ବିରଳ ରେକର୍ଡ଼ କଲେ ହରମନପ୍ରୀତ: ଟି-୨୦ ବିଶ୍ୱ କପ୍ରେ କଲେ ଅଧିକ ରନ
ପାକିସ୍ତାନ ବିପକ୍ଷରେ ନିଜର ଖାତା ଖୋଲିବା ମାତ୍ରେ ହରମନପ୍ରୀତ ମିତାଲି ରାଜ୍ଙ୍କୁ ପଛରେ ପକାଇ ଦେଇଥିଲେ
ନୂଆଦିଲ୍ଲୀ: ଭାଙ୍ଗିଲା ଭାରତୀୟ ମହିଳା କ୍ରିକେଟ ଟିମ୍ର ଅଧିନାୟକ ମିତାଲି ରାଜ୍ ରେକର୍ଡ଼। ତାଙ୍କ ରେକର୍ଡ ଭାଙ୍ଗିଲେ ବର୍ତ୍ତମାନର ଅଧିନାୟକ ହରମନପ୍ରୀତ କୌର। ଟି-୨୦ ୱାର୍ଲ୍ଡ କପ୍ରେ ସବୁଠାରୁ ଅଧିକ ରନ କରିଥିବା ରେକର୍ଡ଼ ସେ ନିଜ ନାଁରେ କରିଛନ୍ତି।
ଭାରତୀୟ ମହିଳା କ୍ରିକେଟ୍ ଦଳର ଅଧିନାୟିକା ହେଉଛନ୍ତି ହରମନପ୍ରୀତ କୌର। ସେ ଆଜି ଟି-୨୦ ୱାର୍ଲ୍ଡ କପ୍ରେ ପାକିସ୍ତାନ ବିପକ୍ଷ ମ୍ୟାଚରେ ବଡ଼ ସଫଳତା ନିଜ ନାମରେ କରିଛନ୍ତି। ଏହି ମ୍ୟାଚ୍ରେ ମାତ୍ର ୧ ରନ୍ କରି ମହିଳା ଟି-୨୦ ୱାର୍ଲ୍ଡ କପ୍ ଇତିହାସରେ ଭାରତ ପକ୍ଷରୁ ସବୁଠାରୁ ଅଧିକ ରନ୍ ସଂଗ୍ରହ କରିଥିବା ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି।
ଏହି ମ୍ୟାଚ୍ ପୂର୍ବରୁ ଟି-୨୦ ୱାର୍ଲ୍ଡ କପ୍ରେ ଭାରତ ପାଇଁ ସବୁଠାରୁ ଅଧିକ ରନ୍ କରିବାର ରେକର୍ଡ ପୂର୍ବତନ ଅଧିନାୟିକା ମିତାଲି ରାଜ୍ଙ୍କ ନାମରେ ଥିଲା। ପରବର୍ତ୍ତୀ ସମୟରେ ତାଙ୍କ ସମକକ୍ଷ ହୋଇଥିଲେ ହରମନପ୍ରୀତ କୌର। ଉଭୟ ୭୨୬ ରନ କରି ବରାବର ସ୍ଥିତିରେ ଥିଲେ।
ପାକିସ୍ତାନ ବିପକ୍ଷରେ ନିଜର ଖାତା ଖୋଲିବା ମାତ୍ରେ ହରମନପ୍ରୀତ ମିତାଲି ରାଜ୍ଙ୍କୁ ପଛରେ ପକାଇ ଦେଇଥିଲେ। ଏହି ସ୍ୱତନ୍ତ୍ର ତାଲିକାରେ ନମ୍ବର-୧ ସ୍ଥାନ ହାସଲ କରି ନେଇଛନ୍ତି। ଏହି ତାଲିକାରେ ତୃତୀୟ ସ୍ଥାନରେ ସ୍ମୃତି ମନ୍ଧାନାଙ୍କ ନାଁ ରହିଛି।
ହରମନପ୍ରୀତ କୌର ପାକିସ୍ତାନ ବିପକ୍ଷ ଏହି ମ୍ୟାଚ୍ରେ ଏକ ଗୁରୁତ୍ୱପୂର୍ଣ୍ଣ ପାଳି ଖେଳିଥିଲେ। ସେ ୩୫ଟି ବଲ୍ରେ ୩୬ ରନ୍ କରିଥିଲେ। ଯେଉଁଥିରେ ୪ଟି ଚୌକା ସାମିଲ ଥିଲା। ସେ ଯେତେବେଳେ କ୍ରିଜ୍କୁ ଆସିଲେ, ଦଳ ମାତ୍ର ୧୮ ରନ୍ରେ ୨ଟି ୱିକେଟ୍ ହରାଇ ସାରିଥିଲା। ଏହାପରେ ସେ ସ୍ମୃତି ମନ୍ଧାନାଙ୍କ ସହ ମିଶି ଦଳର ସ୍ଥିତି ସମ୍ଭାଳିଥିଲେ ଓ ପ୍ରତ୍ୟାବର୍ତ୍ତନ କରାଇଥିଲେ।
ହରମନପ୍ରୀତ କୌର ମହିଳା ଟି-୨୦ ୱାର୍ଲ୍ଡ କପ୍ର ପ୍ରଥମ ସଂସ୍କରଣ (ଏଡିସନ)ରୁ ଖେଳି ଆସୁଛନ୍ତି। ଏହା ତାଙ୍କର ୪୦ତମ ମ୍ୟାଚ୍ ଅଟେ। ସେ ଟି-୨୦ ୱାର୍ଲ୍ଡ କପ୍ର ପ୍ରତ୍ୟେକ ସଂସ୍କରଣ ଖେଳିଥିବା କିଛି ମନୋନୀତ ଖେଳାଳିଙ୍କ ମଧ୍ୟରେ ମଧ୍ୟ ସାମିଲ ଅଛନ୍ତି।


