ଆଫଗାନିସ୍ତାନ ସିରିଜ୍‌ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବଡ଼ ଝଟକା, ପୁଣି ହେଲେ ଆହତ, ଏବେ କରିବେନି କମବ୍ୟାକ୍

ଆହତ ସମସ୍ୟା କାରଣରୁ ପୁଣି ଟିମ୍ ଇଣ୍ଡିଆରୁ ବାଦ ପଡ଼ିପାରନ୍ତି ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଟିମ୍‌କୁ ଫେରିବା ପୂର୍ବରୁ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସମସ୍ୟା ପୁଣି ବଢ଼ିଛି। ନିକଟରେ ହାର୍ଦ୍ଦିକ ପୂରା ଶକ୍ତିରେ ବୋଲିଂ କରୁଥିବା ଖବର ଆସିଥିଲା ଏବଂ ଆଫଗାନିସ୍ତାନ ବିପକ୍ଷ ଆଗାମୀ T20I ସିରିଜ୍‌ରେ ତାଙ୍କ କମ୍‌ବ୍ୟାକ୍‌ ନେଇ ଆଶା ବଢ଼ିଥିଲା। କିନ୍ତୁ ଏବେ ରିହାବ ସମୟରେ ଲାଗିଥିବା ନୂଆ ଆଘାତ ତାଙ୍କ ଫେରିବା ରାସ୍ତାରେ ପୁଣି ବାଧା ସୃଷ୍ଟି କରିଛି।

ରିପୋର୍ଟ ଅନୁସାରେ, ବେଙ୍ଗାଲୁରୁସ୍ଥିତ BCCI Centre of Excellence (CoE)ରେ ଟ୍ରେନିଂ ସମୟରେ ହାର୍ଦ୍ଦିକଙ୍କ ପାଦରେ ସାମାନ୍ୟ ଆଘାତ ଲାଗିଛି। ଏହା ପରେ ତାଙ୍କୁ ବୋଲିଂ କରିବାକୁ ବାରଣ କରାଯାଇଛି। ବର୍ତ୍ତମାନ ସେ କେବଳ ବ୍ୟାଟିଂ ଉପରେ ଧ୍ୟାନ ଦେଉଥିବା ଜଣାପଡ଼ିଛି।

T20 ସିରିଜ୍‌ରୁ ବାଦ ପଡ଼ିପାରନ୍ତି ହାର୍ଦ୍ଦିକ: ହାର୍ଦ୍ଦିକ ପାଣ୍ଡ୍ୟା ପୂରା ଫିଟ୍‌ ହେବାର ନିକଟତର ଥିଲେ। କିନ୍ତୁ ନୂଆ ଆଘାତ ଯୋଗୁଁ ଆଫଗାନିସ୍ତାନ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ T20I ସିରିଜ୍‌ ପାଇଁ ତାଙ୍କୁ ଦଳରେ ସାମିଲ କରାଯିବ କି ନାହିଁ, ଏବେ ତାହା ଉପରେ ପ୍ରଶ୍ନ ଉଠିଛି।

ସେପ୍ଟେମ୍ବର ୧୩ରୁ ଆରମ୍ଭ ହେବାକୁ ଥିବା ସିରିଜ୍‌ ପାଇଁ ଚୟନକର୍ତ୍ତାମାନେ ଏହି ସପ୍ତାହରେ ବୈଠକ କରିପାରନ୍ତି। ବେଙ୍ଗାଲୁରୁରେ ରିହାବ କରୁଥିବା ଖେଳାଳିଙ୍କ ଫିଟନେସ୍‌ ରିପୋର୍ଟ ମଧ୍ୟ ଚୟନକର୍ତ୍ତାଙ୍କୁ ଦିଆଯିବ।

ବାରମ୍ବାର ଆହତ ହେଉଛନ୍ତି ହାର୍ଦ୍ଦିକ: ୩୨ ବର୍ଷୀୟ ହାର୍ଦ୍ଦିକ ପାଣ୍ଡ୍ୟା ଶେଷଥର ପାଇଁ IPLରେ ଖେଳୁଥିବା ଦେଖାଯାଇଥିଲେ। ଭାରତ ପାଇଁ ତାଙ୍କର ଶେଷ ମ୍ୟାଚ୍‌ ଥିଲା ମାର୍ଚ୍ଚ ୮ରେ ଖେଳାଯାଇଥିବା T20 ବିଶ୍ୱକପ୍‌ ଫାଇନାଲ୍‌। ଆଘାତ କାରଣରୁ ସେ ପୂର୍ବରୁ ଅନେକ ହ୍ୱାଇଟ୍‌-ବଲ୍‌ ସିରିଜ୍‌ରୁ ବାଦ ପଡ଼ିସାରିଛନ୍ତି। ଏଥିରେ ଆଫଗାନିସ୍ତାନ, ଇଂଲଣ୍ଡ ଓ ଆୟର୍ଲାଣ୍ଡ ବିପକ୍ଷ ସିରିଜ୍‌ ମଧ୍ୟ ସାମିଲ ରହିଛି।

ଏହା ପୂର୍ବରୁ ଆଫଗାନିସ୍ତାନ ବିପକ୍ଷ ODI ସିରିଜ୍‌ ପୂର୍ବରୁ ମଧ୍ୟ ହାର୍ଦ୍ଦିକଙ୍କ କ୍ୱାଡ୍ରିସେପ୍ସରେ low-grade sprain ହୋଇଥିଲା। ତେବେ ଏହି ଆଘାତ ପୂର୍ବରୁ ସେ ଫିଟନେସ୍‌ ଓ ଟ୍ରେନିଂରେ ଭଲ ଗତିରେ ଆଗକୁ ବଢ଼ୁଥିଲେ।

ନୀତୀଶ ଓ ୱାଶିଂଟନଙ୍କ କମ୍‌ବ୍ୟାକ୍‌ ସମ୍ଭାବନା: ହାର୍ଦ୍ଦିକଙ୍କ ଫିଟନେସ୍‌କୁ ନେଇ ଅନିଶ୍ଚିତତା ମଧ୍ୟରେ ଅଲରାଉଣ୍ଡର ନୀତୀଶ କୁମାର ରେଡ୍ଡୀ ଓ ୱାଶିଂଟନ ସୁନ୍ଦରଙ୍କ ପାଇଁ ଭାରତୀୟ ଦଳକୁ ଫେରିବା ଆଶା ବଢ଼ିଛି। ରିପୋର୍ଟ ଅନୁସାରେ ଉଭୟ ଖେଳାଳି ଭଲ ଭାବେ ରିକଭର କରୁଛନ୍ତି।

ଅନ୍ୟପଟେ ଷ୍ଟାର ପେସର ଜସପ୍ରୀତ ବୁମରାହ ଏହି ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ଖେଳିବେ କି ନାହିଁ, ତାହା ଏବେ ମଧ୍ୟ ନିଶ୍ଚିତ ହୋଇନାହିଁ। ଆଫଗାନିସ୍ତାନ ବିପକ୍ଷ ସିରିଜ୍‌ ଏସିଆନ୍‌ ଗେମ୍ସ ୨୦୨୬ ପୂର୍ବରୁ ଟିମ୍‌ ଇଣ୍ଡିଆର ପ୍ରସ୍ତୁତି ପାଇଁ ଗୁରୁତ୍ୱପୂର୍ଣ୍ଣ। ତେଣୁ ହାର୍ଦ୍ଦିକଙ୍କ ଫିଟନେସ୍‌ ରିପୋର୍ଟ ଉପରେ ଏବେ ସମସ୍ତଙ୍କ ନଜର ରହିଛି।