ଦିନେ ଗୋଟିଏ ଓଭରରେ ଖାଇଥିଲେ ୭ ଛକା, ଏବେ ନେଲେ ହ୍ୟାଟ୍ରିକ

ୟୁପି ଟି-୨୦ ଲିଗ୍‌ରେ ସ୍ପିନର ଶିବା ସିଂହଙ୍କ ଐତିହାସିକ ହ୍ୟାଟ୍ରିକ୍‌ ବଳରେ ନୋଏଡା ସୁପର କିଙ୍ଗ୍ସ ଅପରାଜିତ ମେରଠ ମାଭେରିକ୍ସକୁ ୫ ୱିକେଟ୍‌ରେ ହରାଇଛି।

ନୂଆଦିଲ୍ଲୀ: ୟୁପି ଟି-୨୦ ଲିଗ୍‌ରେ ନୋଏଡା ସୁପର କିଙ୍ଗ୍ସର ସ୍ପିନର ଶିବା ସିଂହ ନିଜର ଚମତ୍କାର ବୋଲିଂରେ ଧମାଲ କରିଛନ୍ତି। କାନପୁରର ଗ୍ରୀନ୍‌ ପାର୍କ ଷ୍ଟାଡିୟମରେ ଖେଳାଯାଇଥିବା ହାଇଭୋଲଟେଜ୍‌ ମ୍ୟାଚ୍‌ରେ ଶିବାଙ୍କ ଘାତକ ବୋଲିଂ ବଳରେ ନୋଏଡା ସୁପର କିଙ୍ଗ୍ସ ମେରଠ ମାଭେରିକ୍ସକୁ ୫ ୱିକେଟ୍‌ରେ ପରାସ୍ତ କରିଛି। ଏହି ଧମାକାଦାର ବିଜୟ ସହ ନୋଏଡା ଦଳ ପ୍ଲେଅଫ୍‌ ଓ ଏଲିମିନେଟର ପର୍ଯ୍ୟାୟରେ ସ୍ଥାନ ପକ୍କା କରିଛି।

ଲିଗ୍‌ ପର୍ଯ୍ୟାୟର ଏହି ୨୭ତମ ମ୍ୟାଚ୍‌ ପୂର୍ବରୁ ମେରଠ ମାଭେରିକ୍ସ ଦଳ ଅପରାଜିତ ଥିଲା। କିନ୍ତୁ ନୋଏଡାର ଏହି ଐତିହାସିକ ବିଜୟ ମେରଠର ବିଜୟ ଧାରାରେ ବ୍ରେକ ଲଗେଇବା ସହ ସେମିଫାଇନାଲ୍‌ ପୂର୍ବରୁ ପଏଣ୍ଟ ଟେବୁଲର ସମୀକରଣକୁ ମଧ୍ୟ ବଦଳାଇ ଦେଇଛି। ଖରାପ ପାଗ ଓ ବର୍ଷା ଯୋଗୁ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌କୁ ୫-୫ ଓଭରର କରାଯାଇଥିଲା। ଏଭଳି ଚାପପୂର୍ଣ୍ଣ ପରିସ୍ଥିତିରେ ଶିବା ସିଂହଙ୍କ ଚମତ୍କାର ବୋଲିଂ ଦେଖିବାକୁ ମିଳିଥିଲା।

ଛୋଟ ଫର୍ମାଟ୍‌ ଓ କଠିନ ପରିସ୍ଥିତି ସତ୍ତ୍ୱେ ଶିବା ସିଂହ ଅଳ୍ପ ରନ୍‌ ଦେଇ ଘାତକ ବୋଲିଂ କରିଥିଲେ। ମ୍ୟାଚ୍‌ରେ ସେ ଏକ ଅନନ୍ୟ ହ୍ୟାଟ୍ରିକ୍‌ ମଧ୍ୟ ନେଇଛନ୍ତି । ନିଜ ପ୍ରଥମ ଓଭରର ପଞ୍ଚମ ଓ ଷଷ୍ଠ ବଲ୍‌ରେ ଲଗାତାର ଦୁଇଟି ୱିକେଟ୍‌ ନେଇ ଶିବା ମେରଠର ଟପ୍‌ ଅର୍ଡରକୁ ଝଟକା ଦେଇଥିଲେ। ଏହାପରେ ପରବର୍ତ୍ତୀ ଓଭରର ପ୍ରଥମ ବଲ୍‌ରେ ଆଉ ଏକ ୱିକେଟ୍‌ ନେଇ ସେ ହ୍ୟାଟ୍ରିକ୍‌ ପୂରଣ କରିଥିଲେ।

ଶିବାଙ୍କ ଚମତ୍କାର ବୋଲିଂ ଆଗରେ ମେରଠ ମାଭେରିକ୍ସର ବ୍ୟାଟିଂ ଲାଇନ୍‌ଅପ୍‌ ତାସ୍‌ ଘର ଭଳି ଭୁଶୁଡ଼ି ପଡ଼ିଥିଲା। ନୋଏଡାର ଏହି ବୋଲର ମାତ୍ର ଦୁଇ ଓଭର ବୋଲିଂ କରି ହ୍ୟାଟ୍ରିକ୍‌ ସହ ୫ଟି ୱିକେଟ୍‌ ନେଇଥିଲେ। ସେ ମାତ୍ର ୬ ରନ୍‌ ଦେଇ ୫ ୱିକେଟ୍‌ ନେବାର ଚମତ୍କାର ବୋଲିଂ ଫିଗର ସହ ନିଜ ସ୍ପେଲ୍‌ ଶେଷ କରିଥିଲେ।

ତେବେ ଶିବା ସିଂହଙ୍କ ସହ ଆଉ ଏକ ରୋଚକ ରେକର୍ଡ ମଧ୍ୟ ଜଡ଼ିତ ରହିଛି। ଭାରତୀୟ କ୍ରିକେଟ୍‌ ଇତିହାସରେ ଗୋଟିଏ ଓଭରରେ ୭ଟି ଛକା ଖାଇଥିବା ବୋଲର ଭାବେ ମଧ୍ୟ ସେ ପରିଚିତ। ବିଜୟ ହଜାରେ ଟ୍ରଫିରେ ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ର ମଧ୍ୟରେ ଖେଳାଯାଇଥିବା ଏକ ମ୍ୟାଚ୍‌ରେ ମହାରାଷ୍ଟ୍ରର ବ୍ୟାଟର ଋତୁରାଜ ଗାଏକୱାଡ୍‌ ଶିବା ସିଂହଙ୍କ ୪୯ତମ ଓଭରରେ ଗୋଟିଏ ନୋ-ବଲ୍‌ ସମେତ ଲଗାତାର ୭ଟି ଛକା ମାରିଥିଲେ। ଏହି ଓଭରରୁ ଋତୁରାଜ ମୋଟ ୪୩ ରନ୍‌ ସଂଗ୍ରହ କରିଥିଲେ।