fbpx

ପୁଣି ମାଡ଼ି ଆସିଲା ବିପଦ: ଘରଦ୍ୱାର ଧ୍ୱସ୍ତବିଧ୍ୱସ୍ତ, ଶହ ଶହ ଲୋକଙ୍କ ଜୀବନ ନେଇଗଲା ଭୟଙ୍କର ଝଡ଼, ବାତ୍ୟା

ନୂଆଦିଲ୍ଲୀ: ଆଜିର ବିଜ୍ଞାନ ଯୁଗରେ ମଣିଷ ଯେତେ ଉନ୍ନତି ପଥରେ ଅଗ୍ରସର ହେଲେ ମଧ୍ୟ ପ୍ରକୃତି ଆଗରେ ସେ କିଛି ନୁହଁ । ନିକଟରେ ତୁର୍କୀ-ସିରିଆରେ ଭୟଙ୍କର ଭୂକମ୍ପ ଅନୁଭୂତ ହୋଇ ହଜାର ହଜାର ଲୋକ ମୃତ୍ୟୁବରଣ କରିବା ସହିତ ହଜାର ହଜାର ବାସଭବନ ଭାଙ୍ଗିରୁଜି ମାଟିରେ ମିଶି ଯାଇଥିଲା । ତେବେ ଏହା ମଧ୍ୟରେ ପୁଣି ବିଶ୍ୱ ପାଇଁ ଆସିଛି ଏକ ବିପତ୍ତି । ଝଡ଼ ତୋଫାନରେ ଶହ ଶହ ଲୋକଙ୍କର ଜୀବନ ଚାଲିଯାଇଛି ।

ଖବରରୁ ଜଣାପଡ଼ିଛି ଆଫ୍ରିକୀୟ ଦେଶ ମଲାବୀରେ ‘ଫ୍ରେଡି’ ଝଡ଼ର କହର ଦେଖିବାକୁ ମିଳିଛି । ଏହି ଝଡ଼ର ଭୟଙ୍କର ତାଣ୍ଡବରେ ୩୨୬ ଜଣ ଲୋକଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ସଂଖ୍ୟା ବେଳକୁ ବେଳ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ପରିସ୍ଥିତି ଏପରି ହୋଇଛି ଯେ ବାତ୍ୟା ପ୍ରଭାବିତ ଲୋକମାନେ ନିଜ ନିଜ ଅଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ସଂଘର୍ଷ କରୁଛନ୍ତି । ବର୍ଷା ଓ ବାତ୍ୟା କାରଣରୁ ଅନେକ ସଡ଼କରେ ମାଟି ଧସି ବଡ଼ ବଡ଼ ଗାତ ସୃଷ୍ଟି ହୋଇଛି ।

ମଲାବୀ ପାହାଡ଼ରେ ହୋଇଥିବା ବର୍ଷା ମାଟି, କାଦୁଅ ସବୁକିଛି ବୋହି ନେଇଯାଇଛି । ଏହି କାଦୁଅ ପାଣି ଲୋକଙ୍କର ଘରମାନଙ୍କରେ ପଶି ଯାଇଥିଲା । ତେଣୁ ପରିସ୍ଥିତି ଅତ୍ୟନ୍ତ ଜଟିଳ ହୋଇପଡ଼ିଥିଲା । ଏହା ମଧ୍ୟରେ ବାତ୍ୟା ପ୍ରଭାବିତ ଅଞ୍ଚଳରେ ସହାୟତା ପ୍ରଦାନ କରାଯିବା ସହିତ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଝଡ଼ର ପ୍ରଭାବ ବ୍ଲାଣ୍ଟାୟର ସହର ନିକଟବର୍ତ୍ତୀ ଅଞ୍ଚଳରେ ବେଶି ଦେଖିବାକୁ ମିଳିଛି । ‘ଫ୍ରେଡି’ ଦକ୍ଷିଣ ଗୋଲାର୍ଦ୍ଧରେ ବର୍ତ୍ତମାନ ସୁଦ୍ଧା ସବୁଠାରୁ ଶକ୍ତିଶାଳୀ ଝଡ଼ ବୋଲି ବିଶ୍ୱ ମୌସୁମୀ ବିଜ୍ଞାନ ସଂଗଠନ ପକ୍ଷରୁ କୁହାଯାଇଛି । ସେହିପରି ଭୟଙ୍କର ଝଡ଼ ମଧ୍ୟ ମୋଜାମ୍ବିକକୁ ଧରାଶାୟୀ କରିଦେଇଛି । କିଛି ବିଲଡିଂର ଛାତ ଭାଙ୍ଗିଯିବା ସହିତ ଭୂସ୍ଖଳନ ଘଟି ସବୁକିଛି ବର୍ବାଦ କରିଦେଇଛି । ତେବେ ବର୍ଷା କାରଣୁ ସ୍ଥିତି ଆହୁରି ସଙ୍ଗୀନ ହୋଇପାରେ ବୋଲି ମିଳିତ ଜାତିସଂଘର ଏଜେନ୍ସି ପକ୍ଷରୁ ଚେତାବନୀ ଦିଆଯାଇଛି ।

Get real time updates directly on you device, subscribe now.