ବିବାଦରେ ଥିଲେ; ଇସ୍ତଫା ଦେଲେ ଫିରହାଦ୍ ହକିମ୍

କୁନାଲ ଘୋଷ କହିଛନ୍ତି, ଟିଏମ୍‌ସି ବିଧାୟକ ଫିରହାଦ୍ ହକିମ୍ କୋଲକାତା ମେୟର ପଦରୁ ଇସ୍ତଫା ଦେଇଛନ୍ତି

କୋଲକାତା: ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସୁପ୍ରିମୋ ମମତା ବାନାର୍ଜୀଙ୍କ ଅସୁବିଧା କମିବାର ନାଁ ନେଉନାହିଁ। ଟିଏମ୍‌ସିରେ ସୃଷ୍ଟି ହୋଇଥିବା ବିବାଦ ଭିତରେ କୋଲକାତା ମେୟର ଫିରହାଦ୍ ହାକିମ୍ ଇସ୍ତଫା ଦେଇଛନ୍ତି। ତାଙ୍କୁ ମମତା ବାନାର୍ଜୀଙ୍କ ଅତ୍ୟନ୍ତ ନିକଟତର ବୋଲି ମାନାଯାଉଥିଲା।

ଟିଏମ୍‌ସି ମୁଖପାତ୍ର କୁନାଲ ଘୋଷ କହିଛନ୍ତି, ଟିଏମ୍‌ସି ବିଧାୟକ ଫିରହାଦ୍ ହକିମ୍ କୋଲକାତା ମେୟର ପଦରୁ ଇସ୍ତଫା ଦେଇଛନ୍ତି। ମମତା ବାନାର୍ଜୀ ତାଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ବିଧାନସଭା ନିର୍ବାଚନ ପରେ ମେୟର ଓ କୋଲକାତା ମ୍ୟୁନିସିପାଲ୍ କର୍ପୋରେସନ୍ (କେଏମ୍‌ସି) କମିଶନରଙ୍କ ମଧ୍ୟରେ ବଢ଼ିଥିବା ବିବାଦ ଯୋଗୁ ଅଚଳାବସ୍ଥା ଲାଗି ରହିଥିଲା। ଯେଉଁଥିପାଇଁ ସେ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି। ତେବେ ଫିରହାଦ୍ ହକିମ୍‌ଙ୍କ ଇସ୍ତଫା ନେଇ ଚର୍ଚ୍ଚା ସେତେବେଳେ ଜୋର୍ ଧରିଥିଲା, ଯେତେବେଳେ କେଏମ୍‌ସିର ବିଲ୍ଡିଂ ବିଭାଗ ଟିଏମ୍‌ସି ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ ସହ ଜଡ଼ିତ କଥିତ ସମ୍ପତ୍ତିକୁ ଭାଙ୍ଗିବା ପାଇଁ ନୋଟିସ୍ ଜାରି କରିଥିଲା। କୁହାଯାଉଛି, ମେୟରଙ୍କ ସ୍ପଷ୍ଟ ସୂଚନା ବିନା ଏହି କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।

ବିଧାନସଭା ନିର୍ବାଚନ ପରେ ଟିଏମ୍‌ସି ବିଭାଜନ
ବିଧାନସଭା ନିର୍ବାଚନରେ ଟିଏମ୍‌ସିର ଶୋଚନୀୟ ପରାଜୟ ପରେ ମମତା ବାନାର୍ଜୀ ଏକାକୀ ହୋଇପଡ଼ିଥିବା ପରି ମନେହେଉଛନ୍ତି। ଗୋଟିଏ ପଟେ ଦଳୀୟ ନେତାମାନେ ସାଥ୍ ଛାଡ଼ି ଦେଇଛନ୍ତି ତ ଅନ୍ୟପଟେ ପୁତୁରା ଅଭିଷେକ ବାନାର୍ଜୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନଜରରେ ଅଛନ୍ତି। ଏହାସହ ବିଧାନସଭା ବାଚସ୍ପତି ରବୀନ୍ଦ୍ର ନାଥ ବୋଷ ଟିଏମ୍‌ସିର ବିଦ୍ରୋହୀ ବିଧାୟକ ଋତବ୍ରତ ବାନାର୍ଜୀଙ୍କୁ ବିରୋଧୀ ଦଳ ନେତା ଭାବେ ମାନ୍ୟତା ଦେଇଛନ୍ତି।

ତେବେ ପୂର୍ବରୁ ମମତା ବାନାର୍ଜୀ ଶୋଭନଦେବ ଚାଟାର୍ଜୀଙ୍କୁ ବିରୋଧୀ ଦଳ ନେତା ନିଯୁକ୍ତ କରିଥିଲେ। କିନ୍ତୁ ୮୦ ଜଣ ବିଧାୟକଙ୍କ ମଧ୍ୟରୁ ୬୦ ଜଣ ବିଦ୍ରୋହ କରି ଶୋଭନଦେବ ଚାଟାର୍ଜୀଙ୍କୁ ବିରୋଧୀ ଦଳ ନେତା ଭାବେ ଗ୍ରହଣ କରିବାକୁ ମନା କରିଦେଇଥିଲେ। ତେଣୁ ବିଦ୍ରୋହୀ ବିଧାୟକ ଋତବ୍ରତ ବାନାର୍ଜୀଙ୍କୁ ବିଧାନସଭା ବିରୋଧୀ ଦଳ ନେତା ହୋଇଛନ୍ତି।