fbpx

ମେହୁଲ ଚୋକସି ମାମଲାରେ ଭାରତର ପକ୍ଷ ରଖିବେ ହରିଶ ସାଲଭେ, ସରକାରଙ୍କ ସହ ଚାଲିଛି ବିଚାର ବିମର୍ଶ

ନୂଆଦିଲ୍ଲୀ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(ପିଏନବି) ମହାଦୁର୍ନୀତି ମାମଲାର ଅନ୍ୟତମ ଅଭିଯୁକ୍ତ ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କ ଭାରତ ପ୍ରତ୍ୟର୍ପଣ ନେଇ ପ୍ରୟାସ ଜାରି ରହିଛି । ଏବେ ଚୋକସିଙ୍କ ପ୍ରତ୍ୟର୍ପଣକୁ ନେଇ ଡୋମିନିକା ଅଦାଲତରେ ଭାରତର ପକ୍ଷ ରଖିବେ ବରିଷ୍ଠ ଓକିଲ ହରିଶ ସାଲଭେ । ସାଲଭେ ବର୍ତମାନ ବ୍ରିଟେନ ମହାରାଣୀ ଏଲିଜାବେଥଙ୍କ ବ୍ୟକ୍ତିଗତ ଆଇନ ପରାମର୍ଶଦାତା ଅଛନ୍ତି । ସେ କୁଲଭୂଷଣ ଯାଦବ ମାମଲାରେ ଅନ୍ତର୍ଜାତୀୟ ନ୍ୟାୟ ଅଦାଲତ(ଆଇସିଜେ)ରେ ଭାରତର ସଫଳ ପ୍ରତିନିଧିତ୍ୱ କରି ସାରିଛନ୍ତି । ଭାରତ ସରକାର ବର୍ତମାନ ଚୋକସିଙ୍କୁ ସ୍ୱଦେଶ ଆଣିବା ପାଇଁ ସାଲଭେଙ୍କ ସହ ବିଚାର ବିମର୍ଶ କରୁଛନ୍ତି ।

ସାଲଭେ ସୋମବାର ଜାରି ପ୍ରେସ ବିବୃତିରେ କୁହାଯାଇଛି ଯେ, ଡୋମିନିକାର ଅଦାଲତରେ ମେହୁଲ ଚୋକସିଙ୍କ ପ୍ରତ୍ୟର୍ପଣ ମାମଲାରେ ଶୁଣାଣି ବେଳେ କଣ କଣ ପଦକ୍ଷେପ ନିଆଯିବ, ଏହାକୁ ନେଇ ଭାରତ ସରକାରଙ୍କ ସହ ବିଚାର ବିମର୍ଶ ଚାଲିଛି । ଯଦି ଡୋମିନିକା କୋର୍ଟରେ ଶୁଣାଣି ବେଳେ ଭାରତକୁ ସୁଯୋଗ ମିଳେ ଏବଂ ସେଠାକାର ଆଟର୍ଣ୍ଣି ଜେନେରାଲ ମୋର ପ୍ରବେଶ ପାଇଁ ଅନୁମତି ଦିଅନ୍ତି ତେବେ ମୁଁ ଭାରତର ପ୍ରତିନିଧିତ୍ୱ କରିବି । ସାଲଭେ ସ୍ପଷ୍ଟ କରିଛନ୍ତି ଯେ, ଭାରତ ସରକାରଙ୍କ ଡୋମିନିକା ଅଦାଲତରେ କୌଣସି ପକ୍ଷକାର ନାହାନ୍ତି । ସରକାର କେବଳ ଡୋମିନିକା ପ୍ରଶାସନକୁ ସହାୟତା ଦେଉଛନ୍ତି ।

ମେହୁଲ ଚୋକସି ବର୍ତମାନ ଡୋମିନିକା ଜେଲରେ ବିଚାର ବିଭାଗୀୟ ହାଜତରେ ଅଛନ୍ତି । ଭାରତ ପ୍ରତ୍ୟର୍ପଣ ନେଇ ଶୁଣାଣି ଚାଲିଥିବା ବେଳେ ଚୋକସି ଆଂଟିଗୁଆରୁ ଅପହରଣ କରାଯାଇ ତାଙ୍କୁ ଡୋମିନିକା ଅଣାଯାଇଥିବା କେସ୍ କରିଛି । ଏହି ମାମଲାର ମଧ୍ୟ କୋର୍ଟରେ ଶୁଣାଣି ଚାଲିଛି । ସୂଚନାଯୋଗ୍ୟ, ମେହୁଲ ଚୋକସି ୧୩,୫୦୦ କୋଟି ଟଙ୍କାର ପିଏନବି ଘୋଟାଲାର ଅନ୍ୟତମ ଅଭିଯୁକ୍ତ । ଏହି ଦୁର୍ନୀତି ଲୋକଲୋଚନକୁ ଆସିବା ପୂର୍ବରୁ ସେ ଭାରତ ଛାଡି ସାରିଥିଲେ । ସେ ଆଂଟିଗୁଆର ନାଗରିକତା ଗ୍ରହଣ କରି ସେଠାରେ ରହୁଥିଲେ । କିନ୍ତୁ ମେ ୨୩ରେ ସେ ଆଂଟିଗୁଆ ଓ ବାରବୁଡାରୁ ଗାଏବ ହୋଇ ଯାଇଥିଲେ । ପରେ ଡୋମିନିକାରୁ ତାଙ୍କୁ ଗିରଫ କରାଯାଇଥିଲା । ସେ ବେଆଇନ ଭାବେ ଡୋମିନିକାରେ ପ୍ରବେଶ କରିଥିବା ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା ।

Get real time updates directly on you device, subscribe now.