fbpx

UGC ଓ AICTE ମିଶ୍ରଣରେ ଗଠନ ହେବ ଏକ ନୂଆ ସଂସ୍ଥା ଭାରତୀୟ ଉଚ୍ଚ ଶିକ୍ଷା ଆୟୋଗ: ଜାଣନ୍ତୁ ଏହି ଆୟୋଗର ଅଧିକାର ଓ କ୍ଷମତା କ’ଣ ରହିବ

ନୂଆଦିଲ୍ଲୀ: ବିଶ୍ୱ ବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଓ ସର୍ବ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ)ର ମିଶ୍ରଣ ହୋଇ ଗଠନ ହେବ ଭାରତୀୟ ଉଚ୍ଚ ଶିକ୍ଷା ଆୟୋଗ (ଏଚଇସିଆଇ) । ଏହି ଆୟୋଗ ଗଠନ ନେଇ ପ୍ରସ୍ତାବ ଦିଆଯାଇଛି । ତେବେ ଏହି ସଂସ୍ଥାକୁ ଶକ୍ତିଶାଳୀ କରିବାକୁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି ।

ଏହି ଆୟୋଗ ବେଆଇନ ଓ ଠକ ସଂସ୍ଥାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ । ୫ କୋଟି ପର୍ଯ୍ୟନ୍ତ ଜରିମାନା ଆଦାୟ ଓ ଜେଲ ପଠାଇବାର ଅଧିକାର ଏହି ଆୟୋଗ ନିକଟରେ ରହିବ । ଉଚ୍ଚ ଶିକ୍ଷା କ୍ଷେତ୍ରରେ ସର୍ବୋଚ୍ଚ ନିୟାମକ ସଂସ୍ଥା ହେଉଛି ୟୁଜିସି । ୧୯୫୬ରେ ପ୍ରସ୍ତୁତ ହୋଇଥିବା ଅଧିନିୟମ ମୁତାବକ, ନକଲି ବିଶ୍ୱବିଦ୍ୟାଳୟର ସ୍ଥାପନା ଓ ଉଲ୍ଲଂଘନ ପାଇଁ ସର୍ବାଧିକ ୧୦୦୦ ଟଙ୍କା ଜରିମାନା ଆଦାୟ କରିବାର ଅଧିକାର ୟୁଜିସି ନିକଟରେ ରହିଛି ।

ଏକ ରିପୋର୍ଟ ମୁତାବକ, ଉଚ୍ଚ ଶିକ୍ଷା ଶିକ୍ଷା ନିକଟରେ ଭାରି ଜରିମାନା ଆଦାୟ କରିବାର ଅଧିକାର ନେଇ ବିଧେୟକ ଆଗତ ହେବ । ସଂସଦର ଆସନ୍ତା ଶୀତକାଳୀନ ଅଧିବେସନରେ ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପ୍ରସ୍ତାବ ଆଗତ କରିବା ନେଇ ପ୍ରସ୍ତୁତ ହେଉଛି । କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ୧୫ ଜଣିଆ ଟିମରେ ଗୋଟିଏ ରାଜ୍ୟର ବିଶ୍ୱବିଦ୍ୟାଳୟର କୁଳପତି ଓ ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦର ଦୁଇଜଣ ପ୍ରଫେସରଙ୍କୁ ସାମିଲ କରିବାର ସମ୍ଭାବନା ରହିଛି । ଏଥିସହିତ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୁଳପତି, ଉଚ୍ଚଶିକ୍ଷା ସଚିବ, ଅର୍ଥ ସଚିବ, ଜଣେ ଆଇନ ବିଶେଷଜ୍ଞ ଓ ଉଦ୍ୟୋଗ କ୍ଷେତ୍ରର ପ୍ରତିଷ୍ଠିତ ବ୍ୟକ୍ତି ଏଥିରେ ସ୍ଥାନ ପାଇ ପାରନ୍ତି । ଗତ ୨୦୧୮ରେ ଉଚ୍ଚଶିକ୍ଷା ଆୟୋଗର ସ୍ଥାପନା ନେଇ ପ୍ରୟାସ କରାଯାଇଥିଲା । ମାତ୍ର ସେ ସମୟରେ ଏଥିରେ ରାଜ୍ୟ ପକ୍ଷରୁ ପ୍ରତିନିଧି ନଥିବାରୁ ବିଭିନ୍ନ ରାଜ୍ୟ ଓ ଶିକ୍ଷାବିତମାନେ ଏହାକୁ ବିରୋଧ କରିଥିଲେ । ମାତ୍ର ଏବେ ନୂଆ ପଦକ୍ଷେପ ସ୍ୱରୂପ ଆୟୋଗରେ ରାଜ୍ୟର ପ୍ରତିନିଧି ସ୍ଥାନ ପାଇବାକୁ ବାଧ୍ୟତାମୂଳକ କରିବାକୁ ବ୍ୟବସ୍ଥା କରାଯାଇଛି ।

Get real time updates directly on you device, subscribe now.