Odisha Weather Report: ରାଜ୍ୟରେ କାଳବୈଶାଖୀର ପ୍ରଭାବ ଶେଷ ହେବା ପରେ ପୁଣିଥରେ ଗ୍ରୀଷ୍ମ ପ୍ରବାହ ଫେରିବାକୁ ଯାଉଛି। ରାଜ୍ୟବାସୀଙ୍କୁ ଆଗାମୀ ଦିନରେ ଅସହ୍ୟ ଗରମ ସହିବାକୁ ପଡ଼ିବ। ବିଶେଷ କରି ପଶ୍ଚିମ ଓଡ଼ିଶାରେ ତାତି ଅଧିକ ରହିବାକୁ ଥିବାବେଳେ ଉପକୂଳବର୍ତ୍ତୀ ଅଞ୍ଚଳରେ ଝାଞ୍ଜି ପବନ ସହ ଗୁଳୁଗୁଳି ଜାରି ରହିବ। ବରିଷ୍ଠ ପାଣିପାଗ ବିଜ୍ଞାନୀ ଶରତ ସାହୁଙ୍କ ପୂର୍ବାନୁମାନ ଅନୁଯାୟୀ, ଆଗାମୀ କିଛି ଦିନ ମଧ୍ୟରେ ଓଡ଼ିଶାରେ ପାରଦ ପୁଣି ଉପରମୁହାଁ ହେବ।
ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ଲହରୀ । ୧୮ ତାରିଖ ପରେ ରାଜ୍ୟର କିଛି ନିର୍ଦ୍ଧିଷ୍ଟ ସ୍ଥାନ ମାନଙ୍କରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି ଜିଲ୍ଲାକୁ ଜାରି ହୋଇଛି ଗ୍ରୀଷ୍ମ ପ୍ରବାହ ବଢ଼ିବା ନେଇ ଆକଳନ କରାଯାଇଛି । ପୂର୍ବ ବର୍ଷ ତୁଳନାରେ ଏବର୍ଷ ଅଧିକ ତାତି ଅନୁଭୂତ ହୋଇପାରେ ।
ରବିବାରଠାରୁ ଓଡ଼ିଶାର କିଛି ନିର୍ଦ୍ଧିଷ୍ଟ ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁପାରେ । ୧୨ ତାରିଖ ପରଠାରୁ ଉପକୂଳ ଓଡ଼ିଶାରେ ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହେବ। ସାମୁଦ୍ରିକ ବାୟୁର ପ୍ରଭାବ କମିବା କାରଣରୁ ଆର୍ଦ୍ରତା ବୃଦ୍ଧି ପାଇବ, ଯାହା ଲୋକଙ୍କୁ ଅଣନିଶ୍ୱାସୀ କରିପାରେ। ଚଳିତ ବର୍ଷ ଏଲ ନିନୋ ପ୍ରଭାବ ଯୋଗୁଁ ମୌସୁମୀ ବାୟୁ ସାମାନ୍ୟ ଦୁର୍ବଳ ରହିପାରେ, ଯାହାଫଳରେ ଗ୍ରୀଷ୍ମ ପ୍ରବାହର ଅବଧି ଅଧିକ ରହିବାର ଆଶଙ୍କା ରହିଛି।
ପାଣିପାଗ ବିଭାଗ ତରଫରୁ ସତର୍କତା : ପାଣିପାଗ ବିଭାଗ ଅନୁଯାୟୀ, ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଜରୁରୀ କାମ ନଥିଲେ ବାହାରକୁ ନବାହାରିବା ଭଲ। ପ୍ରଚୁର ପରିମାଣରେ ପାଣି ପିଇବା ସହ ଖରାରୁ ରକ୍ଷା ପାଇବା ପାଇଁ ଛତା ଓ ଶୁଖିଲା ସୁତା ପୋଷାକ ବ୍ୟବହାର କରିବାକୁ ସେ ପରାମର୍ଶ ଦେଇଛନ୍ତି।
