fbpx

ହରିଶଙ୍କର ଝରଣା କୂଳରେ ମାର୍‌ପିଟ୍‌ ଘଟଣା: ୧୦ ଯୁବକ ଥାନାରେ ଅଟକ

ଖପ୍ରାଖୋଲ, (ଭାସ୍କର ନ୍ୟୁଜ୍‌): ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ଝରଣା କୂଳରେ ଦୁଇ ଗୋଷ୍ଠୀ ଗଣ୍ଡଗୋଳ ଘଟଣାରେ ଦୁଇଜଣ ଗୁରୁତର ହୋଇଥିବା ବେଳେ ଚିକିତ୍ସା ପାଇଁ ବଲାଙ୍ଗିର ଡାକ୍ତର ଖାନା ପଠା ଯାଇଥିବା ଜଣା ପଡ଼ିଛି । ଗଣ୍ଡଗୋଳ ଘଟଣାରେ ୧୦ ଜଣ ଯୁବକଙ୍କୁ ଖପ୍ରାଖୋଲ ପୋଲିସ ଅଟକ ରଖିଥିବା ଜଣାଯାଇଛି ।

ସୂଚନା ଅନୁସାରେ, ମଙ୍ଗଳବାର ମଧ୍ୟାହ୍ନରେ କିଛି ଯୁବକ ଝରଣା କୂଳରେ ମଦ ପିଉଥିବା ବେଳେ ସ୍ଥାନୀୟ ଦୁଇଜଣ ଯୁବକ ଝରଣା କୂଳରେ ମଦ ପିଇବାକୁ ବାରଣ କରିଥିଲେ । ଏଥିରେ ଯୁବକମାନେ ଉତକ୍ଷିପ୍ତ ହୋଇ ବଚସା ହେବାସହ ଶେଷରେ ଗଣ୍ଡଗୋଳ ହୋଇଥିଲା । ଉଭୟ ପକ୍ଷ ମଧ୍ୟରେ ମାର ପିଟ୍‌ ହୋଇଥିବା ବେଳେ ଖପ୍ରାଖୋଲ ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ଗଣ୍ଡଗୋଳ ଅଟକାଇ ଥିଲେ । ଗୁରୁତର ଦୁଇଜଣଙ୍କୁ ଉଦ୍ଧାର କରି ପ୍ରଥମେ ଖପ୍ରାଖୋଲ ଡାକ୍ତରଖାନା ଓ ପରେ ବଲାଙ୍ଗିର ଡାକ୍ତର ଖାନା ପଠାଯାଇଥିବା ଜଣା ଯାଇଛି । ଏହି ଘଟଣାରେ ଉଭୟ ପକ୍ଷର ୧୦ ଜଣଙ୍କୁ ଅଟକ ରଖି ପଚରା ଉଚରା କରାଯାଉଥିବା ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ, ହରିଶଙ୍କର ଝରଣା କୂଳରେ ଅନେକ ଅସାମାଜିକ ଯୁବକମାନେ ଖୁଲୁମ୍‌ ଖୁଲା ମଦ ପିଉଥିବା ଅନେକ ସମୟରେ ଅଭିଯୋଗ ହେଉଛି । ହେଲେ ଖପ୍ରାଖୋଲ ପୋଲିସ ଗତ ୫ ତାରିଖ ସନ୍ଧ୍ୟାରେ କିଛି ମଦ୍ୟପଙ୍କୁ ଥାନାରେ ଅଟକ ରଖି ଏକ ହଜାର ଟଙ୍କା ଲେଖାଏଁ ଜରିମାନା କରି ଛାଡିଥିବା ଜଣାଯାଇଛି । ଝରଣା କୂଳରେ ଅସାମାଜିକ ଦୈରାତ୍ମ୍ୟ ବନ୍ଦ କରିବାକୁ ଦାବି ହେଉଛି ।

Get real time updates directly on you device, subscribe now.