୧୦ ଗେଟ ଦେଇ ନିଷ୍କାସିତ ହେଉଛି ଜଳ; ବନ୍ୟା ଭୟ ବଢ଼ିଲା!
ମହାନଦୀ ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ହେଉଛି। ଯେଉଁଥିପାଇଁ ମହାନଦୀରେ ପ୍ରବଳ ପାଣି ପ୍ରବାହିତ ହେଉଛି
ଭୁବନେଶ୍ୱର: ପ୍ରଥମେ ଖୋଲିଥିଲା ୪ଟି ଗେଟ୍। ଏବେ ଆଉ ୬ ଗେଟ ଖୋଲିଲା। ବର୍ତ୍ତମାନ ମୋଟ୍ ୧୦ଟି ଗେଟ୍ ଦେଇ ହୀରାକୁଦ ଡ୍ୟାମରୁ ପାଣି ନିଷ୍ପାସିତ ହେଉଛି। ଯାହାଦ୍ୱାରା ତଳ ମୁଣ୍ଡରେ ବନ୍ୟା ଆଶଙ୍କା କରାଯାଇଛି। ସେଥିପାଇଁ ମହାନଦୀ ଅବବାହିକା ଅଞ୍ଚଳର ଲୋକଙ୍କୁ ସତର୍କ କରାଇ ଦିଆଯାଇଛି।
ମହାନଦୀ ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ହେଉଛି। ଯେଉଁଥିପାଇଁ ମହାନଦୀରେ ପ୍ରବଳ ପାଣି ପ୍ରବାହିତ ହେଉଛି। ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ହୀରାକୁଦ ଡ୍ୟାମ ଭିତରକୁ ୧୬୪୦୦୯ କ୍ୟୁସେକ୍ ପାଣି ପ୍ରବେଶ କରୁଛି। ଯାହାଫଳରେ କ୍ଷମତାଠାରୁ ଅଧିକ ପାଣି ଡ୍ୟାମରେ ମହଜୁଦ ରହିଛି।
ସ୍ଥିତିକୁ ସମୀକ୍ଷା କରିବା ପରେ ଡ୍ୟାମ କର୍ତ୍ତୃପକ୍ଷ ହୀରାକୁଦ ଗେଟ୍ ଖୋଲିବା ପାଇଁ ନିଷ୍ପତ୍ତି ନେଇଥିଲେ।
ଆଜି ପୂର୍ବାହ୍ନ ୧୧ଟାରେ ପ୍ରଥମେ ୪ଟି ଗେଟ୍ ଖୋଲା ଯାଇଥିଲା। ଜଳ ସମ୍ପଦ ବିଭାଗ ତରଫରୁ କୁହାଯାଇଛି; ହୀରକୁଦ ଡ୍ୟାମ୍ର ବାମ ପାଶ୍ୱର୍ରୁ ୭, ୮,୯ ଓ ଡାହାଣ ପାଶ୍ୱର୍ରୁ ୪୬ ନମ୍ବର ଗେଟ ପ୍ରଥମେ ଖୋଲା ଯାଇଥିଲା। ଏହି ୪ଟି ଗେଟ ଦେଇ ୬୪ ହଜାର କ୍ୱିସେକ ପାଣି ମହାନଦୀ ତଳ ମୁଣ୍ଡକୁ ଛଡ଼ା ଯାଉଛି। ଏହାଛଡ଼ା ପାୱାର ହାଉସ୍ ଦେଇ ୨୫ ହଜାର କ୍ୱ୍ୟସେକ୍ ଜଳ ନିଷ୍କାସିତ ହେଉଛି।
ଜଳସେଚନ ପାଇଁ ୫ ହଜାର କ୍ୱିସେକ ପାଣି ଛଡ଼ା ଯାଉଛି। ଯାହା କେନାଲ ମାଧ୍ୟମରେ ଚାଷ ଜମିକୁ ଯାଉଛି। କହିବାକୁ ଗଲେ ମୋଟ୍ ୯୪ ହଜାର କ୍ୱିସେକ ପାଣି ମହାନଦୀକୁ ଛଡ଼ା ଯାଉଛି। ଅପରାହ୍ନରେ ଆଉ ୬ଟି ଗେଟ ଖୋଲା ଯାଇଛି। ବର୍ତ୍ତମାନ ୧୦ଟି ଗେଟ୍ ଦେଇ ବନ୍ୟା ଜଳ ପ୍ରବାହିତ ହେଉଛି।
ହୀରାକୁଦ ଡ୍ୟାମରୁ ନିଷ୍କାସିତ ହେଉଥିବା ଜଳ କଟକ ମୁଣ୍ଡଳୀରେ ପହଞ୍ଚିବାକୁ ୩୬ରୁ ୪୮ ଘଣ୍ଟା ସମୟ ଲାଗିବ। ତା’ପୂର୍ବରୁ ସତର୍କ ହୋଇଯିବା ପାଇଁ ପରାମର୍ଶ ଦିଆଯାଇଛି।


