fbpx

୪୦ ଟପିବା ପରେ ଶରୀରକୁ ମାଡ଼ିଆସେ ରୋଗସବୁ, ଜାଣନ୍ତୁ କିପରି ନେବେ ଯତ୍ନ

ଶରୀର ଅଛି ତ ରୋଗ ନିଶ୍ଚୟ ଅଛି । ମଣିଷ ଶରୀର ସହିତ ରୋଗ ଓତଃପ୍ରୋତ ଭାବେ ଜଡ଼ିତ । ଶରୀର ଯତ୍ନରେ ସାମାନ୍ୟ ଅବହେଳା, ଖାଦ୍ୟପେୟରେ ଅନିୟମିତତା ଆଦି କାରଣ ପାଇଁ ଆମ ଶରୀରକୁ ବିଭିନ୍ନ ପ୍ରକାର ରୋଗ ଆକ୍ରମଣ କରିଥାଏ । ବିଶେଷ କରି ୪୦ ବର୍ଷ ବୟସ ଅତିକ୍ରମ କଲା ପରେ ପ୍ରତ୍ୟେକ ଲୋକଙ୍କୁ ବିଭିନ୍ନ ପ୍ରକାର ରୋଗ ଆକ୍ରମଣ କରିଥାଏ । କାରଣ ଏହି ସମୟରେ ଆମର ରୋଗପ୍ରତିରୋଧକ ଶକ୍ତି ଧୀରେଧୀରେ ହ୍ରାସ ପାଇବା ସହ ପ୍ରତ୍ୟେକ ଅଙ୍ଗପ୍ରତ୍ୟଙ୍ଗ ଦୁର୍ବଳ ହେବାରେ ଲାଗେ । ଏହି ସମୟରେ ଶରୀରରେ କିଛି ପରିବର୍ତ୍ତନ ହୋଇଥାଏ । ପରିବାର, ଚାକିରି, ଛୁଆପିଲାଙ୍କ କଥା ବୁଝିବାକୁ ଯାଇ ଅନେକ ବ୍ୟକ୍ତି ନିଜ ସ୍ୱାସ୍ଥ୍ୟ ପ୍ରତି ଅବହେଳା କରିଥାନ୍ତି । ତେବେ ଏହାକୁ ଠିକ ଭାବରେ ଧ୍ୟାନ ଦେଲେ ଆପଣ ୪୦ ବର୍ଷ ବୟସରେ ମଧ୍ୟ ଫିଟ ରହିବା ସହ ରୋଗକୁ ଏଡ଼ାଇ ଦେଇ ପାରିବେ । ତେବେ ୪୦ ବର୍ଷ ପରେ ଜଣକୁ କେଉଁ କେଉଁ ଦିଗ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ, ଆସନ୍ତୁ ସେ ବିଷୟରେ ଆଲୋଚନା କରିବା ।

୧- ସାଧାରଣତଃ ୪୦ ବର୍ଷ ହୋଇଗଲେ ଶରୀରରେ କ୍ୟାଲସିୟମର ମାତ୍ରା କମିବାରେ ଲାଗିଥାଏ । ବିଶେଷ କରି ଗର୍ଭଧାରଣ ହେତୁ ମହିଳାମାନଙ୍କ ଠାରେ ଏହି ସମସ୍ୟା ବେଶୀ ଦେଖାଦେଇଥାଏ । ତେଣୁ କ୍ୟାଲସିୟମ ଯୁକ୍ତ ଖାଦ୍ୟ ନିୟମିତ ଭୋଜନରେ ସାମିଲ କରିବା ଉଚିତ ।

୨- ଏହି ବୟସରେ ଶରୀରରେ ହରମୋନର ପରିବର୍ତ୍ତନ ଘଟିବା ଦ୍ୱାରା ଚର୍ମର ଗଠନରେ ପରିବର୍ତ୍ତନ ହୁଏ । ତେଣୁ ଚର୍ମ ଶୁଷ୍କ ହୋଇଥାଏ । ସେଥିପାଇଁ ଚର୍ମରେ ତେଲ ମାଲିସ ସହ ଡାକ୍ତରଙ୍କ ସହ ପରାମର୍ଶ କରି କ୍ରିମର ପ୍ରୟୋଗ କରିବା ଉଚିତ ।

୩- ଏହି ବୟସରେ ଶରୀରର ମାଂଶପେଶୀ ଦୁର୍ବଳ ହେବା କାରଣରୁ ଏହା ଶରୀରର ଶକ୍ତି ଉପରେ ପ୍ରଭାବ ପକାଇଥାଏ । ଏହାର ପ୍ରଭାବରେ ସାମାନ୍ୟ ପରିଶ୍ରମରେ ଆମକୁ ଦୁର୍ବଳ ଲାଗେ । ତେଣୁ ନିୟମିତ ବ୍ୟାୟାମ କରିବା ଦରକାର ।

୪- ଚାଳିଶ ପରେ ଭିଟାମିନ ବି-୧୨ର ମାତ୍ରା ଶରୀରରେ ହ୍ରାସ ପାଇଥାଏ । ତେଣୁ ଏହି କାରଣରୁ ଡିପ୍ରେସନ, କେଶ ଝଡ଼ା ଆଦି ସମସ୍ୟା ଦେଖାଦେଇଥାଏ । ତେଣୁ ଅଣ୍ଡା ଓ ଦୁଗ୍ଧଜାତୀୟ ପଦାର୍ଥ ସେବନ କରି ଭିଟାମିନ-ବିର ଭରଣା କରିବା ଉଚିତ୍ ।

୫- ଧୀରେ ଧୀରେ ବୟସ ବୃଦ୍ଧି ହେବା ସହିତ ଆପଣଙ୍କର ଦୃଷ୍ଟିଶକ୍ତି ପ୍ରଭାବିତ ହୋଇଥାଏ । ତେଣୁ ଆଖିକୁ ନିୟମିତ ବ୍ୟବଧାନରେ ଡାକ୍ତରଙ୍କ ପାଖକୁ ଯାଇ ଚେକଅପ୍ କରିବା ଦରକାର । ଦରକାର ପଡ଼ିଲେ ଗ୍ଲାସ୍ ବ୍ୟବହାର କରନ୍ତୁ ।

Get real time updates directly on you device, subscribe now.