ନେପାଳ ବନ୍ୟାରେ ସବୁକିଛି ଧ୍ୱଂସ, କିନ୍ତୁ କେମିତି ବଞ୍ଚିଗଲା ଏହି ସବୁଜ ରଙ୍ଗର ଘର? ଚମତ୍କାର ନା ବିଜ୍ଞାନ?

ନେପାଳର କିଛି ଅଞ୍ଚଳରେ ଭୟଙ୍କର ବନ୍ୟା ସବୁକିଛି ଭାଙ୍ଗି ଦେଇଥିବା ବେଳେ, ହାଲୁକା ସବୁଜ ରଙ୍ଗର ଏକ ଦୁଇ ମହଲା ଘର ଏବେ ଦୃଢ଼ତାର ବଡ଼ ଉଦାହରଣ ହୋଇ ଠିଆ ହୋଇଛି।

କାଠମାଣ୍ଡୁ, ସେପ୍ଟେମ୍ବର ୧: ନେପାଳରେ ଆକସ୍ମିକ ବନ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଏକ ହାଲୁକା ସବୁଜ ରଙ୍ଗର ଦୁଇ ମହଲା ଘର ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି। ଚାରିପାଖରେ ବନ୍ୟା ପାଣି, ବଡ଼ ବଡ଼ ପଥର, ଉପୁଡ଼ି ପଡ଼ିଥିବା ଗଛ ଓ ମାଟି-ଆବର୍ଜନା ଅନେକ ଘରକୁ ଧ୍ୱଂସ କରିଦେଇଥିଲେ ମଧ୍ୟ ଏହି ଘରଟି ପ୍ରାୟ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ରହିଛି।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କିଛି ଭିଡିଓରେ ଏହି ଘରର ବାଲକୋନିରେ ତିନି ଜଣ ଲୋକ ଛିଡ଼ା ହୋଇ ବନ୍ୟାର ଭୟଙ୍କର ଦୃଶ୍ୟ ଦେଖୁଥିବା ନଜର ଆସୁଛନ୍ତି। ବନ୍ୟା ପାଣି ଘରର ତଳ ମହଲାରେ ପଶିଯାଇଥିଲା ଏବଂ କବାଟ ଓ ଝରକାକୁ ଭସାଇ ନେଇଥିଲା। କିନ୍ତୁ ଘରର ମୁଖ୍ୟ ଢାଞ୍ଚା ଦୃଢ଼ ଭାବେ ଠିଆ ରହିଥିଲା।

ତେବେ ଏହି ଘରଟି ବଞ୍ଚିଯିବା କେବଳ ଭାଗ୍ୟର କଥା ନୁହେଁ। ‘Architecture Presentation’ ନାମକ ଏକ ଏକ୍ସ (X) ଆକାଉଣ୍ଟର ସୂଚନା ଅନୁସାରେ, ବନ୍ୟାର ପ୍ରକୋପରୁ ଘରକୁ ବଞ୍ଚାଇ ରଖିବାରେ ଏହାର ପକା (RCC) କାନ୍ଥ ଓ ଢାଞ୍ଚା ବଡ଼ ଭୂମିକା ଗ୍ରହଣ କରିଥିବ।

ନେପାଳର ହିମାଳୟ ଉପତ୍ୟକା ଅଞ୍ଚଳରେ ଅନେକ ଘର ରିଇନଫୋର୍ସଡ୍‌ କଂକ୍ରିଟ୍‌ ଢାଞ୍ଚା ବିନା କେବଳ ପଥରରେ ନିର୍ମାଣ କରାଯାଇଥାଏ। ଏଭଳି ଘର ସାଧାରଣ ଉପରୁ ଆସୁଥିବା ଭାରକୁ ସହିପାରେ, କିନ୍ତୁ ଦ୍ରୁତ ଗତିରେ ଆସୁଥିବା ବନ୍ୟା ପାଣି, ପଥର ଓ ଆବର୍ଜନାର ପ୍ରବଳ ପାର୍ଶ୍ୱ ଚାପକୁ ସହିବାରେ ଏଗୁଡ଼ିକ ଅଧିକ ଦୁର୍ବଳ ହୋଇଥାଏ।

କିନ୍ତୁ ଏହି ହାଲୁକା ସବୁଜ ଘରଟିରେ ରିଇନଫୋର୍ସଡ୍‌ କଂକ୍ରିଟ୍‌ ଫ୍ରେମ୍‌ ଥିବା କୁହାଯାଉଛି। ଏଥିରେ ଲୁହା ରଡ଼ ଦେଇ ଘରର ପିଲର, ବିମ୍‌ ଏବଂ ମୂଳଦୁଆକୁ ବହୁତ ମଜବୁତ କରାଯାଇଥିଲା। ଏହାଦ୍ୱାରା ବନ୍ୟା ସହ ଆସିଥିବା ମାଟି, ପଥର ଓ ଅଳିଆର ଚାପ ଗୋଟିଏ ଜାଗାରେ ନପଡ଼ି ସବୁଆଡ଼େ ସମାନ ଭାବେ ବାଣ୍ଟି ହୋଇଯାଇଥିଲା। ଫଳରେ ଘରଟି ଏତେ ବଡ଼ ବନ୍ୟାକୁ ମଧ୍ୟ ସହି ପାରିଲା।

ଘରଟିର ଅବସ୍ଥିତି ମଧ୍ୟ ଏହାକୁ ସୁରକ୍ଷିତ ରଖିବାର ଆଉ ଏକ କାରଣ ହୋଇପାରେ। ବିଶେଷଜ୍ଞଙ୍କ ମତରେ, ଘରଟି ବନ୍ୟା ପାଣି ମୁଖ୍ୟ ସ୍ରୋତଠାରୁ କିଛି ଦୂରରେ ଥିଲା; ତେଣୁ ଏହା ବନ୍ୟାର ସବୁଠାରୁ ଭୟଙ୍କର ମାଡ଼ରୁ ବର୍ତ୍ତି ଯାଇପାରିଛି।

ଘର ଚାରିପାଖରେ ମାଟି, ଆବର୍ଜନା ଓ ଭାଙ୍ଗିଯାଇଥିବା ଘରର ଅଂଶ ଜମା ହେବା ପରେ ଏଗୁଡ଼ିକ ମଧ୍ୟ ବନ୍ୟା ପାଣିର ପରବର୍ତ୍ତୀ ସ୍ରୋତକୁ ଅନ୍ୟ ଦିଗକୁ ମୋଡ଼ିବାରେ ସାହାଯ୍ୟ କରିଥାଇପାରେ।

ଏହି ଆଶ୍ଚର୍ଯ୍ୟଜନକ ଭିଡିଓ ନେପାଳ ବନ୍ୟାର ଭୟଙ୍କର ଶକ୍ତି ସହିତ ବିପର୍ଯ୍ୟୟପ୍ରବଣ ଅଞ୍ଚଳରେ ଘର ନିର୍ମାଣ ସମୟରେ ମଜବୁତ ଢାଞ୍ଚା ଓ ଉପଯୁକ୍ତ ସ୍ଥାନ ଚୟନର ଗୁରୁତ୍ୱକୁ ମଧ୍ୟ ସାମ୍ନାକୁ ଆଣିଛି।