fbpx

ରାଜ୍ୟରେ ୫ ଦିନ ଯାଏଁ ପ୍ରବଳ ବର୍ଷା! ୪ଟି ଜିଲ୍ଲାକୁ ଅରେଞ୍ଜ ଓ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମଙ୍ଗଳବାର ମୌସୁମୀ ସହ ଜଡିତ ନିମ୍ନ ଚାପରେଖା ରାଜସ୍ଥାନର ଯସେଲମେରରୁ ବାହାରି ଭୀଲବାରା, କେନ୍ଦ୍ରୀୟ ମଧ୍ୟପ୍ରଦେଶ ଅଞ୍ଚଳରେ ଲଘୁଚାପକ୍ଷେତ୍ରର କେନ୍ଦ୍ର, ପେନ୍ଦ୍ରାରୋଡ଼,ସମ୍ବଲପୁର ଏବଂ ବାଲେଶ୍ୱର ମଧ୍ୟ ଦେଇ ପୂର୍ବ -କେନ୍ଦ୍ରୀୟ ବଙ୍ଗୋପସାଗର ଯାଏଁ ଲମ୍ବିଛି । ଏହି ନିମ୍ନ ଚାପ ରେଖା ବାୟୁମଣ୍ଡଳର ୧.୫କିମି ଯାଏଁ ବ୍ୟାପିଛି । ଏତଦବ୍ୟତୀତ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ତତ୍ ସଂଲଗ୍ନ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସମୁଦ୍ର ପତନ ଠାରୁ ୪.୫ କିଲୋମିଟର ଉଚ୍ଚତାରେ ବିସ୍ତାରିତ ହୋଇ ରହିବା ସହିତ ଦକ୍ଷିଣ-ପଶ୍ଚିମ ଆଡକୁ ଗତିକରୁଛି ।

ଏହାର ପ୍ରଭାବରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ପାଣିପାଗ ବିଭାଗ ପକ୍ଷରୁ ଜାରି ସତର୍କ ସୂଚନା ଅନୁସାରେ ଆଗାମୀ ୨୪ଘଣ୍ଟା ମଧ୍ୟରେ ରାଜ୍ୟର ୪ଟି ଜିଲ୍ଲାରେ ଅତିପ୍ରବଳ ବର୍ଷା ଏବଂ ୧୩ଟି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

ବୁଧବାର ମଧ୍ୟାହ୍ନ ସୁଦ୍ଧା ରାଜ୍ୟର କଳାହାଣ୍ଡି, କନ୍ଧମାଳ, ଗଂଜାମ ଓ ବୌଦ୍ଧ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେଥିପାଇଁ ଏହି ୪ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସମୟ ମଧ୍ୟରେ ରାୟଗଡା, ଖୋର୍ଦ୍ଧା, ପୁରୀ, ନବରଙ୍ଗପୁର, ନୂଆପଡ଼ା, କୋରାପୁଟ, ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର ଓ ଗଜପତି ପ୍ରଭୃତି ୧୩ଟି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋୱାର୍ଣ୍ଣିଂ ଜାରି କରାଯାଇଛି ।

ସେହିପରି ୬ରୁ ୭ ତାରିଖ ମଧ୍ୟରେ ମାଲକାନଗିରି, କୋରାପୁଟ, ରାୟଗଡା. ଗଜପତି, କନ୍ଧମାଳ, କଳାହାଣ୍ଡି, ନୂଆପଡା, ବଲାଙ୍ଗୀର, ସୋନପୁର, ସମ୍ବଲପୁର ଓ ବରଗଡ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେଥିପାଇଁ ଏହି ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Get real time updates directly on you device, subscribe now.