fbpx

ଆସୁଛି ଆଉ ଏକ ଲଘୁଚାପ, ୨୫ରୁ ୨୭ ଯାଏଁ ପ୍ରବଳ ଛେଚିବ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ମିଆଁମାର ଉପକୂଳ ଓ ତତ୍‌ସଂଲଗ୍ନ ମାର୍ଟାବାନ୍‌ ଉପକୂଳ ଅଞ୍ଚଳରେ ସକ୍ରିୟ ରହିଛି । ଏହା ଉତ୍ତର-ପଶ୍ଚିମ, ଉତ୍ତର-ପୂର୍ବ ଦିଗକୁ ଗତି କରିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୨୪ ତାରିଖ ସନ୍ଧ୍ୟାରେ ଉତ୍ତର-ପୂର୍ବ ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ।

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଏହି ଲଘୁଚାପ ପ୍ରଭାବରେ ଆସନ୍ତା ୨୫ତାରିଖରୁ ୨୭ତାରିଖ ପର୍ଯ୍ୟନ୍ତ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂପୁର, କଟକ, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ନୟାଗଡ, ଗଜପତି, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଏହି ସବୁଜିଲ୍ଲାର ଜିଲ୍ଲାପାଳଙ୍କୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଅନ୍ୟପଟେ ପୁଣି ଥରେ ବିପଦ ସଙ୍କେତ ଟପିଛି ବୈତରଣୀ । ଭଦ୍ରକର ଆଖୁଆପଦା ନିକଟ ବୈତରଣୀ ନଦୀର ବିପଦ ସଙ୍କେତ ୧୭.୮୩ ମିଟର ରହିଥିବା ବେଳେ ଗୁରୁବାର ଅପରାହ୍ନ ୪ଟା ସୁଦ୍ଧା ୧୭.୯୪ ମିଟରରେ ଜଳ ପ୍ରବାହିତ ହେଉଛି । ଯାହାକୁ ନେଇ ନଦୀ କୂଳିଆ ଅଞ୍ଚଳବାସୀ ଧାମନଗର ବ୍ଲକର ସୋହଡ଼ା, ପଧାନୀ, ହସନାବାଦ, ଅର୍ଜ୍ଜୁନପୁର ଏବଂ ଧୂଷୁରୀ ବ୍ଲକର ନଦୀଗାଁ ପଞ୍ଚାୟତବାସୀ ବନ୍ୟା ଆଶଙ୍କା କରିବା ସହ ଭୟଭିତ ହୋଇପଡିଛନ୍ତି ।

ପ୍ରକାଶ ଥାଉ କି, ଗତ ବନ୍ୟାରେ ଅଦ୍ୟାବଧି ଏସବୁ ପଞ୍ଚାୟତର ଅଧିକାଂଶ ଅଞ୍ଚଳ ପାଣିଘେରରେ ରହିଥିବା ବେଳେ ଏବେ ପୁଣି ଥରେ ନଦୀର ଜଳ ସ୍ତର ବୃଦ୍ଧିକୁ ନେଇ ବନ୍ୟା ଆଶଙ୍କା କରିଛନ୍ତି ଲୋକେ । ସେହିପରି ଉତ୍ତର ଓଡ଼ିଶାରେ ବନ୍ୟା ପରିସ୍ଥିତି ନେଇ ଜଳସମ୍ପଦ ବିଭାଗ ସତର୍କ ଅଛି । ବନ୍ୟା ଆଶଙ୍କା ଥିବା ସ୍ଥାନରେ ଇଞ୍ଜିନିୟରମାନେ ଘାଇ ଉପରେ ନଜର ରଖିଛନ୍ତି ବୋଲି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ ସାମଲ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ ଜଳକା ଯୋଗୁ ତଳମୁଣ୍ଡରେ ୪ଟି ଘାଇ ହୋଇଛି । ପାଣି କମିଲେ ମରାମତି କାର୍ଯ୍ୟ ଆରମ୍ଭ ହେବ । ସମସ୍ତ ଆବଶ୍ୟକୀୟ ଉପକରଣ ମହଜୁଦ ରହିଛି । ଉପର ମୁଣ୍ଡରେ ବର୍ଷା ଅଳ୍ପ ଅଳ୍ପ ହେଉଛି । ତଥାପି ସେମିତି କିଛି ଅସୁବିଧା ହେବାର ନାହିଁ । ମହନଦୀ ଅବବାହିକାରେ ବତତ୍ତମାନ ସେପରି କିଛି ସମସ୍ୟା ନାହିଁ । ହୀରାକୁଦର ଗେଟ୍‌ଗୁଡ଼ିକ ନିୟମ ମୁତାବକ ଖୋଲା ଯାଉଛି । ଜଳସ୍ତରକୁ ଦେଖି ଇଞ୍ଜିନିୟରମାନେ ଗାଇଡଲାଇନ ମୁତାବକ ଗେଟ୍‌ ଖୋଲୁଛନ୍ତି ବନ୍ଦ କରୁଛନ୍ତି । ହୀରାକୁଦ ସ୍ଥିତି ବର୍ତ୍ତମାନ ଠିକ୍‌ ଅଛି । ଉପର ମୁଣ୍ଡରେ ଏବେ ବର୍ଷା ନାହିଁ, ପୂର୍ବାନୁମାନ ନେଇ ଏତେ ଆଗରୁ କିଛି କହି ହେବ ନାହିଁ । ତଳ ମୁଣ୍ଡରେ ବନ୍ୟାର ଆଶଙ୍କା ନାହିଁ । ହୀରାକୁଦ ପଟୁ ବନ୍ୟାର କୌଣସି ଆଶଙ୍କା ନାହିଁ । ବନ୍ଧ ନିୟନ୍ତ୍ରଣ ଓ ଜଳ ନିଷ୍କାସନ ପାଇଁ ଆମେ ସତର୍କ ଅଛୁ ବୋଲି ଜଳସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି ।

ଚଳିତମାସରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଭଲ ବର୍ଷା ସତ୍ତେ୍ୱ କେନ୍ଦୁଝର, ଦେବଗଡ, ଭଦ୍ରକ, ସୁନ୍ଦରଗଡ, ସମ୍ବଲପୁର ଓ ଝାରସୁଗୁଡାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି । ଏହିସବୁ ଜିଲ୍ଲାରେ ସ୍ୱାଭାବିକ ବର୍ଷାଠାରୁ ୧୯ରୁ ୨୯ପ୍ରତିଶତ କମ୍‌ ବର୍ଷା ହୋଇଥିବା ସୂଚନା ମିଳିଛି । ସମଗ୍ର ରାଜ୍ୟରେ ଜୁନ୍‌ରୁ ଆଜି ପର୍ଯ୍ୟନ୍ତ ହାରାହାରି ୮.୬ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଥିବା ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ସୂଚନାରୁ ଜଣାପଡିଛି ।

Get real time updates directly on you device, subscribe now.