fbpx

ଗୋଷ୍ଠୀସ୍ତରରେ ପହଞ୍ଚିବ ସରକାରଙ୍କ ସ୍ୱାସ୍ଥ୍ୟ ସେବା, ଏହାକୁ ପହଞ୍ଚାଇବାରେ ମୁଖ୍ୟ ଭୂମିକା ପାଳନ କରିବେ କର୍ପୋରେଟର

ଭୁବନେଶ୍ୱର:ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରମୁଖ ଓ ଜନହିତକାରୀ ଯୋଜନା ସଂପର୍କିତ ଦିନିକିଆ ସଚେତନତା କାର୍ଯ୍ୟକ୍ରମ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) କାର୍ଯ୍ୟାଳୟ ପରିସରସ୍ଥିତ ଏକାମ୍ର ହଲରେ ଅନୁଷ୍ଠିତ ହୋଇଯାଇଛି । ମେୟର ସୁଲୋଚନା ଦାସ ଓ କମିଶନର ବିଜୟ ଅମୃତ କୁଲାଙ୍ଗେଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମରେ ବିଏମ୍ସିର ପ୍ରତିନିଧି ଏବଂ ଜାତୀୟ ସହରାଂଚଳ ସ୍ୱାସ୍ଥ୍ୟ ମିଶନ କାର୍ଯ୍ୟକ୍ରମର ଅଧିକାରୀମାନେ ଯୋଗଦେଇଥିଲେ ।

ବିଶେଷକରି ସହରାଂଚଳ ସ୍ୱାସ୍ଥ୍ୟ ମିଶନ କାର୍ଯ୍ୟକ୍ରମ ବାବଦରେ ବିଏମ୍ସିର କର୍ପୋରେଟର, ଅଧିକାରୀ ଏବଂ ଆଇସିଡିଏସ୍ ର ଅଧିକାରୀମାନଙ୍କୁ ସୂଚନା ଦେବା ନିମନ୍ତେ ଏହି କାର୍ଯ୍ୟକ୍ରମ କରାଯାଇଥିଲା। ଗୋଷ୍ଠୀ ସ୍ତରରେ ସରକାରଙ୍କ ସ୍ୱାସ୍ଥ୍ୟ ସେବାର ସଂପୂର୍ଣ୍ଣ ଉପଯୋଗ ନିମନ୍ତେ କିପରି କର୍ପୋରେଟରମାନେ ସହଯୋଗ କରିପାରିବେ, ସେ ବାବଦରେ ଆଲୋଚନା କରାଯାଇଥିଲା । ଉଦ୍ଦିଷ୍ଠ ସ୍ୱାସ୍ଥ୍ୟ କର୍ମୀ କିପରି ଗୋଷ୍ଠୀ ପାଖକୁ ଯାଇ ସେବା ପହଞ୍ଚାଇ ପାରିବେ ଏବଂ ଆବଶ୍ୟକ ସମୟରେ ଗୋଷ୍ଠୀ ସହଭାଗିତା ଲୋଡିବେ, ତାହା ଆଲୋଚନା କରାଯାଇଥିଲା ।

ମହାନଗର ନିଗମାଂଚଳରେ କାର୍ଯ୍ୟ କରୁଥିବା କ୍ଷେତ୍ରସ୍ତରୀୟ ସ୍ୱାସ୍ଥ୍ୟ କର୍ମୀ ସ୍ୱାସ୍ଥ୍ୟସେବାକୁ ଗୋଷ୍ଠୀରେ ପହଂଚାଇବା ପାଇଁ ସ୍ଥାନୀୟ କର୍ପୋରେଟର ଏବଂ ସମାଜସେବୀଙ୍କ ସହିତ ଆଲୋଚନା କରିପାରିଲେ ଏହାର ସୁଫଳ ଅଧିକ ଭାବେ ମିଳିବ ବୋଲି ଶ୍ରୀମତୀ ଦାସ ସୂଚନା ଦେଇଥିଲେ । ଏହା ସାଙ୍ଗକୁ ବିଏମ୍ସି ଅଂଚଳରେ କିପରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସଂପୂର୍ଣ୍ଣ ଉପଯୋଗ ହୋଇପାରିବ ସେ ବାବଦରେ ନାଗରିକମାନଙ୍କୁ ସ୍ୱାସ୍ଥ୍ୟ ବିଭାଗୀୟ କର୍ମୀମାନେ ସହଯୋଗ କରୁନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି । ନାଗରିକମାନେ ସ୍ୱାସ୍ଥ୍ୟ ଶିକ୍ଷା ପାଇପାରିଲେ ସ୍ୱାସ୍ଥ୍ୟ ସେବାର ଉପଯୋଗୀତା ଅଧିକ ବଢିପାରିବ ବୋଲି ସେ କହିଛନ୍ତି ।

ବିଏମ୍ସିର ବରିଷ୍ଠ ଅଧିକାରୀ ଅତିରିକ୍ତ କମିଶନର ଲକ୍ଷ୍ମୀନାରାୟଣ ସେଠୀ, ଅତିରିକ୍ତ କମିଶନର ସୂର୍ଯ୍ୟବଂଶୀ ମୟୂର ବିକାଶ, ସ୍ୱାସ୍ଥ୍ୟ ଓ ପରିମଳ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ବିରଂଚି ନାରାୟଣ ମହାସୂପକାରଙ୍କ ଉପସ୍ଥିତିରେ ବିଏମ୍ସି ଅଂଚଳରେ ଥିବା ସମସ୍ତ ଅର୍ବାନ ହେଲ୍ଥ ସେଂଟରର ସେବା ଏବଂ ନୂଆକରି ଖୋଲା ଯାଉଥିବା ହେଲ୍ଥ ଆଣ୍ଡ ୱେଲନେସ ସେଂଟର କିପରି ଭାବେ ନାଗରିକମାନଙ୍କ ହିତରେ ଆସିଛି ସେ ବାବଦରେ ଅତିରିକ୍ତ ସହରାଂଚଳ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅନ୍ତର୍ଯ୍ୟାମୀ ମିଶ୍ର ଆଲୋକପାତ କରିଥିଲେ ।

ଜାତୀୟ ସ୍ୱାସ୍ଥ୍ୟ ମିଶନରେ ଗୋଷ୍ଠୀ ସହଭାଗୀତା, ସଂକ୍ରାମକ ଏବଂ ଅଣ-ସଂକ୍ରାମକ ରୋଗ ସମୂହର ପ୍ରତିରୋଧ ଓ ନିୟନ୍ତଣ, ସୁସ୍ଥ ଜୀବନଶୈଳୀକୁ ପ୍ରୋତ୍ସାହନ, ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ କରିବା, ମହିଳା ଓ ଶିଶୁ ସ୍ୱାସ୍ଥ୍ୟ ଟିକାକରଣ, ଜଳ ପରିମଳ, ପୁଷ୍ଟି ସାଧନ, ଜନସଂଖ୍ୟା ସ୍ଥିରୀକରଣ, ଲିଙ୍ଗଗତ ସମାନତା, ଆୟୁଷ କାର୍ଯ୍ୟକ୍ରମକୁ ପ୍ରୋତ୍ସାହନ ଇତ୍ୟାଦିକୁ ନେଇ ୨୦୧୪ ମସିହାରୁ କିପରି ଓଡିଶାର ସହରାଂଚଳରେ ଏହା ଆଗେଇ ଚାଲିଛି ଏବଂ ଭୁବନେଶ୍ୱରର ବିଭିନ୍ନ ଅଂଚଳରେ ଏହାର ସ୍ଥିତି ବାବଦରେ ଆଲୋଚନା କରାଯାଇଥିଲା ।

ସହରାଂଚଳର ମୁଖ୍ୟ ସ୍ୱାସ୍ଥ୍ୟ ସମସ୍ୟା ଯାହାକି ଡେଙ୍ଗୁପରି ଡିଆଁରୋଗ ବଢିବା, ଟିବି ଏବଂ ଜୀବନଶୈଳି ଜନିତ ରୋଗ ଯଥା ରକ୍ତଚାପ, ମଧୁମେହ, ମାନସିକ ରୋଗ ଇତ୍ୟାଦିର ନିୟନ୍ତ୍ରଣ ଏବଂ ଚିକିତ୍ସା ପାଇଁ ସଚେତନତା ସୃଷ୍ଟି କରିବା ଏବଂ ଏଥିପାଇଁ ଗୋଷ୍ଠୀ ନେତୃବୃନ୍ଦ ଯାହାକି କର୍ପୋରେଟରମାନଙ୍କ ସହଯୋଗ ବାବଦରେ ଆଲୋଚନା କରାଯାଇଥିଲା । ଅନ୍ୟାନ୍ୟ ସେବା ମଧ୍ୟରେ ବିନା ମୂଲ୍ୟରେ ଔଷଧ ବିତରଣ ଏବଂ ରୋଗ ନିରୂପଣ, ଆମ୍ବୁଲାନ୍ସ ସେବା, ରକ୍ତଦାନ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ଓଡିଶା ରାଜ୍ୟ ଚିକିତ୍ସା ପାଣ୍ଠି, ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି, ଜନନୀ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ, ରାଷ୍ଟ୍ରୀୟ ବାଲ୍ ସୁରକ୍ଷା କାର୍ଯ୍ୟକ୍ରମ ଇତ୍ୟାଦି ବାବଦରେ ଆଲୋଚନା କରାଯାଇ ଏଥିରେ ମହିଳା ଆରୋଗ୍ୟ ସମିତିର ସହଯୋଗୀତା ବାବଦରେ ବୁଝାଯାଇଥିଲା ।

Get real time updates directly on you device, subscribe now.