ଦିନ ଦ୍ୱିପ୍ରହରରେ AAP ନେତାଙ୍କୁ ଗୁଳି କରି ବିଭତ୍ସ ହତ୍ୟା
କାର୍ରେ ଆସିଥିବା ଦୁର୍ବୃତ୍ତମାନେ ମୋଟରସାଇକେଲରେ ଯାଉଥିବା ଗୋପୀଙ୍କୁ ପିଛା କରି ଗୁଳି ମାଡ କରିଥିଲେ।
ଫିରୋଜପୁର (ପଞ୍ଜାବ): ପଞ୍ଜାବର ଫିରୋଜପୁରରେ ଜଣେ ଆମ୍ ଆଦମୀ ପାର୍ଟି (AAP) ନେତାଙ୍କୁ ଅଜଣା ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା କରିଛନ୍ତି। ରବିବାର ପୁଲିସ ଏ ନେଇ ସୂଚନା ଦେଇଛି। ମୃତ AAP ନେତାଙ୍କ ପରିଚୟ ୪୫ ବର୍ଷୀୟ ଗୁରପ୍ରୀତ ସିଂହ ଓରଫ ଗୋପୀ ବୋଲି ଜଣାପଡ଼ିଛି।
ଶନିବାର ସନ୍ଧ୍ୟାରେ ଏହି ଘଟଣା ଘଟିଥିଲା। ଗୋପୀ ୨୨ ବର୍ଷୀୟ ହରପ୍ରୀତ ସିଂହ ଓରଫ ହ୍ୟାପିଙ୍କ ସହ ଏକ ମୋଟରସାଇକେଲରେ ମମଦୋଟ ସହର ଦେଇ ଯାଉଥିଲେ। ଏହି ସମୟରେ ଏକ କାର୍ରେ ଆସିଥିବା ୪ ଜଣ ଦୁର୍ବୃତ୍ତ ତାଙ୍କୁ ପିଛା କରିଥିଲେ।
ଦୁର୍ବୃତ୍ତମାନେ କାର୍ରୁ ଓହ୍ଲାଇ ଗୋପୀ ଓ ହରପ୍ରୀତଙ୍କ ଉପରକୁ ଗୁଳି ଚଳାଇଥିଲେ। ଗୁରୁତର ଆହତ ଗୋପୀଙ୍କୁ ତୁରନ୍ତ ସିଭିଲ୍ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପଟେ ଆହତ ହରପ୍ରୀତଙ୍କୁ ଉନ୍ନତ ଚିକିତ୍ସା ପାଇଁ ଲୁଧିଆନାର ଏକ ଘରୋଇ ହସ୍ପିଟାଲକୁ ପଠାଯାଇଛି।
ଏହି ଘଟଣାକୁ ନେଇ ପୁଲିସ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ବିସ୍ତୃତ ବୟାନ ଜାରି ହୋଇନାହିଁ। ତେବେ ଆକ୍ରମଣକାରୀମାନଙ୍କୁ ଚିହ୍ନଟ କରି ଧରିବା ପାଇଁ ପୁଲିସ ତଦନ୍ତ ଆରମ୍ଭ କରିଛି। ସେମାନଙ୍କୁ ଧରିବା ପାଇଁ ଏକାଧିକ ପୁଲିସ ଟିମ୍ ନିୟୋଜିତ ହୋଇଛି। ଏଥିସହ ଘଟଣାସ୍ଥଳରେ ପୁଲିସ ପକ୍ଷରୁ ଯାଞ୍ଚ କରାଯାଉଛି।
ଗୋପୀଙ୍କୁ କାହିଁକି ହତ୍ୟା କରାଗଲା, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତେବେ କିଛି ରିପୋର୍ଟରେ ଗୋପୀ ଓ ଆକ୍ରମଣକାରୀଙ୍କ ମଧ୍ୟରେ ପୁରୁଣା ବିବାଦ ଥିବା କୁହାଯାଇଛି। ପୁଲିସ ତଦନ୍ତ ପରେ ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ।
ଏହି ଘଟଣା ପରେ ପଞ୍ଜାବର ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ପୁଣି ଥରେ ପ୍ରଶ୍ନ ଉଠିଛି। ଆସନ୍ତା ବର୍ଷ ଆରମ୍ଭରେ ପଞ୍ଜାବ ସମେତ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁରରେ ବିଧାନସଭା ନିର୍ବାଚନ ହେବାକୁ ରହିଛି। ଏହାକୁ ନେଇ କଂଗ୍ରେସ, ଶିରୋମଣି ଅକାଳୀ ଦଳ (SAD) ଓ ବିଜେପି ଭଳି ବିରୋଧୀ ଦଳଗୁଡ଼ିକ ପଞ୍ଜାବର ଆଇନଶୃଙ୍ଖଳା ସ୍ଥିତିକୁ ନେଇ AAP ସରକାରକୁ ଲଗାତାର ଟାର୍ଗେଟ୍ କରିଆସୁଛନ୍ତି।
ପଞ୍ଜାବରେ ନିଜର ପ୍ରଭାବ ବଢ଼ାଇବାକୁ ଚେଷ୍ଟା କରୁଥିବା ବିଜେପି ମଧ୍ୟ ରାଜ୍ୟର ଆଇନଶୃଙ୍ଖଳାକୁ ନେଇ AAP ସରକାରକୁ କଡ଼ା ସମାଲୋଚନା କରିଛି। ଜୁଲାଇରେ ଏକ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଞ୍ଜାବରେ ପରିବର୍ତ୍ତନର ଆହ୍ୱାନ ଦେଇଥିଲେ। ସେ କହିଥିଲେ ଯେ ପଞ୍ଜାବର ଆଇନଶୃଙ୍ଖଳା ପରିସ୍ଥିତି ଖରାପ ହୋଇଯାଇଛି ଏବଂ କେବେ, କେଉଁଠାରେ ଗ୍ୟାଙ୍ଗ୍ ୱାର୍ ହେବ କିମ୍ବା କେଉଁ ଦିଗରୁ ଗୁଳି ଆସିବ, ତାହା କେହି ଜାଣିପାରୁନାହାନ୍ତି।
ତେବେ AAP ସରକାର ନିଜକୁ ଏହି ଅଭିଯୋଗରୁ ରକ୍ଷା କରିଆସିଛି। ପଞ୍ଜାବର ପୁଲିସ ଡିଜିପି ଗୌରବ ଯାଦବ ଚଳିତ ବର୍ଷ ଆରମ୍ଭରେ କହିଥିଲେ ଯେ, ଭାରତର ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ପଞ୍ଜାବର ଅପରାଧ ହାର କମ୍ ରହିଛି।


