୨ ପିଲାଙ୍କ ପ୍ରେମରେ ଉବୁଟୁବୁ ଯୁବତୀ, ବିବାହ କରିବା ଜିଦରେ ଚଢ଼ିଗଲେ ମୋବାଇଲ୍ ଟାୱାରକୁ, ୨ ଘଣ୍ଟା ଚାଲିଲା ହାଇ-ଭୋଲ୍ଟେଜ୍ ଡ୍ରାମା

୨ ପିଲାଙ୍କ ପ୍ରେମରେ ଉବୁଟୁବୁ ଯୁବତୀ, ବିବାହ କରିବା ଜିଦରେ ଚଢ଼ିଗଲେ ମୋବାଇଲ୍ ଟାୱାରକୁ

Woman Climbs Mobile Tower: ପ୍ରେମ ପାଇଁ ମଣିଷ କେଉଁ ସ୍ତରକୁ ଯାଇପାରେ, ତାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ବହରାଇଚ୍ ଜିଲ୍ଲାରେ। ଜଣେ ଯୁବତୀ ନିଜ ପ୍ରେମିକକୁ ବିବାହ କରିବା ଜିଦ୍‌ରେ ଏକ ମୋବାଇଲ୍ ଟାୱାର ଉପରକୁ ଚଢ଼ିଯାଇଛନ୍ତି। ଯୁବତୀ ଜଣକୁ ଟାୱାର ଉପରେ ଦେଖି ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା ଏବଂ ତାଙ୍କୁ ଦେଖିବା ପାଇଁ ଘଟଣାସ୍ଥଳରେ ଶତାଧିକ ଗ୍ରାମବାସୀଙ୍କ ଭିଡ଼ ଜମିଥିଲା। ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା।

ଦୁଇ ସନ୍ତାନର ବାପାଙ୍କ ପ୍ରେମରେ ପାଗଳ ଯୁବତୀ

ମିଳିଥିବା ସୂଚନା ଅନୁଯାୟୀ, ରୂପୈଡିହା ଅଞ୍ଚଳର ବାସିନ୍ଦା ଆସିୟା ବାନୋ ନାମକ ଜଣେ ଯୁବତୀ ସ୍ଥାନୀୟ ଅଞ୍ଚଳର ରମଜାନ୍ ନାମକ ଜଣେ ବ୍ୟକ୍ତିଙ୍କୁ ପ୍ରେମ କରୁଥିଲେ। ତେବେ ରମଜାନ୍ ପୂର୍ବରୁ ବିବାହିତ ଏବଂ ସେ ଦୁଇଟି ସନ୍ତାନର ପିତା ଅଟନ୍ତି। ଆସିୟା କ୍ରମାଗତ ଭାବେ ରମଜାନ୍‌ଙ୍କ ଉପରେ ବିବାହ କରିବା ପାଇଁ ଚାପ ପକାଉଥିଲେ। ଏହି ବିବାହ ଜିଦ୍‌କୁ ନେଇ ଗତକାଲି ଉଭୟଙ୍କ ମଧ୍ୟରେ ତୀକ୍ଷ୍ଣ ଯୁକ୍ତିତର୍କ ଓ ବିବାଦ ହୋଇଥିଲା। ପ୍ରେମିକ ରମଜାନ୍ ବିବାହ କରିବାକୁ ସିଧା ମନା କରିଦେବାରୁ କ୍ରୋଧିତ ହୋଇ ଆସିୟା ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେବାକୁ ଯାଇ ପାଖରେ ଥିବା ଏକ ଉଚ୍ଚ ମୋବାଇଲ୍ ଟାୱାର ଉପରକୁ ଚଢ଼ିଯାଇଥିଲେ।

୨ ଘଣ୍ଟା ଧରି ଚାଲିଲା ହାଇ-ଭୋଲ୍ଟେଜ୍ ଡ୍ରାମା

ଯୁବତୀ ଜଣକ ଟାୱାରର ସର୍ବୋଚ୍ଚ ସ୍ଥାନରେ ପହଞ୍ଚି ସେଠାରୁ ତଳକୁ ଡେଇଁ ଜୀବନ ଦେବାକୁ ଧମକ ଦେଉଥିଲେ। ଏହା ଦେଖି ପରିବାର ଲୋକଙ୍କ ସମେତ ସ୍ଥାନୀୟ ଲୋକଙ୍କ ହୋସ୍ ଉଡ଼ିଯାଇଥିଲା। ସ୍ଥାନୀୟ ଲୋକଙ୍କ ଦ୍ୱାରା ସୂଚନା ପାଇ ରୂପୈଡିହା ଥାନା ପୋଲିସ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ଗମ୍ଭୀରତାକୁ ବୁଝି ପରିସ୍ଥିତି ସମ୍ଭାଳିଥିଲା।

ପୋଲିସ ପ୍ରାୟ ଦୁଇ ଘଣ୍ଟା ଧରି ଯୁବତୀଙ୍କୁ ବୁଝାସୁଝା କରିବା ସହ ସହ ବିବାହ କରାଇଦେବାର ପ୍ରତିଶ୍ରୁତି ଦେଇ ତାଙ୍କୁ ସୁରକ୍ଷିତ ଭାବେ ଟାୱାରରୁ ତଳକୁ ଓହ୍ଲାଇଥିଲା। ଟାୱାରରୁ ଓହ୍ଲାଇବା ପରେ ପୋଲିସ ପ୍ରେମିକ ରମଜାନ୍, ଆସିୟା ବାନୋ ଏବଂ ଦୁଇ ପରିବାରର ସଦସ୍ୟଙ୍କୁ ଥାନାକୁ ଡକାଇଛି। ବର୍ତ୍ତମାନ ପୋଲିସ ଦୁଇ ପକ୍ଷଙ୍କୁ ସାମ୍ନାସାମ୍ନି ବସାଇ ପଚରାଉଚରା କରୁଛି ଏବଂ ମାମଲାର ଅଧିକ ତଦନ୍ତ ଜାରି ରହିଛି। ଏହି ପୂରା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।