fbpx

ଆଜି ହେରା ପଞ୍ଚମୀ : ମହାଲକ୍ଷ୍ମୀଙ୍କ ରୋଷର ଶିକାର ହେବ ନନ୍ଦିଘୋଷ, ରାଗରେ ରଥର କାଠ ଖଣ୍ଡିଏ ଭାଙ୍ଗି ମାଆ

ପୁରୀ (ଭାସ୍କର ନ୍ୟୁଜ୍):  ଆଷାଢ଼ ଶୁକ୍ଳ ଷଷ୍ଠୀ ତିଥିର ଉତ୍ସବକୁ ହେରା ପଞ୍ଚମୀ ବା ଲକ୍ଷ୍ମୀ ବିଜୟ ଉତ୍ସବ କୁହାଯାଏ । ଏବେ ଆଡ଼ପ ମଣ୍ଡପରେ ଅବସ୍ଥାନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଆଜି ହେବ ହେରା ପଞ୍ଚମୀ ନୀତି । ଏଦି ଦିବସରେ ଶ୍ରୀଜଗନ୍ନାଥଙ୍କୁ ଏକାନ୍ତ ଦର୍ଶନ କରନ୍ତି ମା’ ଲକ୍ଷ୍ମୀ । ସେବକମାନେ ବିଧିପୂର୍ବକ ଏହି ନୀତି ସମ୍ପାଦନ କରନ୍ତି । ସନ୍ଧ୍ୟା ପୂର୍ବରୁ ମା’ ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ଗୁଣ୍ଡିଚା ଘରକୁ ବିଜେହୋଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ।  ଏପଟେ ଶ୍ରୀମନ୍ଦିରରେ ମହାଲକ୍ଷ୍ମୀ ପ୍ରଚଣ୍ଡ ଅଭିମାନରେ କରିଛନ୍ତି । ନନ୍ଦିଘୋଷ ଠାକୁରଙ୍କୁ ନେଇ ଗୁଣ୍ଡିଚାଘରକୁ ଯାଇଛନ୍ତି । ଏଣୁ ମହାଲକ୍ଷ୍ମୀଙ୍କ ରୋଷର ଶିକାର ହେବ ନନ୍ଦିଘୋଷ ।

ଉଲେଖ ଯୋଗ୍ୟ ଯେ,  ହେରା ପଞ୍ଚମୀରେ ଶ୍ରୀମନ୍ଦିର ଭଣ୍ଡାର ଘରେ ଅବସ୍ଥାନ କରିଥିବା ଲକ୍ଷ୍ମୀ ଠାକୁରାଣୀଙ୍କ ମାଜଣା ପରେ ବନକଲାଗି ହୁଏ । ଏହା ପରେ ଚାଙ୍ଗଡ଼ା ମେକାପଠାରୁ ପାଟଶାଢ଼ୀ, ଅଳଙ୍କାର ଭଣ୍ଡାର ଘରୁ ଅଣାଯାଇ ମା’ଙ୍କୁ ବେଶ କରାଯାଏ । ବେଶ ପରେ ପାଳିଆ ମେକାପ, ପଢ଼ିଆରୀ ଓ ମୁଦୁଲି ନେଇଥିବା ପନ୍ତି ଭୋଗକୁ ପୂଜାପଣ୍ଡା ପୂଜା କରନ୍ତି । ଏହା ପରେ ମହାଜନମାନଙ୍କ ଦ୍ୱାରା ବଟମୂଳେ ରଖାଯାଇଥିବା ବିମାନରେ ଲକ୍ଷ୍ମୀ ବିଜେ କରନ୍ତି । ଘଣ୍ଟ, ଘଣ୍ଟା, କାହାଳୀ ଛତ୍ର ଇତ୍ୟାଦି ସହ ସେବକ ଓ ଦେବଦାସୀଙ୍କ ଗହଣରେ ମା’ ମହାଡ଼ମ୍ବରରେ ଯାଆନ୍ତି । ସିଂହଦ୍ୱାର ଓ ବଡ଼ଦାଣ୍ଡ ଦେଇ ଗୁଣ୍ଡିଚା ମନ୍ଦିର ପାଖରେ ଥିବା ନନ୍ଦିଘୋଷ ରଥ ନିକଟରେ ବିମାନ ଅଟକେ । ସେଠାରେ ପହଞ୍ଚିବା ପରେ ପ୍ରସାଦଲାଗି, ବନ୍ଦାପନା, ଆଲଟ ଚାମର ନୀତି ହୁଏ । ଘଷା ବିଡ଼ିଆ ଓ ଦହିପଟି ଲାଗିହୁଏ । ଏ ସମୟରେ ମଧ୍ୟାହ୍ନରେ ଆଡ଼ପ ମଣ୍ଡପରେ ଠାକୁରଙ୍କର ମଧ୍ୟାହ୍ନ ଧୂପ ନୀତି ଏବଂ ତା’ପରେ ଆଳତୀ ଶେଷ ହୋଇଥାଏ । ସନ୍ଧ୍ୟା ଧୂପ ପାଇଁ ନୀତି ଚାଲିଥିବାବେଳେ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ଆଣି ସାନ୍ତ୍ୱନା ସ୍ୱରୂପ ଲକ୍ଷ୍ମୀଙ୍କୁ ଦିଆଯାଇଥାଏ । ଶ୍ରୀମନ୍ଦିରକୁ ପ୍ରଭୁ ଚଞ୍ଚଳ ପ୍ରତ୍ୟାବର୍ତ୍ତନ କରିବାର ଆଶ୍ୱାସନା ଦେଇଥାନ୍ତି ଅଭିମାନିନୀ ମହାଲକ୍ଷ୍ମୀଙ୍କୁ । ଏହାପରେ ନାକଚଣା ଦ୍ୱାର ଦେଇ ଲକ୍ଷ୍ମୀଙ୍କର ବିମାନ ନନ୍ଦିଘୋଷ ରଥ ନିକଟକୁ ଆସି ରଥର କାଠ ଖଣ୍ଡିଏ ଭାଙ୍ଗିଦେଇ ହେରାଗୋହିରୀ ସାହି ଦେଇ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥାଏ ।

Get real time updates directly on you device, subscribe now.