RCB ବିପକ୍ଷ ମ୍ୟାଚ୍ ପୂର୍ବରୁ ଆସିଲା ବଡ଼ ଅପଡେଟ୍, ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ପଦ ଛାଡ଼ିଲେ ପାଣ୍ଡ୍ୟା
ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ପଦ ଛାଡ଼ିଲେ କି ପାଣ୍ଡ୍ୟା !
IPL 2026: ମୁମ୍ବାଇ ଇଣ୍ଡିଆନ୍ସ ୧୦ ମେରେ ରାୟପୁରରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ଆଇପିଏଲ ୨୦୨୬ର ସେମାନଙ୍କର ୧୧ତମ ମ୍ୟାଚ୍ ଖେଳିବାକୁ ଯାଉଛି। କିନ୍ତୁ ମ୍ୟାଚ୍ ପୂର୍ବରୁ ଦଳର ନିୟମିତ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ଯେ, ମୁମ୍ବାଇ କଣ ହାର୍ଦ୍ଦିକଙ୍କୁ ସମ୍ପୂର୍ଣ୍ଣ ଭାବେ ଦଳରୁ ବାହାର କରିଦେଇଛି କି?
ସୂଚନାଯୋଗ୍ୟ ଯେ ମୁମ୍ବାଇ ୪ ମଇରେ ୱାଙ୍ଖେଡେ ଷ୍ଟାଡିୟମରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ବିପକ୍ଷରେ ସେମାନଙ୍କର ପୂର୍ବ ମ୍ୟାଚ୍ ଖେଳିଥିଲା। କିନ୍ତୁ ଏହି ମ୍ୟାଚରେ ହାର୍ଦ୍ଦିକ ଖେଳିନଥିଲେ । ତାଙ୍କ ଅନୁପସ୍ଥିତିରେ ସୂର୍ଯ୍ୟକୁମାର ଯାଦବ ଦଳର ନେତୃତ୍ୱ ନେଇଥିଲେ । ଟସ୍ ସମୟରେ, ସୂର୍ଯ୍ୟ ପ୍ରକାଶ କରିଥିଲେ ଯେ, ହାର୍ଦ୍ଦିକ ସମ୍ପୂର୍ଣ୍ଣ ଫିଟ୍ ନଥିଲେ, ଯାହା କାରଣରୁ ତାଙ୍କୁ ପ୍ଲେଇଂ ଇଲେଭେନରେ ସାମିଲ କରାଯାଇ ନଥିଲା।
ଦଳ ସହ ରାୟପୁର ଗଲେନି ହାର୍ଦ୍ଦିକ
‘କ୍ରିକବଜ୍’ରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ, ହାର୍ଦ୍ଦିକ ପାଣ୍ଡ୍ୟା ଆଗାମୀ RCB ବିପକ୍ଷ ମ୍ୟାଚ ପାଇଁ ଦଳ ସହିତ ରାୟପୁର ଯାତ୍ରା କରିନାହାଁନ୍ତି । ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ମେ ୬ରେ ମୁମ୍ବାଇ ଖେଳାଳିମାନେ ମୁମ୍ବାଇ ବିମାନବନ୍ଦରର ଟର୍ମିନାଲ ୧ରେ ପ୍ରସ୍ଥାନ କରିବା ପାଇଁ ଏକତ୍ରିତ ହୋଇଥିଲେ। କିନ୍ତୁ ହାର୍ଦ୍ଦିକ ପାଣ୍ଡ୍ୟା ସେମାନଙ୍କ ମଧ୍ୟରେ ନଥିଲେ । ଏପରିକି ସେ ପରବର୍ତ୍ତୀ ସମୟରେ ଦଳ ସହ ଯୋଗଦେବେ କି ନାହିଁ, ସେ ନେଇ ମଧ୍ୟ କୌଣସି ସୂଚନା ମିଳିନାହିଁ।
ଦଳ ସହ ହାର୍ଦ୍ଦିକଙ୍କ ଫର୍ମ ମଧ୍ୟ ଖରାପ
ଚଳିତ ସିଜିନ୍ରେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଦର୍ଶନ ଅତ୍ୟନ୍ତ ନିରାଶାଜନକ ରହିଛି। ଦଳ ସହିତ ଅଧିନାୟକ ହାର୍ଦ୍ଦିକଙ୍କ ବ୍ୟକ୍ତିଗତ ପ୍ରଦର୍ଶନ ମଧ୍ୟ ଖରାପ ରହିଛି। ମୁମ୍ବାଇ ଏପର୍ଯ୍ୟନ୍ତ ୧୦ଟି ମ୍ୟାଚ୍ ଖେଳି ମାତ୍ର ୩ଟିରେ ବିଜୟୀ ହୋଇଥିବା ବେଳେ ୭ଟିରେ ପରାଜୟର ସମ୍ମୁଖୀନ ହୋଇଛି। ୬ ପଏଣ୍ଟ ସହ ଦଳ ପାଇଁ ପ୍ଲେ-ଅଫ୍ ରାସ୍ତା ଅତ୍ୟନ୍ତ କଷ୍ଟକର ମନେହେଉଛି।
ହାର୍ଦ୍ଦିକଙ୍କ ଫର୍ମ କଥା କହିଲେ, ସେ ୮ଟି ପାରିରେ ମାତ୍ର ୧୪୬ ରନ୍ କରିଛନ୍ତି, ଯେଉଁଥିରେ ଗୋଟିଏ ହେଲେ ଅର୍ଦ୍ଧଶତକ ନାହିଁ। ତାଙ୍କର ସର୍ବାଧିକ ସ୍କୋର ମାତ୍ର ୪୦ ରନ୍। ସେହିପରି ବୋଲିଂରେ ମଧ୍ୟ ସେ ମାତ୍ର ୪ଟି ୱିକେଟ୍ ନେବାରେ ସଫଳ ହୋଇଛନ୍ତି। ଏଭଳି ପରିସ୍ଥିତିରେ ତାଙ୍କର ଦଳ ସହ ଯାତ୍ରା ନକରିବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।
