧୀନ ଛାତ୍ର ଜଣକ ଗାଁ ଦୋକାନକୁ ଯାଇ ମଦ ଧରି ଆସିଥିଲେ। ଏପରି ଘଟଣା ମଦ ବ୍ୟାନ୍ ରାଜ୍ୟ ଗୁଜରାଟରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ଶିକ୍ଷା ବିଭାଗ ସାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ତାଙ୍କୁ ଚାକିରିରୁ ସସ୍୍ପେଣ୍ଡ କରିଛି। ଏଥିସହ ବିଭାଗୀୟ ତଦନ୍ତ ଆରମ୍ଭ କରିଛି।
ଗିରସୋମନାଥ ଜିଲ୍ଲାର ଉନ୍ନ ତାଲୁକାର ଖାପଟ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକକତା କରୁଛନ୍ତି ହରେଶ ଗିରି ଗୁଲାବ ଗିରି ଗୋସ୍ୱାମୀ। ସେ ସ୍କୁଲରେ ପାଠ ପାଢ଼ାଇବା ପରିବର୍ତ୍ତେ ଛାତ୍ରଙ୍କ ଦ୍ୱାରା ମଦ ମଗାଉଛନ୍ତି। ଥରେ କି ଦୁଇ ଥର ନୁହେଁ, ଅନେକ ବାର ଛାତ୍ରମାନେ ସାରଙ୍କ ପାଇଁ ମଦ ଆଣିଛନ୍ତି। ସାର ମଦ ପିଇ ଶ୍ରେଣୀ ଗୃହରେ କ୍ଲାସ ନେଉଥିବା ଦେଖିବାକୁ ମିଳିଛି। ପଚରାଉଚରା ବେଳେ ଛାତ୍ରମାନେ ସ୍ୱୀକାର କରିଛନ୍ତି।
ବିଦ୍ୟାଳୟର ପ୍ରଧାନଶିକ୍ଷକ ମିଲନ ଗୌସ୍ୱାମୀଙ୍କ ଅନୁସାରେ, ୨୦ ଜୁନରେ ତାଙ୍କୁ ସୂଚନା ମିଳିଲା ଯେ ଶିକ୍ଷକ ହରେଶଗିରି ଗୁଲାବଗିରି ଗୋସ୍ୱାମୀ ସପ୍ତମ ଶ୍ରେଣୀର ଜଣେ ଛାତ୍ରଙ୍କୁ ୫୦୦ ଟଙ୍କା ଦେଇ ଗାଁର ଦୋକାନରୁ ମଦ ଆଣିବାକୁ ପଠାଇଥିଲେ। ତା’ପରେ ସେ ଛାତ୍ରଙ୍କୁ ପଚରାଉଚରା କରିଥିଲେ। ଛାତ୍ର କହିଥିଲା; ପୂର୍ବରୁ ମଧ୍ୟ ଅନେକ ଥର ଶିକ୍ଷକଙ୍କ ପାଇଁ ଗାଁ ଦୋକାନରୁ ମଦ କିଣି ଆଣିଛି।
ଶିକ୍ଷକଙ୍କ ପାଇଁ ମଦ ଆଣୁଥିବା ସମ୍ପର୍କରେ ଛାତ୍ରର ବାପା-ମା’ଙ୍କୁ ଜଣାନଥିଲା। ଛାତ୍ର ଜଣେ ଗରିବ ମତ୍ସ୍ୟଜୀବୀ ପରିବାର ପୁଅ। ଅଭିଯୋଗ ହେଉଛି; ଶିକ୍ଷକ ତାର ଦୁର୍ବଳତାର ଫାଇଦା ଉଠାଇଲେ ଓ ତାକୁ ଶିକ୍ଷା ଦେବା ପରିବର୍ତ୍ତେ ମଦ ଆଣିବା ପାଇଁ ବ୍ୟବହାର କରୁଥିଲେ। ଶିକ୍ଷକଙ୍କ ବିରୋଧରେ ସ୍କୁଲ ପରିସରରେ ମଦ ପିଇବାର ଅଭିଯୋଗ ରହିଛି।
Uttarakhand Govt.
ପ୍ରଧାନଶିକ୍ଷକ ମିଲନ ଗୌସ୍ୱାମୀ କହିଛନ୍ତି; ଅଭିଯୁକ୍ତ ଶିକ୍ଷକ ମଦ ପିଇବାର ଅଭ୍ୟାସ ରହିଛି। ଅନେକ ଥର ନିଶାରେ ସ୍କୁଲ ଆସିବା ଦେଖିବାକୁ ମିଳିଛି। ଏ ସମ୍ପର୍କରେ ତାଲୁକା ଶିକ୍ଷା ଅଧିକାରୀଙ୍କୁ ଅନେକ ଥର ଲିଖିତ ଭାବେ ଜଣାଇଛି। ମାର୍ଚ୍ଚ ୪ ତାରିଖରେ ମଧ୍ୟ ଲିଖିତ ଅଭିଯୋଗ କରିଥିଲି। ଏହା ସତ୍ତ୍ୱେ ତାଙ୍କ ବ୍ୟବହାରେ କୌଣସି ସୁଧାର ଆସିନଥିଲା। ଏବେ ଛାତ୍ରଙ୍କଠାରୁ ମଦ ମଗାଇବାର ମାମଲା ସାମ୍ନାକୁ ଆସିଛି।
ଉନା ତାଲୁକା ପ୍ରାଥମିକ ଶିକ୍ଷା ଅଧିକାରୀ ହରେଶ ବାଢେର କହିଛନ୍ତି; ସ୍କୁଲ ପ୍ରଧାନଶିକ୍ଷକ ଛାତ୍ରର ସ୍ୱୀକାରୋକ୍ତି ଓ ସିସିଟିଭି ଫୁଟେଜ୍ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ବିଭାଗକୁ ଦେଇଛନ୍ତି। ଏହି ସାକ୍ଷ୍ୟ ଆଧାରରେ ପୋଲିସରେ ଅଭିଯୋଗ କରାଯାଇଛି। ସମ୍ପୂର୍ଣ୍ଣ ମାମଲାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଶିକ୍ଷକଙ୍କ ମଦ ପିଇବାର ଅଭିଯୋଗ ଯୋଗୁଁ ଦୁଇ ଥର ଇନ୍କ୍ରିମେଣ୍ଟ ରୋକାଯାଇଛି। ଏହା ସତ୍ତ୍ୱେ ତାଙ୍କ କାର୍ୟ୍ୟଶୈଳୀରେ ସୁଧାର ଆସିନାହିଁ। ଏବେ ବିଭାଗ ଶିକ୍ଷକଙ୍କ ବିରୁଦ୍ଧରେ ଔପଚାରିକ ବିଭାଗୀୟ ତଦନ୍ତ ବସାଇଛି। ଏହି ମାମଲାରେ ୧୩ ଜୁଲାଇରେ ଶୁଣାଣି ମଧ୍ୟ ନିର୍ଦ୍ଧାରିତ ହୋଇଛି। ତଦନ୍ତ ରିପୋର୍ଟ ଆଧାରରେ ଆଗାମୀ କାର୍ଯ୍ୟାନୁଷ୍ଠାନ ନିଆଯିବ।
ମାମଲା ଉପରେ ଗୁଜରାଟର ଶିକ୍ଷା ମନ୍ତ୍ରୀ ଡଃ. ପ୍ରଦ୍ୟୁମ୍ନ ୱାଜା ମଧ୍ୟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସେ କହିଛନ୍ତି; ଯେଉଁ ଶିକ୍ଷକଙ୍କ ଉପରେ ଛାତ୍ରଙ୍କ ଭବିଷ୍ୟତ ଗଢିବାର ଦାୟିତ୍ୱ ରହିଛି, ଯଦି ସେମାନେ ଏହିପରି ଲଜ୍ଜାଜନକ କାମ କରିବେ, ତେବେ ତାହାକୁ କୌଣସି ମୂଲ୍ୟରେ ସହ୍ୟ କରାଯିବ ନାହିଁ। ରାଜ୍ୟ ସରକାର ଛାତ୍ରଙ୍କ ସ୍ୱାର୍ଥ ଓ ଶିକ୍ଷାନୁଷ୍ଠାନରେ ଅନୁଶାସନ ସହ କୌଣସି ଆପୋଷ କରିବେ ନାହିଁ।

