ଛାତ୍ରଛାତ୍ରୀଙ୍କ ଖୁସି କହିଲେ ନସରେ, ଖରା ଛୁଟି ପରେ ପୁଣି ସ୍କୁଲ ବନ୍ଦ, ଜାଣନ୍ତୁ କାହିଁକି ଓ କେଉଁଠି
ଛାତ୍ରଛାତ୍ରୀଙ୍କ ଖୁସି କହିଲେ ନସରେ, ଖରା ଛୁଟି ପରେ ପୁଣି ସ୍କୁଲ ବନ୍ଦ
School Close: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ପ୍ରବଳ ବର୍ଷା ଯୋଗୁଁ ଆଜି ରାଜ୍ୟର ଦୁଇଟି ପ୍ରମୁଖ ଜିଲ୍ଲା କଟକ ଏବଂ ସୁବର୍ଣ୍ଣପୁରର ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହି ନିର୍ଦ୍ଦେଶ ଅନୁଯାୟୀ, ଉଭୟ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ, କଲେଜ ସମେତ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ମଧ୍ୟ ଆଜି ବନ୍ଦ ରହିବ ।
ସ୍କୁଲରେ ପଶିଲା ପାଣି
ଲଗାଣ ବର୍ଷା ହେତୁ କଟକର ଅନେକ ସ୍କୁଲ ପରିସରରେ ପାଣି ପଶିଯାଇଛି । ଏହାକୁ ଆଖିରେ ରଖି ପିଲାମାନଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ଛୁଟି ଘୋଷଣା କରାଯାଇଛି । ଅନ୍ୟପଟେ, ବର୍ଷା ଯୋଗୁଁ ନଦୀଗୁଡ଼ିକରେ ପ୍ରଖର ସୁଅ ରହୁଥିବାରୁ ପ୍ରଶାସନ ପକ୍ଷରୁ ସାଧାରଣ ଲୋକଙ୍କୁ ନଦୀ ଭିତରକୁ ନଯିବା ପାଇଁ କଡ଼ା ଚେତାବନୀ ଦିଆଯାଇଛି । କଟକର କୌଣସି ନଦୀରେ ଗାଧୋଇବା କିମ୍ବା ମାଛ ଧରିବା ଉପରେ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ସୁରକ୍ଷା ପାଇଁ ସମସ୍ତ ନଦୀ ଘାଟକୁ ବନ୍ଦ କରାଯିବା ସହ ସେଠାରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ସୋନପୁରରେ ମଧ୍ୟ ସ୍କୁଲ ଛୁଟି
ସେହିପରି ସୁବର୍ଣ୍ଣପୁର (ସୋନପୁର) ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ସମସ୍ତ ସରକାରୀ ଓ ଘରୋଇ ସ୍କୁଲ-କଲେଜକୁ ବନ୍ଦ ରଖାଯାଇଛି । ଏହି ନିର୍ଦ୍ଦେଶକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ପାଇଁ କଟକ ମହାନଗର ନିଗମ କମିଶନର, ସମସ୍ତ ବିଡିଓ ଏବଂ ଥାନାର ଆଇଆଇସି ମାନଙ୍କୁ ସତର୍କ ରହିବା ସହ ସ୍ଥିତି ଉପରେ ନଜର ରଖିବାକୁ କୁହାଯାଇଛି ।
ନିର୍ମାଣ କାର୍ଯ୍ୟ ଓ ବାଲିଘାଟ ବନ୍ଦ
ସୁରକ୍ଷା ବ୍ୟବସ୍ଥାକୁ ଅଧିକ ମଜବୁତ କରିବା ପାଇଁ ଜିଲ୍ଲାର ସମସ୍ତ ସରକାରୀ ଏବଂ ଘରୋଇ ନିର୍ମାଣ କାର୍ଯ୍ୟକୁ ଦିନକ ପାଇଁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହିତ ସମସ୍ତ ବାଲିଘାଟରେ ମଧ୍ୟ ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ ଖନନ ଓ ପରିବହନ କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି ପ୍ରଶାସନ ସ୍ପଷ୍ଟ କରିଛି ।
ପ୍ରଶାସନର ଅନୁରୋଧ
ପ୍ରବଳ ବର୍ଷା ଓ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ସାଧାରଣ ଜନତାଙ୍କୁ ଅନାବଶ୍ୟକ ଭାବେ ଘରୁ ବାହାରକୁ ନବାହାରିବା ଏବଂ ପାଣିପାଗ ବିଭାଗ ଦ୍ୱାରା ଜାରି କରାଯାଉଥିବା ସମସ୍ତ ସତର୍କ ସୂଚନାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଅନୁରୋଧ କରାଯାଇଛି ।


