Cardiac Arrest: ହୃଦୟ ବା ହାର୍ଟ ଆମ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ଶକ୍ତିଶାଳୀ ଅଙ୍ଗ ହେବା ସହ ଏହା ଅତ୍ୟନ୍ତ ସମ୍ବେଦନଶୀଳ ମଧ୍ୟ ଅଟେ । ଏହା ଶରୀରର ଏକମାତ୍ର ଅଙ୍ଗ ଯାହା ବିନା ବିଶ୍ରାମରେ, ମଣିଷର ଜନ୍ମଠାରୁ ଆରମ୍ଭ କରି ଶେଷ ନିଶ୍ୱାସ ପର୍ଯ୍ୟନ୍ତ କ୍ରମାଗତ ଭାବେ କାମ କରିଚାଲିଥାଏ । ହୃଦୟର ସ୍ପନ୍ଦନ ଚାଲିଥିବା ପର୍ଯ୍ୟନ୍ତ ଜୀବନ ଚାଲିଥାଏ ଏବଂ ଯେଉଁଦିନ ଏହି ସ୍ପନ୍ଦନ ଅଟକିଯାଏ, ସେଦିନ ଜୀବନ ମଧ୍ୟ ଶେଷ ହୋଇଯାଏ ।
ବିଗତ କିଛି ବର୍ଷ ହେବ ସାରା ବିଶ୍ୱରେ ହାର୍ଟ ଆଟାକ୍ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇଛି । କେବଳ ବୟସ୍କ ଲୋକ ନୁହଁନ୍ତି, ବରଂ ଆଜିକାଲିର ଯୁବପିଢ଼ି ମଧ୍ୟ ଏହାର ଶିକାର ହେଉଛନ୍ତି । ଆପଣ ଅନେକ ସମୟରେ ଡାକ୍ତରଙ୍କ ସୂଚନାରୁ ଶୁଣିଥିବେ ଯେ ରୋଗୀଙ୍କୁ ପୂର୍ବରୁ ମଧ୍ୟ କେତେଥର ହାର୍ଟ ଆଟାକ୍ ଆସିସାରିଛି । ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠେ ଯେ, ପ୍ରକୃତରେ ଜଣେ ମଣିଷ କେତେଥର ହାର୍ଟ ଆଟାକ୍ ସହିପାରେ? ଆସନ୍ତୁ ଜାଣିବା ଏହି ବିଷୟରେ..
କେତେଥର ଆଟାକ୍ ସହିପାରେ ହୃଦୟ?
ସ୍ଵାସ୍ଥ୍ୟ ବିଷେଶଜ୍ଞଙ୍କ ଅନୁସାରେ, ହୃଦୟର କାମ କରିବାର ଏକ ନିର୍ଦ୍ଦିଷ୍ଟ ସୀମା ଥାଏ । ଏହାର ମୁଖ୍ୟ କାମ ହେଉଛି ସାରା ଶରୀରକୁ ରକ୍ତ ପମ୍ପ କରିବା । ମାତ୍ର ଯେତେବେଳେ ହୃଦୟର ରକ୍ତବାହୀ ନଳୀ ବା ଶିରାପ୍ରଶିରାରେ ବ୍ଲକେଜ୍ ସୃଷ୍ଟି ହୁଏ, ସେତେବେଳେ ହୃଦୟ ତାର କାର୍ଯ୍ୟକ୍ଷମତା ହରାଇବାକୁ ଲାଗେ । ଏହି ସ୍ଥିତିକୁ ହିଁ ହାର୍ଟ ଆଟାକ୍ କୁହାଯାଏ । ହାର୍ଟ ଆଟାକ୍ର ଅର୍ଥ ହେଉଛି ହୃଦୟ ପର୍ଯ୍ୟନ୍ତ ରକ୍ତ ଏବଂ ଅମ୍ଳଜାନ ସଠିକ୍ ଭାବେ ପହଞ୍ଚି ନପାରିବା, ଯାହାଫଳରେ ହୃଦୟର ମାଂସପେଶୀଗୁଡ଼ିକ ଧୀରେ ଧୀରେ ନଷ୍ଟ ହେବାକୁ ଲାଗନ୍ତି ।
ଯଦିଓ ଗୋଟିଏ ହାର୍ଟ ଆଟାକ୍ ସହିବା ମଧ୍ୟ ସହଜ ନୁହେଁ, କାରଣ ପ୍ରତ୍ୟେକ ଆଟାକ୍ ହୃଦୟର ମାଂସପେଶୀକୁ ଗଭୀର ଭାବେ କ୍ଷତି ପହଞ୍ଚାଇଥାଏ । କେତେକ କ୍ଷେତ୍ରରେ ପ୍ରଥମ ଆଟାକ୍ ଏତେ ଭୟାବହ ହୋଇଥାଏ ଯେ ଡାକ୍ତରଖାନା ପହଞ୍ଚିବା ପୂର୍ବରୁ ହିଁ ରୋଗୀର ମୃତ୍ୟୁ ଘଟିଥାଏ ।
ମାତ୍ର ଯଦି ପ୍ରଥମ ଆଟାକ୍ ଆସିବା ମାତ୍ରେ ରୋଗୀକୁ ତୁରନ୍ତ ଡାକ୍ତରୀ ଚିକିତ୍ସା ମିଳିଯାଏ, ତେବେ ହୃଦୟର କ୍ଷତିକୁ ବହୁ ପରିମାଣରେ କମାଯାଇପାରେ । ଏହାପରେ ଯଦି ରୋଗୀ ନିଜ ଜୀବନଶୈଳୀରେ ସୁଧାର ନଆଣେ ଏବଂ ପୁଣି ଥରେ ନଳୀଗୁଡ଼ିକରେ ବ୍ଲକେଜ୍ ବଢ଼େ, ତେବେ ଦ୍ୱିତୀୟ କିମ୍ବା ତୃତୀୟ ଆଟାକ୍ ମଧ୍ୟ ଆସିପାରେ । ପ୍ରତ୍ୟେକ ଆଟାକ୍ ହୃଦୟକୁ ପୂର୍ବ ଅପେକ୍ଷା ଆହୁରି ଦୁର୍ବଳ କରିଦିଏ ।
ହାର୍ଟ ଆଟାକ୍ ଏକ ଜରୁରୀକାଳୀନ ସ୍ଥିତି
ବିଶେଷଜ୍ଞଙ୍କ ମତରେ, ଯଦି ହାର୍ଟ ଆଟାକ୍ ଯୋଗୁଁ ହୃଦୟର ୩୦ ରୁ ୪୦ ପ୍ରତିଶତରୁ ଅଧିକ ମାଂସପେଶୀ ଖରାପ କିମ୍ବା ନଷ୍ଟ ହୋଇଯାଏ, ତେବେ ହୃଦୟର ରକ୍ତ ସଞ୍ଚାଳନ ବା ପମ୍ପ କରିବାର କ୍ଷମତା ବହୁତ କମିଯାଏ । ଏଭଳି ସ୍ଥିତିରେ ଶରୀରର ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଅଙ୍ଗଗୁଡ଼ିକୁ ପର୍ଯ୍ୟାପ୍ତ ରକ୍ତ ମିଳିପାରେ ନାହିଁ ଏବଂ ସ୍ଥିତି ଅତ୍ୟନ୍ତ ଗମ୍ଭୀର ହୋଇଯାଏ । ଏହି ଅବସ୍ଥାରେ ରୋଗୀର ଜୀବନ ବଞ୍ଚାଇବା ସବୁଠାରୁ କଷ୍ଟକର ହୋଇଥାଏ ।
ହାର୍ଟ ଆଟାକ୍ ଏକ ମେଡିକାଲ୍ ଇମରଜେନ୍ସି । ଏହାକୁ ଆଦୌ ହାଲୁକା ଭାବେ ନେବା ଉଚିତ୍ ନୁହେଁ । ରୋଗୀକୁ ଯେତେ ଶୀଘ୍ର ଏବଂ ସଠିକ୍ ସମୟରେ ଚିକିତ୍ସା ସୁବିଧା ମିଳିବ, ହୃଦୟକୁ ସୁରକ୍ଷିତ ରଖିବା ସହ ରୋଗୀର ଜୀବନ ବଞ୍ଚାଇବାର ସମ୍ଭାବନା ସେତେ ଅଧିକ ବୃଦ୍ଧି ପାଇବ ।


