ଆକିବ୍ ନବୀଙ୍କ ସହ ଶ୍ରୀଲଙ୍କା ଡେଷ୍ଟରେ ସାମିଲ୍ ହେଲେ ଏହି ଦୁଇ ଖେଳାଳି, BCCI ନେଲା ବଡ଼ ନିଷ୍ପତ୍ତି
ଆକିବ୍ ନବୀଙ୍କ ସହ ଶ୍ରୀଲଙ୍କା ଡେଷ୍ଟରେ ସାମିଲ୍ ହେଲେ ଏହି ଦୁଇ ଖେଳାଳି
ଓଡ଼ିଶା ଭାସ୍କର ଡେସ୍କ: ଭାରତୀୟ ଟିମ୍ର ଶ୍ରୀଲଙ୍କା ଗସ୍ତ ଅଗଷ୍ଟ ୧୫ ରୁ ଆରମ୍ଭ ହେବାକୁ ଯାଉଛି। ତା’ପୂର୍ବରୁ ଟିମ୍ ଇଣ୍ଡିଆରେ କ୍ରମାଗତ ପରିବର୍ତ୍ତନ ଦେଖିବାକୁ ମିଳୁଛି। ଜସପ୍ରୀତ ବୁମରାଙ୍କ ସ୍ଥାନରେ ଜମ୍ମୁ-କାଶ୍ମୀରର ଉଦୀୟମାନ ଦ୍ରୁତ ବୋଲର ଆକିବ୍ ନବୀ ସ୍କ୍ୱାଡ୍ରେ ସାମିଲ ହୋଇଛନ୍ତି। ଏବେ ଖବର ଆସିଛି ଯେ, BCCI ଆଉ ୨ ଜଣ ନୂଆ ଖେଳାଳିଙ୍କୁ ଶ୍ରୀଲଙ୍କା ପଠାଇବାକୁ ନିଷ୍ପତ୍ତି ନେଇଛି।
ହର୍ଷ ଦୁବେ ଏବଂ ତନୁଷ କୋଟିୟାନ୍ଙ୍କୁ ନେଟ୍ ବୋଲର ଭାବେ ଶ୍ରୀଲଙ୍କା ଗସ୍ତରେ ପଠାଯାଇଛି। ଶ୍ରୀଲଙ୍କାର ପିଚ୍ ସ୍ପିନ୍ ବୋଲିଂ ପାଇଁ ସହାୟକ ହୋଇଥାଏ, ତଥାପି ହର୍ଷ ଦୁବେ ଏବଂ ତନୁଷ କୋଟିୟାନ୍ ମୂଳ ସ୍କ୍ୱାଡ୍ରେ ସ୍ଥାନ ପାଇନଥିଲେ, କିନ୍ତୁ ଦୁହେଁ ଏବେ ନେଟ୍ ବୋଲର ଭାବେ ଭାରତୀୟ ଦଳ ସହ ଯୋଡ଼ିହେବେ।
ସ୍ପିନ୍ ଆଟାକ୍ କଥା କହିଲେ, ଟିମ୍ ଇଣ୍ଡିଆରେ କୁଲଦୀପ ଯାଦବ, ରବୀନ୍ଦ୍ର ଜାଡେଜା, ମାନବ ସୁଥାର ଏବଂ ସାରାଂଶ ଜୈନ ରହିଛନ୍ତି। ଜାଡେଜା କିଛି ମାସର ବ୍ୟବଧାନ ପରେ ପ୍ରତ୍ୟାବର୍ତ୍ତନ କରୁଛନ୍ତି, ଯିଏ ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ ମ୍ୟାଚ୍ରେ ଖେଳିନଥିଲେ।
ସେହିପରି ଆଫଗାନିସ୍ତାନ ବିପକ୍ଷ ଡେବ୍ୟୁ ମ୍ୟାଚ୍ରେ ମାନବ ସୁଥାର ଦମଦାର ପ୍ରଦର୍ଶନ ବଳରେ ସ୍କ୍ୱାଡ୍ରେ ନିଜ ସ୍ଥାନ ସୁରକ୍ଷିତ ରଖିଛନ୍ତି। ଅନ୍ୟପଟେ ୩୩ ବର୍ଷୀୟ ସାରାଂଶ ଜୈନ ପ୍ରଥମ ଥର ପାଇଁ ଟିମ୍ ଇଣ୍ଡିଆରେ ସ୍ଥାନ ପାଇଛନ୍ତି। କୁହାଯାଉଛି ଯେ, ହର୍ଷ ଦୁବେ ଏବଂ ତନୁଷ କୋଟିୟାନ୍ ଅଗଷ୍ଟ ୪ ଅର୍ଥାତ୍ ଆଜି ଶ୍ରୀଲଙ୍କା ଅଭିମୁଖେ ଗସ୍ତ କରିବେ।
Uttarakhand Govt.
ଶ୍ରୀଲଙ୍କା ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ସ୍କ୍ୱାଡ୍: ଶୁଭମନ୍ ଗିଲ୍ (ଅଧିନାୟକ), କେ.ଏଲ୍. ରାହୁଲ୍ (ଉପ-ଅଧିନାୟକ), ଯଶସ୍ୱୀ ଜୈସୱାଲ, ରିଷଭ ପନ୍ତ (ୱିକେଟକିପର), ସାଈ ସୁଦର୍ଶନ, ଧ୍ରୁବ ଜୁରେଲ (ୱିକେଟକିପର), ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମାନବ ସୁଥାର, ଆକିବ୍ ନବୀ, ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣ, ଗୁରନୁର ବ୍ରାର, ଦେବଦତ୍ତ ପାଡିକ୍କଲ, ସାରାଂଶ ଜୈନ।
ହର୍ଷ ଦୁବେଙ୍କ କଥା କହିଲେ, ସେ ଆଫଗାନିସ୍ତାନ ବିପକ୍ଷ ଦିନିକିଆ ସିରିଜ୍ରେ ନିଜର ଆନ୍ତର୍ଜାତୀୟ ଡେବ୍ୟୁ କରିଥିଲେ। ସେ ୨ଟି ମ୍ୟାଚ୍ରେ ୪ଟି ୱିକେଟ୍ ନେଇଥିଲେ। ଅନ୍ୟପଟେ ୨୭ ବର୍ଷୀୟ ତନୁଷ କୋଟିୟାନ୍ ଏପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ପାଇଁ ଡେବ୍ୟୁ କରିନାହାନ୍ତି। ସେ ଡାହାଣହାତୀ ଅଫ୍-ସ୍ପିନ୍ ବୋଲିଂ କରିବା ସହ ଭଲ ବ୍ୟାଟିଂ ମଧ୍ୟ କରିପାରନ୍ତି।
ଭାରତ ବନାମ ଶ୍ରୀଲଙ୍କା ସିରିଜ୍ ସୂଚୀ: ଭାରତ ବନାମ ଶ୍ରୀଲଙ୍କା ପ୍ରଥମ ଟେଷ୍ଟ ମ୍ୟାଚ୍ ୧୫-୧୯ ଅଗଷ୍ଟ (ଗାଲେ) ମଧ୍ୟରେ ହେବାକୁ ଥିବା ବେଳେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ୨୩-୨୭ ଅଗଷ୍ଟ (କୋଲମ୍ବୋ)ଠାରେ ଖେଳାଯିବ। ୧୮ ବର୍ଷ ବିତିଯାଇଛି, ଶ୍ରୀଲଙ୍କା ଟେଷ୍ଟ ସିରିଜ୍ରେ ଭାରତ ବିପକ୍ଷରେ ବିଜୟ ହାସଲ କରିପାରିନାହିଁ।
ଟେଷ୍ଟ କ୍ରିକେଟ୍ରେ ଟିମ୍ ଇଣ୍ଡିଆ ବିପକ୍ଷରେ ଶ୍ରୀଲଙ୍କାର ଶେଷ ସିରିଜ୍ ବିଜୟ ୨୦୦୮ ମସିହାରେ ଆସିଥିଲା। ସେତେବେଳେ ଶ୍ରୀଲଙ୍କା ଦଳର ଅଧିନାୟକତ୍ୱ ମହେଲା ଜୟବର୍ଦ୍ଧନେଙ୍କ ହାତରେ ଥିଲା ଏବଂ ଦଳରେ କୁମାର ସଙ୍ଗକାରା, ତିଲକରତ୍ନେ ଦିଲଶାନ୍ ଓ ଚାମିଣ୍ଡା ଭାସ୍ଙ୍କ ଭଳି ଦିଗ୍ଗଜ ଖେଳାଳି ଥିଲେ। ତା’ପରଠାରୁ ଦୁଇ ଦେଶ ମଧ୍ୟରେ ମୋଟ ୬ଟି ଟେଷ୍ଟ ସିରିଜ୍ ଖେଳାଯାଇଛି, ଯେଉଁଥିରୁ ୫ ଥର ଭାରତୀୟ ଟିମ୍ ବିଜୟୀ ହୋଇଥିବା ବେଳେ ଗୋଟିଏ ସିରିଜ୍ ଡ୍ର’ ରହିଥିଲା।

