fbpx

ସୋମବାରକୁ ଘୁଞ୍ଚିଲା ଜ୍ଞାନବାପୀ ଶୁଣାଣି, ମୁସଲିମ ପକ୍ଷଙ୍କ ଦାବି- ଶିବଲିଙ୍ଗ ମିଳିବା କଥା ଗୁଜବ

ନୂଆଦିଲ୍ଲୀ: ଜ୍ଞାନବାପୀ ଏବଂ ଶୃଙ୍ଗାର ଗୌରୀ ମାମଲାରେ ଗୁରୁବାର ଅପରାହ୍ନରେ ଜିଲ୍ଲା ଜଜ ଅଜୟ କୁମାର ବିଶ୍ଵେଶଙ୍କ ଅଦାଲତରେ ଶୁଣାଣି ହୋଇଛି। ଅଦାଲତ ସର୍ବ ପ୍ରଥମେ ମୁସଲିମ ପକ୍ଷଙ୍କ ଦାବି ଆଧାରରେ କେସର ବୈଧତା ଉପରେ ଶୁଣାଣି କରିବା ସହ ଯୁକ୍ତି ମଧ୍ୟ ଶୁଣିଛନ୍ତି। ଅଦାଲତରେ ମୁସଲିମ ପକ୍ଷ ଶିବଲିଙ୍ଗ ମିଳିବା କଥାକୁ ଗୁଜବ ବୋଲି କହିଛନ୍ତି।

ମୁସଲିମ ପକ୍ଷ ଉପାସନାସ୍ଥଳ ଅଧିନିୟମ ୧୯୯୧ର ଉଲ୍ଲଂଘନ ହୋଇଥିବା ଦର୍ଶାଇ ଜ୍ଞାନବାପୀକୁ ନେଇ ଦାଖଲ ଆବେଦନକୁ ଖାରଜ କରିବାକୁ ଦାବି କରିଛନ୍ତି। ସଂପ୍ରତି ଉଭୟ ପକ୍ଷଙ୍କ ବିତର୍କ ଶୁଣିବା ପରେ ଅଦାଲତ ସୋମବାର ପର‌୍ୟ୍ୟନ୍ତ ଶୁଣାଣି ଘୁଞ୍ଚାଇଛନ୍ତି।

ମୁସଲିମ ପକ୍ଷ ଅଦାଲତରେ ନିଜର ଯୁକ୍ତି ବାଢି କହିଛନ୍ତି, ଶିବଲିଙ୍ଗ ମିଳିଥିବା କଥା ଗୁଜବ ଅଟେ। ଏହା ଜରିଆରେ ଲୋକଙ୍କ ଭାବନାକୁ ଉସୁକା ଯାଉଛି। ମୁସଲିମ ପକ୍ଷଙ୍କ ଓକିଲ ଅଭୟ ଯାଦବ କହିଛନ୍ତି, ସମଜିଦରେ ଶିବଲିଙ୍ଗ ମିଳିବା କଥା କହି ଲୋକଙ୍କ ଭାବନାକୁ ଉସୁକାଇବାକୁ ଚେଷ୍ଟା କରାଯାଉଛି। ୧୯୯୧ର ପ୍ଲେସେଜ ଅଫ ଓ୍ଵାର୍ଶିପ ଆକ୍ଟ ଅନୁସାରେ ଏହି କେସ ଶୁଣାଣି ଯୋଗ୍ୟ ନୁହେଁ ବୋଲି ମୁସଲିମ ପକ୍ଷଙ୍କ ଓକିଲ କହିଛନ୍ତି।

ମୁସଲିମ ପକ୍ଷ କହିଛନ୍ତି, ଏହି ଆକ୍ଟ ଅନୁଯାୟୀ ୧୯୪୭ ପର‌୍ୟ୍ୟନ୍ତ କୌଣସି ଧାର୍ମିକ ସ୍ଥଳ ଯେମିତି ସ୍ଥିତିରେ ଥିଲା ସେଥିରେ ପରିବର୍ତ୍ତନ କରାଯାଇ ପାରିବ ନାହିଁ। ତେଣୁ ଏହି ଆକ୍ଟ ଅନୁସାରେ ଏହି ମାମଲା ଶୁଣାଣି ଯୋଗ୍ୟ ନୁହେଁ। ଏହା ପୂର୍ବରୁ ସୁପ୍ରିମକୋର୍ଟଙ୍କ ଆଦେଶକ୍ରମେ ଜିଲ୍ଲା ଜଜ ଅଜୟ କୁମାର ବିଶ୍ଵେଶଙ୍କ ଅଦାଲତରେ ଗତ ସୋମବାର ଶୁଣାଣି ହୋଇଥିଲା।

ପ୍ରାୟ ୪୫ ମିନିଟ୍ ଧରି ହୋଇଥିବା ଶୁଣାଣି ପରେ ଅଦାଲତ ମଙ୍ଗଳବାର ପର‌୍ୟ୍ୟନ୍ତ ମାମଲାକୁ ଘୁଞ୍ଚାଇ ଦେଇଥିଲେ। ମଙ୍ଗଳବାର ଅଦାଲତ ସ୍ଥିର କରିଥିଲେ ଯେ, ପ୍ରଥମେ ମୁସଲିମ ପକ୍ଷଙ୍କ ଦଲିଲ ଶୁଣାଯିବ ଏବଂ ଏହା ସ୍ଥିର କରାଯିବ ଯେ କେସ୍ ଶୁଣାଣିର ଯୋଗ୍ୟ କି ନୁହେଁ। ସୁପ୍ରିମକୋର୍ଟ ମଧ୍ୟ ଏହା ନିର୍ଦ୍ଦେଶ ଦେଇଛନ୍ତି ଯେ, ୭ ନିୟମ ୧୧ ସମ୍ବନ୍ଧିତ ଆବେଦନଗୁଡିକ ସର୍ବପ୍ରଥମେ ଶୁଣାଣି ଯୋଗ୍ୟ କି ନାହିଁ ତା ଉପରେ ପ୍ରାଥମିକତା ଦିଆଯାଉ।

 

Get real time updates directly on you device, subscribe now.