ହାଇଟେକ୍ ମେଡିକାଲ୍ କଲେଜର ୨୨ତମ ହ୍ବାଇଟ୍କୋଟ୍ ଏବଂ ଚରକ ଶପଥ ଉତ୍ସବ ଅନୁଷ୍ଠିତ
“ଶୃଙ୍ଖଳିତ ହୁଅନ୍ତୁ, ଆପଣଙ୍କୁ ଭଲ ଡାକ୍ତର କରିବାର ଦାୟିତ୍ୱ ଆମର” – ଡକ୍ଟର ତିରୁପତି ପାଣିଗ୍ରାହୀ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ହାଇଟେକ୍ ମେଡିକାଲ୍ କଲେଜ୍ର ୨୨ତମ ହ୍ବାଇଟ୍କୋଟ ଏବଂ ଚରକ ଶପଥ କାର୍ଯ୍ୟକ୍ରମ ଆନନ୍ଦୋଲ୍ଲାସର ସହିତ ଆୟୋଜିତ ହୋଇଯାଇଛି। ନୂତନ ଭାବରେ ନାମଲେଖାଇଥିବା ପ୍ରଥମ ବର୍ଷର ଏମ୍ବିବିଏସ୍ ଛାତ୍ରଛାତ୍ରୀମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇବା ସହ ସେମାନଙ୍କୁ ହ୍ବାଇଟ୍କୋଟ୍ ପ୍ରଦାନ କରାଯାଇଥିଲା। ଛାତ୍ରଛାତ୍ରୀମାନେ ଶ୍ରେଣୀକକ୍ଷ ଓ ମେଡିକାଲ୍ ଭିତରକୁ ପ୍ରବେଶ କରିବା ପୂର୍ବରୁ ସେମାନଙ୍କୁ ଚରକ ଶପଥ କରାଯାଇଥିଲା, ଯାହାକି ସେମାନଙ୍କ ମଧ୍ୟରେ ପବିତ୍ରତା, ସମାନୁବର୍ତ୍ତିତା, ତ୍ୟାଗ ଓ ସେବା ମନୋଭାବ ଜାଗ୍ରତ କରିବାରେ ସହାୟକ ହେବ।
ଶୃଙ୍ଖଳା ହିଁ ସଫଳତାର ଚାବିକାଠି: ଏହି କାର୍ଯ୍ୟକ୍ରମରେ ହାଇଟେକ୍ ଗ୍ରୁପ୍ର ପ୍ରତିଷ୍ଠାତା ଅଧ୍ୟକ୍ଷ ଡକ୍ଟର ତିରୁପତି ପାଣିଗ୍ରାହୀ ମୁଖ୍ୟ ଆକର୍ଷଣ ଥିଲେ। ସେ ଛାତ୍ରଛାତ୍ରୀମାନଙ୍କୁ ଉଦ୍ବୋଧନ ଦେଇ କହିଥିଲେ ଯେ ଜୀବନରେ ଶୃଙ୍ଖଳା ହିଁ ପ୍ରକୃତ ପୁଞ୍ଜି ଅଟେ ଏବଂ ଜଣେ ଶୃଙ୍ଖଳିତ ମଣିଷ ଯେକୌଣସି ଅସାଧ୍ୟକୁ ମଧ୍ୟ ସାଧ୍ୟ କରିପାରେ। ପ୍ରତ୍ୟେକ ଛାତ୍ରଛାତ୍ରୀ ହାଇଟେକ୍ରେ କେବଳ ଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରନ୍ତୁ, ସେମାନଙ୍କୁ ଜଣେ άଦର୍ଶ ଡାକ୍ତର ଭାବେ ଗଢ଼ିତୋଳିବାର ସମସ୍ତ ଦାୟିତ୍ୱ ଏହି ଅନୁଷ୍ଠାନର ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ।
ବିଶିଷ୍ଟ ଅତିଥିମାନଙ୍କ ଯୋଗଦାନ ଓ ପରାମର୍ଶ: ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ମଦନ ମୋହନ ଦାଶ ଯୋଗଦେଇଥିବାବେଳେ, ମୁଖ୍ୟ ବକ୍ତା ଭାବେ ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ ଯୋଗଦେଇଥିଲେ। ସେ ନୂତନ ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ କେବଳ ପାଠପଢ଼ା ପ୍ରତି ନୁହେଁ, ବରଂ ନିଃସ୍ୱାର୍ଥପର ରୋଗୀସେବା ପ୍ରତି ମଧ୍ୟ ସମାନ ଭାବେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ।
କୃତ୍ତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା: ଏହି ଅବସରରେ ୨୦୨୦-୨୧ ବ୍ୟାଚ୍ର ୧୪ ଜଣ ମେଧାବୀ ତଥା କୃତ୍ତି ଏମ୍ବିବିଏସ୍ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ପିତାମାତାଙ୍କୁ ହାଇଟେକ୍ ପକ୍ଷରୁ ନଗଦ ରାଶି ଓ ଉପଢୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା।
କାର୍ଯ୍ୟକ୍ରମରେ ହାଇଟେକ୍ ଗ୍ରୁପ୍ର ମ୍ୟାନେଜିଂ ଟ୍ରଷ୍ଟି ସୁରେଶ କୁମାର ପାଣିଗ୍ରାହୀ, ଟ୍ରଷ୍ଟି ତଥା କାର୍ଯ୍ୟକାରୀ ଅଧ୍ୟକ୍ଷ ରାକେଶ କୁମାର ପାଣିଗ୍ରାହୀ, ମେଡିକାଲ୍ କଲେଜର ଅଧ୍ୟକ୍ଷ ପ୍ରଫେସର ଡାକ୍ତର ଦେବାନନ୍ଦ ମହାପାତ୍ର, ଉପାଧ୍ୟକ୍ଷ ପ୍ରଫେସର ଡାକ୍ତର ଲିସା ଷଢ଼ଙ୍ଗୀ, ମେଡିକାଲ୍ ଅଧିକ୍ଷକ ତଥା ପ୍ରଶାସନିକ ନିର୍ଦ୍ଦେଶକ ପ୍ରଫେସର ଡାକ୍ତର ସୀତାରାମ ମହାପାତ୍ର, ଡିନ୍ ନିର୍ଦ୍ଦେଶକ ପ୍ରଫେସର ଡାକ୍ତର ରାଧାମାଧବ ତ୍ରିପାଠୀ, ଡକ୍ଟର ଗୋପେଶ୍ବର ଆଚାର୍ଯ୍ୟଙ୍କ ସମେତ ବିଭିନ୍ନ ବିଭାଗର ମୁଖ୍ୟ ଓ ବହୁ ଅଧିକାରୀ ଉପସ୍ଥିତ ଥିଲେ।


