ଟିମ୍ ଇଣ୍ଡିଆକୁ ବଡ଼ ଝଟ୍କା, ଆହତ ହାର୍ଦ୍ଦିକ ଓ ହର୍ଷିତଙ୍କୁ ନେଇ ବଢ଼ିଲା ଚିନ୍ତା, ନ୍ୟୁଜିଲ୍ୟାଣ୍ଡ ଗସ୍ତରୁ ବାଦ୍ ପଡ଼ିବା ଆଶଙ୍କା
ବିଶ୍ୱକପ୍ ପୂର୍ବରୁ ଟିମ୍ ଇଣ୍ଡିଆର ଚିନ୍ତା ବଢ଼ିଲା, ହାର୍ଦ୍ଦିକ-ହର୍ଷିତଙ୍କ ଫିଟନେସ୍କୁ ନେଇ ବଡ଼ ଅପଡେଟ୍
ନୂଆଦିଲ୍ଲୀ: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଇଥିବା ଦିନିକିଆ ସିରିଜ୍ ସମାପ୍ତ ହୋଇସାରିଛି ଏବଂ ଆଶା ଅନୁଯାୟୀ ଟିମ୍ ଇଣ୍ଡିଆ ଏହି ସିରିଜ୍ ଜିତି ନେଇଛି। କିନ୍ତୁ ଏହି ବିଜୟ ସତ୍ତ୍ୱେ ବୋଲିଂ ବିଭାଗରେ କିଛି ଦୁର୍ବଳତା ସ୍ପଷ୍ଟ ଭାବେ ନଜର ଆସିଛି। ଜସପ୍ରୀତ ବୁମରା ଏସିଆନ୍ ଗେମ୍ସରେ ବ୍ୟସ୍ତ ଥିବାବେଳେ, ଅନ୍ୟପକ୍ଷରେ ଷ୍ଟାର୍ ଅଲ୍ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଯୁବ ବୋଲର ହର୍ଷିତ ରଣା ଆହତ ହୋଇ ମଇଦାନରୁ ଦୂରେଇ ରହିବା ଭାରତୀୟ ଦଳର ଚିନ୍ତା ବଢ଼ାଇ ଦେଇଛି। ଆଗକୁ ଆସୁଥିବା ବିଶ୍ୱକପ୍ କୁ ଦୃଷ୍ଟିରେ ରଖି ଏହି ଖେଳାଳିଙ୍କ ଆହତ ସମସ୍ୟା ଚିନ୍ତାର ବିଷୟ ପାଲଟିଛି।
ଆଷାତ ପ୍ରାପ୍ତ ହାର୍ଦ୍ଦିକ ପାଣ୍ଡ୍ୟା: ଆଇପିଏଲ୍ ୨୦୨୬ ସିଜନ ଶେଷ ହେବା ପରେ ହାର୍ଦ୍ଦିକ ପାଣ୍ଡ୍ୟା ଆହତ କାରଣରୁ କୌଣସି ମ୍ୟାଚ୍ ଖେଳି ପାରିନାହାନ୍ତି। ଜୁନ୍ ମାସରେ ଆଫଗାନିସ୍ତାନ ବିପକ୍ଷରେ ତାଙ୍କର ପ୍ରତ୍ୟାବର୍ତ୍ତନର ଆଶା ଥିଲା, କିନ୍ତୁ ନୂତନ ଆଘାତ ଯୋଗୁଁ ତାହା ଟଳିଯାଇଥିଲା। ବେଙ୍ଗାଲୁରୁସ୍ଥିତ ସେଣ୍ଟର ଅଫ୍ ଏକ୍ସଲେନ୍ସ (CoE) ରେ ରିହାବ୍ ଶେଷ କରି ଗତ ସେପ୍ଟେମ୍ବର ୧୭ ତାରିଖରେ ସେ ମ୍ୟାଚ୍ ସିମୁଲେସନ୍ ପ୍ରାକ୍ଟିସ୍ ସଫଳତାର ସହ ପୂର୍ଣ୍ଣାଙ୍ଗ କରିଥିଲେ।
କିନ୍ତୁ ସେପ୍ଟେମ୍ବର ୧୯ ତାରିଖରେ ପୁନର୍ବାର ଅଭ୍ୟାସ ବେଳେ ତାଙ୍କର ଡାହାଣ କାଫ୍ ରେ ଯନ୍ତ୍ରଣା ଅନୁଭୂତ ହୋଇଥିଲା। ଡାକ୍ତରୀ ପରୀକ୍ଷାରୁ ତାଙ୍କର ‘ଷ୍ଟ୍ରେସ୍ ସିଣ୍ଡ୍ରୋମ୍’ ହୋଇଥିବା ଜଣାପଡ଼ିଛି। ଫଳରେ ତାଙ୍କୁ ୬ରୁ ୮ ସପ୍ତାହ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି, ଯାହାଫଳରେ ସେ ନ୍ୟୁଜିଲ୍ୟାଣ୍ଡ ଗସ୍ତରୁ ବାଦ୍ ପଡ଼ିପାରନ୍ତି।
ହର୍ଷିତ ରଣାଙ୍କ ପ୍ରତ୍ୟାବର୍ତ୍ତନରେ ବିଳମ୍ବ: ଅନ୍ୟପକ୍ଷରେ, ଯୁବ ଦ୍ରୁତ ବୋଲର ହର୍ଷିତ ରଣା ଇଂଲଣ୍ଡ ଗସ୍ତ ସମୟରେ ଆହତ ହୋଇଥିଲେ। ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ୍ ଏବଂ ଏସିଆନ୍ ଗେମ୍ସ ପାଇଁ ତାଙ୍କୁ ମନୋନୀତ କରାଯାଇଥିଲେ ମଧ୍ୟ ସେପ୍ଟେମ୍ବର ୭ରେ ଅଭ୍ୟାସ ବେଳେ ତାଙ୍କର ଦୁଇଟିଯାକ ଜଙ୍ଘରେ ଷ୍ଟ୍ରେନ୍ ଅନୁଭୂତ ହୋଇଥିଲା। ବର୍ତ୍ତମାନ ସେ ଜ୍ୱର ଏବଂ କାଶରେ ମଧ୍ୟ ପୀଡ଼ିତ ଥିବାରୁ ତାଙ୍କ ବୋଲିଂ କାର୍ଯ୍ୟଭାର ଆରମ୍ଭ ହେବାକୁ ଆହୁରି ପ୍ରାୟ ୩ ସପ୍ତାହ ଲାଗିପାରେ।

