fbpx

ବିଫଳ ହେଲା ଗଜରାଜ ଉଦ୍ଧାର ଅପରେସନ୍, ସାତବାଟିଆରେ ଠାବ ହେଲା ହାତୀ ମୃତଦେହ

ସାଲେପୁର, (ଭାସ୍କର ନ୍ୟୁଜ୍‌): ମହାନଦୀରୁ ଗଜରାଜ ଉଦ୍ଧାର ଅପରେସନ୍ ବିଫଳ ହୋଇଛି। ରବିବାର ଦିନ ସାଲେପୁର ଅଞ୍ଚଳରେ ଥିବା ସାତବାଟିଆସ୍ଥିତ ମହାନଦୀରୁ  ଏକ ଦନ୍ତାହାତୀର ମୃତଦେହ ଠାବ କରାଯାଇଛି । ଏହି ଦନ୍ତାହାତୀଟି ଗତ ଶୁକ୍ରବାର ମୁଣ୍ଡଳି ବ୍ୟାରେଜ୍‌ରେ ଫସି ଭାସିଯାଇଥିଲା। ଯାଏ ମୁଣ୍ଡଳିଠୁ ପ୍ରାୟ ୩୦ କିମି ଦୂରରେ ସାତବାଟିଆସ ଅଞ୍ଚଳରେ ମହାନଦୀର ଏକ ଢିପରେ ଲାଗିଛି । ମାତ୍ର ମୃତ ହାତୀଦେହକୁ ନଦୀ ପାଣିରୁ ଉଦ୍ଧାର କରାଯାଇପାରି ନାହିଁ । ହାତୀର ମୃତଦେହ ଅପରାହ୍ନରୁ ଠାବ ହୋଇଥିଲେ ବନ ବିଭାଗ ଅଧିକାରୀମାନେ ତାହାକୁ ଉଦ୍ଧାର କରିପାରି ନାହାନ୍ତି । ଫଳରେ ମୃତ ହାତୀଟି ଏବେ ବି ପାଣିରେ ବୁଡ଼ି ରହିଛି । ସାତବାଟିଆ ପଠାରେ ଡଙ୍ଗା ଓ ଖୁଣ୍ଟ ସହ ଦଉଡି ବାନ୍ଧି ହାତୀର ମୃତଦେହକୁ ଅଟକାଯାଇଛି । ନଦୀରେ ହାତୀର ମୃତଦେହ ଥିବାବେଳେ ନଦୀ କୂଳରେ ବନ ବିଭାଗ କର୍ମଚାରୀମାନେ ଜଗି ବସିଛନ୍ତି । ତେବେ ମହାନଦୀରେ ଫସିଥିବା ଗଜରାଜ ଉଦ୍ଧାର କରିବାକୁ ଯାଇ ଗତ ଶୁକ୍ରବାର ଓଡ଼୍ରାଫ୍‌ ଟିମ୍‌ର ବୋଟ୍‌ ବୁଡ଼ିଯିବା ଫଳରେ ଜଣେ ଓଡ୍ରାଫ୍‌ ଯବାନ ସହିଦ ହୋଇଥିବା ବେଳେ ଓଟିଭିର ଚିଫ୍‌ ରିପୋର୍ଟର ଅରିନ୍ଦମ୍‌ ଦାସଙ୍କ ଅକାଳ ବିୟୋଗ ଘଟିଥିଲା ।

ସୂଚନା ମୁତାବିକ, ରବିବାର ସକାଳେ ଯୋବ୍ରା ଆନିକଟର ୨୪ ନମ୍ବର ଗେଟ୍‌ରେ ହାତୀର ମୃତଦେହ ଲାଗିଥିବା ସ୍ଥାନୀୟ ଅଞ୍ଚଳର କିଛି ମାଛ ଧରାଳି ଦେଖିବାକୁ ପାଇଥିଲେ । ବାହାରକୁ ସ୍ପଷ୍ଟ ଭାବେ ଜଣାପଡୁ ନଥିଲେ ମଧ୍ୟ ହାତୀର ମୃତଦେହ ଲାଗିଥିବା ସମ୍ପର୍କରେ ଆନିକଟ ନିକଟରେ ମାଛ ଧରାଳି ହିଁ ଜାଣି ପ୍ରଥମେ ପୁଲିସ୍‌କୁ ଖବର ଦେଇଥିଲେ । ପୁଲିସ୍‌ ଜାଣିବା ପରେ ବନ ବିଭାଗ ଅଧିକାରୀଙ୍କୁ ଅବଗତ କରାଇଥିଲା । ଖବର ପାଇ ବନ ସଂରକ୍ଷଣ ମୁଖ୍ୟ ଅଧିକାରୀ ଶଶି ପଲ୍‌ଙ୍କ ସମେତ ବିଭାଗୀୟ ଅନ୍ୟ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଘଟଣାସ୍ଥଳରେ ବନ ବିଭାଗ ଅଧିକାରୀ ଯୋବ୍ରା ବ୍ୟାରେଜ୍‌ ଯନ୍ତ୍ରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ମଧ୍ୟରେ ଅକାତ ପାଣିରେ ବୁଡି ରହିଥିବା ମୃତ ହାତୀର ଗୋଟିଏ ଗୋଡ଼ ଲୁହା ଗେଟ୍‌ ଫାଟକରେ ଚାପି ହୋଇରହିଥିବା ଜଣାପଡିଥିଲା । ଏପରି ଜଟିଳ ସ୍ଥିତିରେ ଏଠାରୁ କ୍ରେନ୍‌ ଯୋଗେ କିମ୍ବା ଅନ୍ୟ କୌଣସି ଉପାୟରେ ଉଦ୍ଧାର କରିବା ସମ୍ଭବ ନଥିବାରୁ ଏବଂ ଅନ୍ୟାନ୍ୟ ଅସୁବିଧା ସୃଷ୍ଟି ହେବା ଆଶଙ୍କା ଥିବାରୁ ବ୍ୟାରେଜ୍‌ ଯନ୍ତ୍ରୀଙ୍କ ପକ୍ଷରୁ ଅପରାହ୍ନ ପ୍ରାୟ ସାଢେ ଗୋଟାଏ ସମୟରେ ଗେଟ୍‌କୁ ଟେକା ଯାଇଥିଲା । ନଦୀରେ ସ୍ରୋତକୁ ଅନୁଧ୍ୟାନ କରି ହାତୀର ମୃତଦେହ ପ୍ରାୟ ୩ କି.ମି ଦୂରରେ ଲାଗିବ ବୋଲି ଅନୁମାନ କରି ବନ ବିଭାଗ ଅଧିକାରୀ ପାଖାପାଖି ଅଞ୍ଚଳରେ ଜଗି ରହିଥିଲେ । ମାତ୍ର ଏହି ଆକଳନ ଭୁଲ୍‌ ହୋଇଥିଲା । ହାତୀଟି ବ୍ୟାରେଜ୍‌ଠାରୁ ପ୍ରାୟ ୮ କି.ମି ଦୂର ପଶ୍ଚମକଛ ସାତବାଟିଆସ୍ଥିତ ମହାନଦୀ ପଠାରେ ଅପରାହ୍ନ ୪ଟା ସମୟରେ ଅଟକିଯାଇଥିଲା ।

Get real time updates directly on you device, subscribe now.