fbpx

Himachal Election: ଭୋଟ୍ ଗଣତି ପାଇଁ କାଉଣ୍ଟଡାଉନ୍ ଆରମ୍ଭ, ବଢିଲା ନିର୍ଦ୍ଦଳୀୟଙ୍କ ଗୁରୁତ୍ଵ, କଣ କରିବେ ବିଜେପି-କଂଗ୍ରେସ ?

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନର ମତଗଣନା ପାଇଁ କାଉଣ୍ଟ ଡାଉନ୍ ଆରମ୍ଭ ହୋଇ ଯାଇଛି। ଡିସେମ୍ବର ୮ରେ ନିର୍ବାଚନ ପରିଣାମ ଘୋଷଣା କରାଯିବ। ବିଜେପି ଏବଂ କଂଗ୍ରେସ ନିଜ ନିଜର ସରକାର ଗଠନ କରିବା ନେଇ ବେଶ ଆଶାବାଦୀ। ଦୁଇ ଦଳକୁ ଭରସା ଯେ, ସେମାନେ ନିଜ ଦମରେ ସଂଖ୍ୟା ଗରିଷ୍ଠତା ସହ ସରକାର ଗଠନ କରିବେ। ହେଲେ ସଂଖ୍ୟା କିଛିକମ ହେବା ସମ୍ଭାବନାକୁ ଦୃଷ୍ଟିରେ ରଖି ଦୁଇ ଦଳ ଏବେ ସଂଖ୍ୟା ଯୋଗାଡ ଖେଳ ଆରମ୍ଭ କରି ଦେଇଛନ୍ତି। ଏମିତିରେ ନିର୍ଦ୍ଦଳୀୟ ଲଢିଥିବା ବିଧାୟକଙ୍କ ଗୁରୁତ୍ଵ ଏବେ ବଢି ଯାଇଛି। ଯେଉଁ ସ୍ଵାଧୀନ ପ୍ରାର୍ଥୀଙ୍କ ଜିତିବା ସମ୍ଭାବନା ରହିଛି, ସେମାନଙ୍କୁ ନିଜ ଆଡକୁ ଟାଣିବା ପାଇଁ ବିଜେପି ଏବଂ କଂଗ୍ରେସ ଲାଗି ପଡିଛନ୍ତି। ସରକାର ଗଠନ ସମୟରେ ଯଦି କିଛି ସଂଖ୍ୟା କମ ପଡେ ତେବେ ନିର୍ଦ୍ଦଳୀୟ ବିଧାୟକ ଏହାକୁ ପୂରା କରିବା ଉଦ୍ୟମରେ ଲାଗି ପଡିଛନ୍ତି ବିଜେପି ଏବଂ କଂଗ୍ରେସ।

ଉଲ୍ଲେଖନୀୟ ଚଳିତ ବିଧାନସଭା ନିର୍ବାଚନରେ ବଡ ସଂଖ୍ୟାରେ ନିର୍ଦ୍ଦଳୀୟ ନିର୍ବାଚନ ଲଢିଛନ୍ତି। ୬୮ ଆସନରେ ଭାଗ୍ୟ ପରୀକ୍ଷା କରୁଥିବା ୪୧୨ ପ୍ରାର୍ଥୀଙ୍କ ମଧ୍ୟରୁ ୯୯ ପ୍ରାର୍ଥୀ ନିର୍ଦ୍ଦଳୀୟ। ଦୁଇ ଦଳରୁ ଟିକେଟ୍ ନମିଳିବାରୁ ପ୍ରାୟ ୩୦ ନେତା ବିଦ୍ରୋହ କରି ସ୍ଵାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଛନ୍ତି। ବିଜେପିର ପ୍ରାୟ ୨୧ ଏବଂ କଂଗ୍ରେସର ୯ ବିଦ୍ରୋହୀ ବିଧାୟକ ମଇଦାନରେ ଅଛନ୍ତି। ଅର୍ଥାତ ବିଜେପି ପାଇଁ ଅଡୁଆ ଅଧିକ ରହିଛି। ତେଣୁ ଦଳ ଉକ୍ତ ପ୍ରାର୍ଥୀଙ୍କୁ ମନାଇବା ପାଇଁ ଯଥା ସମ୍ଭବ ଉଦ୍ୟମ ଚଳାଇଛି। କଂଗ୍ରେସ ବି ଏଥିରେ ପଛରେ ନାହିଁ। ଦଳ ମଧ୍ୟ ନିଜ ନିଜର ନେତାଙ୍କ ଜରିଆରେ ନିର୍ଦ୍ଦଳୀୟ ପ୍ରାର୍ଥୀଙ୍କ ସହ ଯୋଗାଯୋଗରେ ଲାଗି ପଡିଛନ୍ତି।

ଯେନତେନ ପ୍ରକାରେ ନିର୍ଦ୍ଦଳୀୟଙ୍କୁ ହାତେଇବା ପାଇଁ ବିଜେପି ଏବଂ କଂଗ୍ରେସ ଘନିଷ୍ଠ ନେତାଙ୍କୁ କାମରେ ଲଗାଇଛନ୍ତି। ଏହି ନେତାମାନେ ନିଜ ନିଜ ସ୍ତରରେ ନିର୍ଦ୍ଦଳୀୟ ବିଧାୟକଙ୍କ ସହ ଯୋଗାଯୋଗ କରୁଛନ୍ତି। ମୋଟା ଅଙ୍କର ଅର୍ଥ ରାଶି ଅଫରକୁ ବି ଏଡାଇ ଦିଆଯାଇ ନପାରେ। ନିର୍ଦ୍ଦଳୀୟ ପ୍ରାର୍ଥୀ ମଧ୍ୟ ପରିସ୍ଥିତି ଦେଖି ନିଷ୍ପତ୍ତି ନେବେ ବୋଲି ବିଚାର କରୁଛନ୍ତି। କାରଣ ଜିତିବା ଦଳକୁ ଗଲେ ହିଁ ସେମାନଙ୍କର ଫାଇଦା ରହିଛି। ଏମିତି ସ୍ଥିତିରେ ବିଜେପି କିଛିଟା ସୁବିଧାଜନକ ସ୍ଥିତିରେ ରହିଛି।

ଏଥର ବିଧାନସଭା ନିର୍ବାଚନରେ ସମସ୍ତ ଆସନରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ ସିଧାସଳଖ ମୁକାବିଲା ଦେଖିବାକୁ ମିଳିଛି। ଏଥିରୁ ସ୍ପଷ୍ଟ ବହୁତ ଆସନରେ ବିଜୟ ଏବଂ ପରାଜୟର ବ୍ୟବଧାନ ବହୁତ କମ ରହିବ। ଏମିତିରେ କେଉଁ ଦଳକୁ କେତେ ସିଟ୍ ମିଳିବ ଏବଂ କାହାର ସରକାର ଗଠନ ହେବ ଏହାକୁ ନେଇ ସ୍ପଷ୍ଟ ଭାବେ କିଛି କୁହାଯାଇ ପାରିବ ନାହିଁ। ୨୦୧୭ ବିଧାନସଭା ନିର୍ବାଚନରେ ୧୮ଟି ଆସନରେ ଜୟ ପରାଜୟର ବ୍ୟବଧାନ ଦୁଇ ହଜାରରୁ କମ ରହିଥିଲା।

ହିମାଚଳ ପ୍ରଦେଶରେ ନଭେମ୍ବର ୧୨ରେ ନିର୍ବାଚନ ସରି ସାରିଛି। ଏଠାକାର ବିଧାନସଭା ଆସନ ସଂଖ୍ୟା ୬୮। ଏଥିରୁ ୧୭ ବିଧାନସଭା ଆସନ ଅନୁସୂଚିତ ଜାତି(ଏସସି) ପାଇଁ ଏବଂ ତିନି ଆସନ ଅନୁସୂଚିତ ଜନଜାତି(ଏସଟି) ପାଇଁ ସଂରକ୍ଷିତ ରହି ଆସିଛି। ୨୦୧୧ ଜନଗଣନା ଅନୁଯାୟୀ, ହିମାଚଳ ପ୍ରଦେଶର ଜନସଂଖ୍ୟା ୭୦ ଲକ୍ଷରୁ ବି କମ। ଏଠାକାର ରାଜନୀତିରେ ରାଜପୁତ ଏବଂ ବ୍ରାହ୍ମଣ ସମୁଦାୟଙ୍କ ଦବଦବା ସର୍ବଦା ରହି ଆସିଛି। କାରଣ ରାଜ୍ୟରେ ସବର୍ଣ୍ଣଙ୍କ ସଂଖ୍ୟା ସବୁଠୁ ଅଧିକ ରହିଛି।

Get real time updates directly on you device, subscribe now.