ଭାରତୀୟ ବୈଜ୍ଞାନିକଙ୍କ ବଡ଼ ସଫଳତା, ପ୍ରଥମ ଥର ପାଇଁ IVF ଜରିଆରେ ଜନ୍ମ ହେଲା ବାଛୁରୀ
OPU-IVF ପ୍ରଯୁକ୍ତିରେ ଜନ୍ମ ନେଲା ଉତ୍ତରାଖଣ୍ଡର ଦେଶୀ ‘ବଦ୍ରୀ’ ଗାଈର ସୁସ୍ଥ ବାଛୁରୀ
ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡର ଦେଶୀ ‘ବଦ୍ରୀ’ ଗାଈ ପ୍ରଜାତିର ଜେନେଟିକ୍ ସମ୍ପଦ ସଂରକ୍ଷଣ ଏବଂ ଏହାର ଉନ୍ନତି କ୍ଷେତ୍ରରେ ବୈଜ୍ଞାନିକମାନେ ଏକ ବଡ଼ ସଫଳତା ହାସଲ କରିଛନ୍ତି। ଆଧୁନିକ ଓଭମ୍ ପିକ୍-ଅପ୍ ଏବଂ ଇନ୍-ଭିଟ୍ରୋ ଫର୍ଟିଲାଇଜେସନ୍ (OPU-IVF) ପ୍ରଯୁକ୍ତି ମାଧ୍ୟମରେ ଏକ ସୁସ୍ଥ ବଦ୍ରୀ ବାଛୁରୀ ଜନ୍ମ ନେଇଛି।
ବଦ୍ରୀ ଭ୍ରୂଣକୁ ‘ଏକାଡେମିକ୍ ଡେୟରୀ ଫାର୍ମ’ରେ ସାହିୱାଲ୍ ପ୍ରଜାତିର ଏକ ଗାଈ ଶରୀରରେ ସ୍ଥାନାନ୍ତର କରାଯାଇଥିଲା। ଏହାପରେ ୧୧ ସେପ୍ଟେମ୍ବର ୨୦୨୬ରେ ବାଛୁରୀଟି ଜନ୍ମ ନେଇଛି।
ବଦ୍ରୀ ଗାଈର ଜେନେଟିକ୍ ସମ୍ପଦ ସଂରକ୍ଷଣରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ: ବଦ୍ରୀ ଗାଈକୁ ଉତ୍ତରାଖଣ୍ଡର ଏକ ମୂଲ୍ୟବାନ ଦେଶୀ ପଶୁ ଜେନେଟିକ୍ ସମ୍ପଦ ଭାବେ ଗଣାଯାଏ। ଏହାର ରାଜ୍ୟ ପଶୁ ଭାବେ ମଧ୍ୟ ବିଶେଷ ଗୁରୁତ୍ୱ ରହିଛି। ତେଣୁ ଏହି ପ୍ରଜାତିର ଉତ୍କୃଷ୍ଟ ଜେନେଟିକ୍ ଗୁଣକୁ ସଂରକ୍ଷଣ କରି ଏହାର ସଂଖ୍ୟା ବୃଦ୍ଧି କରିବା ଏହି ପ୍ରକଳ୍ପର ମୁଖ୍ୟ ଲକ୍ଷ୍ୟ।
ଏହି ସଫଳତା ICAR-ନ୍ୟାସନାଲ୍ ଡେୟରୀ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍ (NDRI), କର୍ଣ୍ଣାଲ୍ ଏବଂ ଜି.ବି. ପନ୍ତ ୟୁନିଭର୍ସିଟି ଅଫ୍ ଏଗ୍ରିକଲଚର୍ ଆଣ୍ଡ ଟେକ୍ନୋଲୋଜି, ପନ୍ତନଗରର ମିଳିତ ଗବେଷଣାର ଫଳ। ଏହି ପ୍ରକଳ୍ପକୁ ହାଲଦ୍ୱାନୀସ୍ଥିତ ଉତ୍ତରାଖଣ୍ଡ ବାୟୋଟେକ୍ନୋଲୋଜି କାଉନସିଲ୍ ପକ୍ଷରୁ ଆର୍ଥିକ ସହାୟତା ମିଳିଛି।
୨୦୨୩ରୁ ଚାଲିଥିଲା ଗବେଷଣା: ଏହି ଗବେଷଣା କାର୍ଯ୍ୟକ୍ରମ ୨୦୨୩ରେ ଜି.ବି. ପନ୍ତ ୟୁନିଭର୍ସିଟିର ପୂର୍ବତନ କୁଳପତି ଡା. ଏମ୍.ଏସ୍. ଚୌହାନଙ୍କ ପଦକ୍ଷେପରେ ଆରମ୍ଭ ହୋଇଥିଲା। ସେବେଠାରୁ ଉଭୟ ପ୍ରତିଷ୍ଠାନର ବୈଜ୍ଞାନିକମାନେ ବଦ୍ରୀ ଗାଈରୁ ଅଣ୍ଡାକୋଷ ସଂଗ୍ରହ, ପରୀକ୍ଷାଗାରରେ ନିଷେଚନ, ଭ୍ରୂଣ ବିକାଶ ଏବଂ ଭ୍ରୂଣ ସ୍ଥାନାନ୍ତରଣ ଭଳି ବିଭିନ୍ନ ପ୍ରଯୁକ୍ତି ଉପରେ ଗବେଷଣା କରୁଥିଲେ।
ପ୍ରାୟ ତିନି ବର୍ଷର ଏହି ଗବେଷଣା ପରେ ବୈଜ୍ଞାନିକମାନେ ବଦ୍ରୀ ପ୍ରଜାତିର ଏକ ସୁସ୍ଥ ବାଛୁରୀ ଜନ୍ମ କରାଇବାରେ ସଫଳ ହୋଇଛନ୍ତି।
କିପରି କାମ କରେ OPU-IVF ପ୍ରଯୁକ୍ତି: OPU-IVF ପ୍ରକ୍ରିୟାରେ ଜେନେଟିକ୍ ଭାବେ ମୂଲ୍ୟବାନ ବଦ୍ରୀ ଗାଈମାନଙ୍କଠାରୁ ଅଲ୍ଟ୍ରାସାଉଣ୍ଡ୍ ଗାଇଡେଡ୍ ଓଭମ୍ ପିକ୍-ଅପ୍ ମାଧ୍ୟମରେ ଓସାଇଟ୍ ବା ଅଣ୍ଡକୋଷ ସଂଗ୍ରହ କରାଯାଏ।
ଏହି ଅଣ୍ଡକୋଷଗୁଡ଼ିକୁ ପରୀକ୍ଷାଗାରରେ ଏକ ଉତ୍କୃଷ୍ଟ ବଦ୍ରୀ ଷଣ୍ଢର ବୀର୍ଯ୍ୟ ବ୍ୟବହାର କରି ପରିପକ୍ୱ ଏବଂ ନିଷେଚିତ କରାଯାଏ। ଏଥିରୁ ବିକଶିତ ଭ୍ରୂଣକୁ ପରେ ହର୍ମୋନାଲ୍ ଭାବେ ସମନ୍ୱିତ ଗାଈମାନଙ୍କ ଗର୍ଭାଶୟରେ ସ୍ଥାନାନ୍ତର କରାଯାଏ।
ICAR-NDRIର ନିର୍ଦ୍ଦେଶକ ଡା. ଧୀର ସିଂହଙ୍କ ଅନୁସାରେ, OPU-IVF ପ୍ରଯୁକ୍ତି ଜେନେଟିକ୍ ଭାବେ ଉତ୍କୃଷ୍ଟ ପଶୁଙ୍କ ସଂଖ୍ୟା ବଢ଼ାଇବା ସହିତ ସୁସଂଗଠିତ ସଂରକ୍ଷଣ ଏବଂ ପ୍ରଜାତି ଉନ୍ନତି କାର୍ଯ୍ୟକ୍ରମକୁ ଆହୁରି ମଜବୁତ କରିପାରିବ।
କ୍ଲୋନିଂ ଉପରେ ମଧ୍ୟ ଚାଲିଛି ଗବେଷଣା: ବୈଜ୍ଞାନିକମାନେ ଏବେ କ୍ଲୋନିଂ ପ୍ରଯୁକ୍ତି ଉପରେ ମଧ୍ୟ ଗବେଷଣା ଜାରି ରଖିଛନ୍ତି। ଏହି ପ୍ରକଳ୍ପ ସମୟରେ ବୈଜ୍ଞାନିକମାନେ କ୍ଲୋନ୍ କରାଯାଇଥିବା ବଦ୍ରୀ ଭ୍ରୂଣ ମଧ୍ୟ ପ୍ରସ୍ତୁତ କରିଛନ୍ତି।
ଆସନ୍ତା କିଛି ଦିନ ମଧ୍ୟରେ ଆଉ ଏକ ଗାଈ ବଦ୍ରୀ ବାଛୁର ଜନ୍ମ ଦେବାର ଆଶା ରହିଛି। ଗବେଷକମାନେ OPU-IVF ଏବଂ କ୍ଲୋନିଂ ମାଧ୍ୟମରେ ପ୍ରସ୍ତୁତ ଭ୍ରୂଣଗୁଡ଼ିକୁ ଉପଯୁକ୍ତ ବଦ୍ରୀ, ସାହିୱାଲ୍ ଏବଂ କ୍ରସ୍ବ୍ରିଡ୍ ଗାଈମାନଙ୍କ ଗର୍ଭାଶୟରେ ସ୍ଥାନାନ୍ତର କରିବାର ଯୋଜନା କରୁଛନ୍ତି।
ଏହି ପ୍ରଯୁକ୍ତିର ସଫଳ ବ୍ୟବହାର ଉତ୍ତରାଖଣ୍ଡରେ ଉତ୍କୃଷ୍ଟ ବଦ୍ରୀ ଜର୍ମପ୍ଲାଜମ୍ର ସଂରକ୍ଷଣ ସହିତ ଏହି ଦେଶୀ ପ୍ରଜାତିର ସଂଖ୍ୟା ବୃଦ୍ଧିକୁ ମଧ୍ୟ ଦ୍ରୁତ କରିପାରେ।

