ମଦ ପିଇବାର କେତେ ବର୍ଷ ପରେ ଖରାପ ହୁଏ ଲିଭର୍, ଜାଣନ୍ତୁ କେଉଁ ପର୍ଯ୍ୟାୟରେ ଆରମ୍ଭ ହୁଏ ବିପଦ
କେତେ ଦିନ ମଦ ପିଇଲେ ଖରାପ ହୁଏ ଲିଭର୍? ଜାଣନ୍ତୁ ଫ୍ୟାଟି ଲିଭର୍ଠୁ ସିରୋସିସ୍ ପର୍ଯ୍ୟନ୍ତ ପୂରା କଥା।
ଭୁବନେଶ୍ୱର: ମଦ ପିଇବାର ଅଭ୍ୟାସ ଧୀରେ ଧୀରେ ମଣିଷ ଶରୀରକୁ ଭିତରୁ ଦୁର୍ବଳ କରିଦିଏ। ବିଶେଷକରି ଏହାର ସବୁଠୁ ଅଧିକ ପ୍ରଭାବ ଲିଭର୍ ଉପରେ ପଡ଼ିଥାଏ। ଅନେକ ଲୋକ ଭାବନ୍ତି ଯେ, ବର୍ଷ ବର୍ଷ ଧରି ମଦ ପିଇଲେ ହିଁ ଲିଭର୍ ଖରାପ ହୁଏ। କିନ୍ତୁ ଏହା ସତ ନୁହେଁ।
ଅଧିକ ପରିମାଣରେ ନିୟମିତ ମଦ ପିଇଲେ ମାତ୍ର କିଛି ସପ୍ତାହ କିମ୍ବା ମାସ ମଧ୍ୟରେ ଲିଭର୍ରେ ଏହାର ପ୍ରଭାବ ଦେଖାଦେଇପାରେ। ଆରମ୍ଭରେ ଏହାର ଲକ୍ଷଣ ଜଣାପଡ଼େ ନାହିଁ, କିନ୍ତୁ ଧୀରେ ଧୀରେ ଏହା ଗମ୍ଭୀର ରୋଗର ରୂପ ନେଇପାରେ।
ତେବେ ମଦ ପିଇବାର କେତେ ଦିନ ପରେ ଲିଭର୍ ଖରାପ ହେବା ଆରମ୍ଭ କରେ? କେଉଁ ପର୍ଯ୍ୟାୟରେ ଏହା ବିପଜ୍ଜନକ ହୋଇଥାଏ? ଆସନ୍ତୁ ଜାଣିବା।
କିଛି ସପ୍ତାହରେ ପ୍ରଥମ ପ୍ରଭାବ: ଅଧିକ ପରିମାଣରେ ଲଗାତାର ମଦ ପିଇଲେ ମାତ୍ର କିଛି ସପ୍ତାହ କିମ୍ବା ମାସ ମଧ୍ୟରେ ଲିଭର୍ରେ ଚର୍ବି ଜମା ହେବା ଆରମ୍ଭ ହୋଇପାରେ। ଏହାକୁ ଆଲକୋହଲିକ୍ ଫ୍ୟାଟି ଲିଭର୍ କୁହାଯାଏ। ଏହି ସମସ୍ୟାରେ ଲିଭର୍ର କୋଷଗୁଡ଼ିକରେ ଆବଶ୍ୟକତାଠାରୁ ଅଧିକ ଚର୍ବି ଜମା ହୋଇଥାଏ।
ସବୁଠୁ ଚିନ୍ତାର ବିଷୟ ହେଉଛି, ଏହି ପ୍ରାରମ୍ଭିକ ଅବସ୍ଥାରେ ଅନେକଙ୍କୁ କୌଣସି ବଡ଼ ଲକ୍ଷଣ ଜଣାପଡ଼େ ନାହିଁ। କେତେକଙ୍କୁ ଥକ୍କାପଣ ଲାଗିବା ସହ ପେଟର ଉପର ଭାଗରେ ଅସ୍ୱାଭାବିକ ଅନୁଭବ ହୋଇପାରେ। ତେବେ ଏହି ପର୍ଯ୍ୟାୟରେ ମଦ ପିଇବା ସମ୍ପୂର୍ଣ୍ଣ ବନ୍ଦ କରିଦେଲେ ଲିଭର୍ରେ ଜମା ହୋଇଥିବା ଚର୍ବି କମିବା ସହ ସୁଧାର ଆସିପାରେ।
କେବେ ବଢ଼େ ଲିଭର୍ ଖରାପ ହେବା ଆଶଙ୍କା: ଯଦି ଜଣେ ବ୍ୟକ୍ତି ଲଗାତାର ଅଧିକ ମଦ ପିଇବା ଜାରି ରଖନ୍ତି, ତେବେ ଲିଭର୍ରେ ଧୀରେ ଧୀରେ ପ୍ରଦାହ ବା ଫୁଲା ସୃଷ୍ଟି ହୋଇପାରେ। ଏହି ରୋଗକୁ ଆଲକୋହଲିକ୍ ହେପାଟାଇଟିସ୍ କୁହାଯାଏ। ଏହା ଲିଭର୍ର ଏକ ଗମ୍ଭୀର ସମସ୍ୟା।
ଏହି ରୋଗ ହେଲେ ଭୋକ କମିଯିବା, ଶରୀର ଦୁର୍ବଳ ଲାଗିବା, ପେଟରେ ଯନ୍ତ୍ରଣା ହେବା ଏବଂ ଆଖି କିମ୍ବା ଚର୍ମ ହଳଦିଆ ପଡ଼ିବା ଭଳି ଲକ୍ଷଣ ଦେଖାଦେଇପାରେ।
ଏହାସତ୍ତ୍ୱେ ମଦ ପିଇବା ଜାରି ରହିଲେ ଲିଭର୍ର କୋଷଗୁଡ଼ିକ ବାରମ୍ବାର କ୍ଷତିଗ୍ରସ୍ତ ହୁଅନ୍ତି। ଫଳରେ ଲିଭର୍ରେ କ୍ଷତଚିହ୍ନ ବା ଦାଗ ସୃଷ୍ଟି ହେବାକୁ ଲାଗେ। ଧୀରେ ଧୀରେ ଏହା ସିରୋସିସ୍ ଭଳି ଗମ୍ଭୀର ଅବସ୍ଥାରେ ପହଞ୍ଚିପାରେ। ଏହି ସ୍ଥିତିରେ ଲିଭର୍ର ସାଧାରଣ କାର୍ଯ୍ୟ କରିବା କ୍ଷମତା ହ୍ରାସ ପାଇଥାଏ।
ଖରାପ ଲିଭର୍ ପୁଣି ଠିକ୍ ହୋଇପାରିବ କି: ଲିଭର୍ର ଏକ ବିଶେଷ ଗୁଣ ହେଉଛି, ଏଥିରେ ନିଜକୁ ସୁଧାରିବାର କ୍ଷମତା ରହିଛି। ଯଦି ପ୍ରାରମ୍ଭିକ ଅବସ୍ଥାରେ ଲିଭର୍ରେ ଚର୍ବି ଜମା ହୋଇଥାଏ, ତେବେ ମଦ ପିଇବା ସମ୍ପୂର୍ଣ୍ଣ ବନ୍ଦ କରିବା ଦ୍ୱାରା ଏହା ଧୀରେ ଧୀରେ କମିପାରେ।
ସେହିପରି ଲିଭର୍ରେ ପ୍ରାରମ୍ଭିକ ପ୍ରଦାହ ଥିଲେ ମଧ୍ୟ ଠିକ୍ ଚିକିତ୍ସା ଓ ମଦ୍ୟପାନ ବନ୍ଦ କରିବା ଦ୍ୱାରା ସୁଧାର ଆସିପାରେ। କିନ୍ତୁ ରୋଗ ସିରୋସିସ୍ ପର୍ଯ୍ୟାୟରେ ପହଞ୍ଚିଗଲେ ଲିଭର୍ରେ ସୃଷ୍ଟି ହୋଇଥିବା ଦାଗ ବା କ୍ଷତଚିହ୍ନ ସମ୍ପୂର୍ଣ୍ଣ ଭଲ ହୋଇନଥାଏ। ଏଭଳି ସ୍ଥିତିରେ ମଦ ପିଇବା ସମ୍ପୂର୍ଣ୍ଣ ବନ୍ଦ କରିବା ସହ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଚିକିତ୍ସା କରାଇବା ଜରୁରୀ।
ତେଣୁ ଯେଉଁମାନେ ନିୟମିତ ମଦ ପିଉଛନ୍ତି, ସେମାନେ ଲକ୍ଷଣ ଦେଖାଦେବା ପର୍ଯ୍ୟନ୍ତ ଅପେକ୍ଷା ନକରି ଡାକ୍ତରଙ୍କ ପରାମର୍ଶରେ ଲିଭର୍ ଯାଞ୍ଚ କରାଇବା ଉଚିତ। କାରଣ ଆରମ୍ଭରୁ ଲିଭର୍ରେ ସମସ୍ୟା ଥିଲେ ମଧ୍ୟ ତାହା ଶରୀରରେ ସହଜରେ ଜଣାପଡ଼ିନଥାଏ।


