ହାଇଟେକ୍ ଛାତ୍ରଙ୍କ ଡବଲ୍ ରେକର୍ଡ: ଖୁସି ବ୍ୟକ୍ତ କଲେ ଡକ୍ଟର ତିରୁପତି ପାଣିଗ୍ରାହୀ
‘ନି-ଷ୍ଟ୍ରାଇକର୍ ଅଫ୍ ଇଣ୍ଡିଆ’ ଭାବେ ପରିଚିତ ସଚିନ୍ ହେଉଛନ୍ତି ହାଇଟେକ୍ ଫିଜିଓଥେରାପି କଲେଜର ଛାତ୍ର। ଭୁବନେଶ୍ୱରସ୍ଥିତ ଓଭରଅଲ୍ ସ୍ପୋର୍ଟସ୍ ଏକାଡେମୀରେ ହୋଇଥିବା କାର୍ଯ୍ୟକ୍ରମରେ ସେ ରେକର୍ଡ ସୃଷ୍ଟି କରିଛନ୍ତି।
ଭୁବନେଶ୍ୱର: ଗୋଟିଏ ଗୋଡ଼ରେ ଠିଆ ହୋଇ ପାଦରେ ଆଙ୍କଲ ୱେଟ ବାନ୍ଧି କେବଳ ୬୦ ସେକେଣ୍ଡରେ ୮୮ ଥର ନି-ଷ୍ଟ୍ରାଇକ୍! ପୁଣି ଅନ୍ୟ ଏକ ବର୍ଗରେ ଏକ ମିନିଟ୍ରେ ୧୦୩ ଥର ନି-ଷ୍ଟ୍ରାଇକ୍ କରି ରଚିଲେ ନୂଆ କୀର୍ତ୍ତିମାନ। ନିଜର ଅଦମ୍ୟ ଅଭ୍ୟାସ, ଏକାଗ୍ରତା ଓ ଦୃଢ଼ ମନୋବଳ ବଳରେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ଓଡ଼ିଶାର ଯୁବ ଆଥଲେଟ୍ ସଚିନ୍ ବେହେରା। ଗୋଟିଏ ଦିନରେ ଦୁଇଟି ଭିନ୍ନ ବର୍ଗରେ ରେକର୍ଡ ସ୍ଥାପନ କରି ସେ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି।
‘ନି-ଷ୍ଟ୍ରାଇକର୍ ଅଫ୍ ଇଣ୍ଡିଆ’ ଭାବେ ପରିଚିତ ସଚିନ୍ ହେଉଛନ୍ତି ହାଇଟେକ୍ ଫିଜିଓଥେରାପି କଲେଜର ଛାତ୍ର। ଭୁବନେଶ୍ୱରସ୍ଥିତ ଓଭରଅଲ୍ ସ୍ପୋର୍ଟସ୍ ଏକାଡେମୀରେ ହୋଇଥିବା କାର୍ଯ୍ୟକ୍ରମରେ ସେ ରେକର୍ଡ ସୃଷ୍ଟି କରିଛନ୍ତି। ଗୋଟିଏ ଦିନରେ ଦୁଇଟି ଭିନ୍ନ ବର୍ଗରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ଓ ଏସିଆ ବୁକ୍ ଅଫ୍ ରେକର୍ଡ ସମ୍ପର୍କିତ ସଫଳତା ହାସଲ କରି ସେ ନିଜ ପ୍ରତିଭା ଦେଇଛନ୍ତି।
ପ୍ରଥମ ବର୍ଗରେ ସଚିନ୍ ୫ କିଲୋଗ୍ରାମ୍ର ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ଠିଆ ହୋଇ ମାତ୍ର ଏକ ମିନିଟ୍ରେ ୮୮ ଥର ପୂର୍ଣ୍ଣ ନି-ଷ୍ଟ୍ରାଇକ୍ କରିଥିଲେ। ସେହିପରି ଦ୍ୱିତୀୟ ବର୍ଗରେ ୧ କିଲୋଗ୍ରାମ୍ର ଆଙ୍କଲ୍ ୱେଟ୍ ପିନ୍ଧି ଏକ ମିନିଟ୍ରେ ୧୦୩ ଥର ନି-ଷ୍ଟ୍ରାଇକ୍ କରି ଆଉ ଏକ ରେକର୍ଡ କରିଥିଲେ। ଏହି ଦୁଇଟି କଠିନ ଲକ୍ଷ୍ୟ ହାସଲ ପାଇଁ ସେ ମାସ ମାସ ଧରି ନିରନ୍ତର ଅଭ୍ୟାସ କରିଥିବା କହିଛନ୍ତି।
ସଚିନ୍ଙ୍କ ଏହି ସଫଳତା ପଛରେ ରହିଛି ତାଙ୍କର ଦୀର୍ଘ ଦିନର ଅଭ୍ୟାସ ଓ ଗୁରୁଙ୍କ ମାର୍ଗଦର୍ଶନ। ଜଣେ ସ୍ପ୍ରିଣ୍ଟର୍ ଭାବେ ନି-ଷ୍ଟ୍ରାଇକ୍ ତାଙ୍କର ନିୟମିତ ଅଭ୍ୟାସର ଅଂଶ ଥିଲା। ଗୁରୁ ସୌମ୍ୟ ରଞ୍ଜନ ଦାସଙ୍କ ମାର୍ଗଦର୍ଶନରେ ସେ ନି-ଷ୍ଟ୍ରାଇକ୍ର ଗତି ବୃଦ୍ଧି ଉପରେ ବିଶେଷ ଧ୍ୟାନ ଦେଇଥିଲେ। ଏଥିସହ ହାଇଟେକ୍ ଗ୍ରୁପ୍ର ଅଧ୍ୟକ୍ଷ ଡକ୍ଟର ତିରୁପତି ପାଣିଗ୍ରାହୀଙ୍କ ପ୍ରେରଣା ଓ ପ୍ରୋତ୍ସାହନ ଯୋଗୁଁ ଏହି ସଫଳତା ହାସଲ କରିଥିବା ସଚିନ୍ କହିଛନ୍ତି।
ସଚିନ୍ଙ୍କ ପାଇଁ ରେକର୍ଡ ସୃଷ୍ଟି କରିବା ନୂଆ କଥା ନୁହେଁ। ସେ ୨୦୧୯ ମସିହାରେ ପ୍ରଥମ ଥର ପାଇଁ ଗିନିଜ୍ ୱାର୍ଲ୍ଡ ରେକର୍ଡ ସ୍ଥାପନ କରିଥିଲେ। ପରେ ୨୦୨୨ ମସିହାରେ ଲଗାତାର ଦୁଇଟି ଗିନିଜ୍ ୱାର୍ଲ୍ଡ ରେକର୍ଡ କରି ନିଜ ପ୍ରତିଭାର ପ୍ରମାଣ ଦେଇଥିଲେ।
ସଚିନ୍ଙ୍କ ସଫଳତାରେ ଖୁସି ପ୍ରକାଶ କରି ହାଇଟେକ୍ ଗ୍ରୁପ୍ର ପ୍ରତିଷ୍ଠାତା ଅଧ୍ୟକ୍ଷ ଡକ୍ଟର ତିରୁପତି ପାଣିଗ୍ରାହୀ କହିଛନ୍ତି; ହାଇଟେକ୍ ଛାତ୍ରଛାତ୍ରୀ ଉନ୍ନତ କ୍ୟାରିୟର ଗଢ଼ିବା ସହ ରାଜ୍ୟ ଓ ଜାତୀୟ ସ୍ତରରେ ଗୌରବ ଆଣିବା ଆନନ୍ଦର ବିଷୟ। ଯୁବାବସ୍ଥାରୁ କିଛି କରି ଦେଖାଇବାର ନିଶା ସଚିନ୍ଙ୍କୁ ଆଗକୁ ବଢ଼ିବାକୁ ପ୍ରେରଣା ଦେଇଛି।
ସଚିନ୍ଙ୍କ ଏହି ନୂଆ ସଫଳତା ପ୍ରମାଣ କରୁଛି ଯେ ନିରନ୍ତର ଅଭ୍ୟାସ, ଶୃଙ୍ଖଳା ଓ ଠିକ୍ ମାର୍ଗଦର୍ଶନ ରହିଲେ ଅସମ୍ଭବ ମନେ ହେଉଥିବା ଲକ୍ଷ୍ୟ ମଧ୍ୟ ହାସଲ କରିହୁଏ। ଓଡ଼ିଶାର ଏହି ଯୁବ ପ୍ରତିଭାଙ୍କ ଆଗାମୀ ଲକ୍ଷ୍ୟ ଏବେ ଆହୁରି ବଡ଼ ରେକର୍ଡ ସ୍ଥାପନ କରିବା।


