ଗୋଟିଏ ଗଲା; ଆସୁଛି ଆଉ ଏକ ଲଘୁଚାପ! ଏଥର ଘାଣ୍ଟିବ??
ରାଜ୍ୟରେ ୬ ଦିନ ଧରି ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏପରିକି କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ
ଭୁବନେଶ୍ୱର: ଗୋଟିଏ ଗଲା। ଆସୁଛି ଆଉ ଏକ ଲଘୁଚାପ !! ୪୮ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହାର ପ୍ରଭାବରେ ରାଜ୍ୟରେ ୬ ଦିନ ଧରି ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏପରିକି କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ସେଥିପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜରି କରିଛି।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜରି କରିଥିବା ବୁଲେଟିନ୍ ଅନୁସାରେ ଆଗାମୀ ୨୪ ଘଣ୍ଟା ଭିତରେ ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, କେନ୍ଦ୍ରାପଡ଼ା, ଭଦ୍ରକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ଢେଙ୍କାନାଳ, ଅନୁଗୋଳ, ଯାଜପୁର, କଟକ, ସମ୍ବଲପୁର, ସୁନ୍ଦରଗଡ଼ ଓ ଦେବଗଡ଼ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷିବାର ସମ୍ଭାବନା ରହିଛି। ଏହାଛଡ଼ା ବଜ୍ରପାତ ଓ ଘଡ଼ଘଡ଼ି ହେବାର ଆଶଙ୍କା କରାଯାଉଛି।
ରବିବାର ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, କେନ୍ଦ୍ରାପଡ଼ା, ସୁନ୍ଦରଗଡ଼, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, ଯାଜପୁର, କଟକ, ଖୋର୍ଦ୍ଧା, ପୁରୀ, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ସୋମବାର ଓଡ଼ିଶାରେ ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା କରାଯାଉଛି। ତେବେ କେନ୍ଦୁଝର, ଢ଼େଙ୍କାନାଳ, ଯାଜପୁର, କଟକ, ଭଦ୍ରକ ଓ କେନ୍ଦ୍ରାପଡ଼ା, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୋନପୁର, ଅନୁଗୋଳ, ଦେବଗଡ଼, ନୟାଗଡ଼, କଟକ, ଖୋର୍ଦ୍ଧା, ଜଗତସିଂହପୁର ଜିଲ୍ଲାରେ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ମଙ୍ଗଳବାର ସୁନ୍ଦରଗଡ଼, ଝାସୁଗୁଡ଼ା, ବରଗଡ, ମୟୂରଭଞ୍ଜ, କେନ୍ଦୁଝର, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, ସୋନପୁର ଓ ବଲାଙ୍ଗୀର ଜିଲ୍ଲାରେ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ବୁଧବାର ସମଗ୍ର ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ପ୍ରବଳ ବର୍ଷା ନେଇ ମୟୂରଭଞ୍ଜ, କେନ୍ଦୁଝର ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଏହାଛଡ଼ା ବଜ୍ରପାତ ଓ ଘଡ଼ଘଡ଼ି ହେବାର ଆଶଙ୍କା କରାଯାଉଛି।
ଗୁରୁବାର ଓ ଶୁକ୍ରବାର ମଧ୍ୟ ରାଜ୍ୟରେ ଅଧିକାଂଶ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ପ୍ରବଳ ବର୍ଷା ନେଇ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି।


