ଖୋଲୁଛି ଆତଙ୍କୀ ନେଟୱର୍କ; ଜାଲରେ ପଡ଼ିଲା ହନିଟ୍ରାପ୍ କ୍ୱିନ୍!
ଅର୍ପିତା ସରକାର ନିୟମିତ ହମିମ ମଣ୍ଡଳଙ୍କ ସହ ସମ୍ପର୍କରେ ଥିଲେ। ସେ ଏକ ସଂଗଠିତ ନେଟୱର୍କ ପାଇଁ ହନିଟ୍ରାପ୍ ମାଧ୍ୟମରେ ପ୍ରଭାବଶାଳୀ ବ୍ୟକ୍ତିମାନଙ୍କୁ ଫସାଇବା କାମ କରୁଥିଲା
କୋଲକାତା: ଖୋଲୁଛି ଆତଙ୍କବାଦ ନେଟୱର୍କ। ଜାଲରେ ପଡ଼ିଲେ ହନିଟ୍ରାପ୍ କ୍ୱିନ ଅର୍ପିତା ସରକାର! ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ହନିଟ୍ରାପରେ ଫସାଉଥିଲା। ଆଉ ପରବର୍ତ୍ତୀ ସମୟରେ ସେମାନଙ୍କଠାରୁ ଟଙ୍କା ଆଦାୟ କରି ଆତଙ୍କବାଦୀଙ୍କ ପାଖକୁ ପଠାଉଥିଲା! ଆଜି ତାଙ୍କୁ ପଶ୍ଚିମବଙ୍ଗ ପୁଲିସର ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ୍) ଗିରଫ କରିବା ପରେ ଖୋଲିଛି ଗୁମର। ସନ୍ଦିଗ୍ଧ ଆତଙ୍କବାଦୀ ହମିମ୍ ମଣ୍ଡଳଙ୍କ ତଥ୍ୟ ଆଧାରରେ ଏସ୍ଟିଏଫ୍ ତାଙ୍କୁ ଝାଡ଼ଖଣ୍ଡର ସାହିବଗଞ୍ଜରୁ ଗିରଫ କରି ପଚରାଉଚରା କରୁଛି।
ତଦନ୍ତକାରୀ ସଂସ୍ଥାଗୁଡ଼ିକର ସୂଚନା ଅନୁଯାୟୀ, ଅର୍ପିତା ସରକାର ନିୟମିତ ହମିମ ମଣ୍ଡଳଙ୍କ ସହ ସମ୍ପର୍କରେ ଥିଲେ। ସେ ଏକ ସଂଗଠିତ ନେଟୱର୍କ ପାଇଁ ହନିଟ୍ରାପ୍ ମାଧ୍ୟମରେ ପ୍ରଭାବଶାଳୀ ବ୍ୟକ୍ତିମାନଙ୍କୁ ଫସାଇବା କାମ କରୁଥିଲା। ଅର୍ପିତାଙ୍କ ଗିରଫ ପରେ ଏହି ନେଟୱର୍କରେ ଆଉ କେଉଁମାନେ ସାମିଲ ଅଛନ୍ତି, ତାହା ଉପରେ ତଦନ୍ତ କରୁଛି ଏସ୍ଟିଏଫ୍।
Uttarakhand Govt.
ଏସଟିଏଫ୍ ଅଧିକାରୀମାନଙ୍କ କହିବା ଅନୁସାରେ, ବର୍ଦ୍ଧମାନରୁ ଗିରଫ ହୋଇଥିବା ସନ୍ଦିଗ୍ଧ ହମିମ ମଣ୍ଡଳଙ୍କୁ ପଚରାଉଚରା ବେଳେ ମିଳିଥିବା ସୂଚନା ଓ ବୈଷୟିକ ପ୍ରମାଣ ଆଧାରରେ ଏହି କାର୍ୟ୍ୟାନୁଷ୍ଠାନ କରାଯାଇଛି। ପଚରାଉଚରାରୁ ମିଳିଥିବା ସୂଚନା ପରେ ତଦନ୍ତକାରୀ ଦଳ ସାହିବଗଞ୍ଜରେ ଚଢ଼ାଉ କରି ଅର୍ପିତା ସରକାରଙ୍କୁ ଗିରଫ କରିଥିଲା।
ତଦନ୍ତକାରୀ ସଂସ୍ଥାମାନଙ୍କ ମତରେ, ଏହି ମାମଲା କେବଳ ଜଣେ ବ୍ୟକ୍ତିଙ୍କ ମଧ୍ୟରେ ସୀମିତ ନଥାଇପାରେ। ତେଣୁ ଏହି କଥିତ ନେଟୱର୍କର ସମ୍ପର୍କ କେଉଁ କେଉଁ ରାଜ୍ୟ ପର୍ୟ୍ୟନ୍ତ ବ୍ୟାପିଛି ଏବଂ ଏଥିରେ ଆଉ କେଉଁମାନେ ସାମିଲ ଅଛନ୍ତି, ସେନେଇ ତଦନ୍ତ ଚାଲିଛି।
ବର୍ତ୍ତମାନ ଅର୍ପିତା ସରକାରଙ୍କୁ ଲଗାତାର ପଚରାଉଚରା କରାଯାଉଛି। ଏସ୍ଟିଏଫ୍ ତାଙ୍କ ମୋବାଇଲ୍ ଫୋନ୍, ଅନ୍ୟାନ୍ୟ ଡିଜିଟାଲ୍ ଉପକରଣ ଯାଞ୍ଚ ଆରମ୍ଭ କରିଛି। ଅଧିକାରୀମାନଙ୍କ ଆଶା ଯେ, ଡିଜିଟାଲ୍ ତଥ୍ୟ ଓ ପଚରାଉଚରାରୁ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିପାରେ। ଯାହା ଏହି କଥିତ ନେଟୱର୍କର କାର୍ୟ୍ୟପ୍ରଣାଳୀ ଓ ଏଥିରେ ସମ୍ପୃକ୍ତ ଅନ୍ୟମାନଙ୍କ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆଣିପାରିବ। ବର୍ତ୍ତମାନ ମାମଲାର ତଦନ୍ତ ଜାରି ରହିଛି।

