fbpx

ନୀରଜଙ୍କ ଅଲିମ୍ପିକ୍ସ ପ୍ରସ୍ତୁତରେ ଖର୍ଚ୍ଚ ହୋଇଥିଲା ଏତିକି ଟଙ୍କା.. ‘TOPS’ରେ ଥିଲେ ସାମିଲ

ନୂଆଦିଲ୍ଲୀ: ଅଲିମ୍ପିକ୍ସରେ ଭାରତର ଆଥଲେଟିକ୍ସ ପଦକ ମରୁଡି ଶେଷ କରିଥିବା ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରାଙ୍କ ଅଲିମ୍ପିକ୍ସ ପ୍ରସ୍ତୁତିର ଖର୍ଚ୍ଚ ଚର୍ଚ୍ଚାରେ ରହିଛି । ଟୋକିଓରେ ସ୍ୱର୍ଣ୍ଣ ହାସଲ କରିଥିବା ନୀରଜ ଭାରତ ସରକାରଙ୍କ ଟପ୍ସ ଯୋଜନାରେ ସାମିଲ ରହିଥିବା ବେଳେ ଜିନ୍ଦଲ ଷ୍ଟିଲ ମଧ୍ୟ ନୀରଜଙ୍କ ପ୍ରୟୋଜକ ରହିଥିଲା । ଅଭିନବ ବିନ୍ଦ୍ରାଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବରେ ବ୍ୟକ୍ତିଗତ ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କରିବାର କୃତିତ୍ୱ ହାସଲ କରିଛନ୍ତି ନୀରଜ । ୨୦ ବର୍ଷରୁ କମ୍ ଆଥଲେଟିକ ବିଶ୍ୱକପରେ ୮୬ .୪୮ ମିଟର ଦୂରତ୍ୱ ସହିତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ନୀରଜ । ତେବେ ରିଓ-୨୦୧୬ରେ ପଦକ ହାସଲରେ ସମର୍ଥ ହୋଇନଥିଲେ ନୀରଜ ।

ନିକଟରେ ନୀରଜଙ୍କ ଅଲିମ୍ପିକ ପ୍ରସ୍ତୁତିରେ ଖର୍ଚ୍ଚର ପରିମାଣ ସାମ୍ନାକୁ ଆସିଛି । ନୀରଜଙ୍କ ପ୍ରସ୍ତୁତିରେ ସମୁଦାୟ ୪.୮୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଟୋକିଓ ପୂର୍ବର ୫ ବର୍ଷରେ ସମୁଦାୟ ୨୬ଟି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଛନ୍ତି ନୀରଜ । ଏହି ସମୟରେ ସାଉଥ୍ ଆଫ୍ରିକା, ପୋଲାଣ୍ଡ, ତୁର୍କୀ, ଫିନଲାଣ୍ଡ, ଚେକ୍ ରିପବ୍ଲିକ ଓ ସ୍ୱିଡେନ ପରି ଦେଶକୁ ବିଭିନ୍ନ ପ୍ରତିଯୋଗିତା ଓ ପ୍ରସ୍ତୁତି ପାଇଁ ଯାଇଛନ୍ତି ନୀରଜ ।

ଜାଭେଲିନର କିମ୍ବଦନ୍ତୀ ଉଏ ହନଙ୍କୁ ନୀରଜଙ୍କ ପ୍ରଶିକ୍ଷଣ ପାଇଁ ୨୦୧୭ରେ ଚୁକ୍ତିବଦ୍ଧ କରାଯାଇଥିଲା । ତେବେ ୨୦୧୯ ମେରେ ନୀରଜଙ୍କ କହୁଣୀ ଅସ୍ତ୍ରୋପଚାର ପରେ ଡ. କ୍ଲାଉସ ବାର୍ଟୋନିଏଜଙ୍କୁ ତାଙ୍କର କୋଚ ଭାବରେ ଘୋଷଣା କରାଯାଇଥିଲା । କ୍ଲାଉସ ବାର୍ଟୋନିଏଜଙ୍କ ବେତନ ବାବଦରେ ସରକାର ୧.୨୨ କୋଟି ଟଙ୍କା ବ୍ୟୟ କରିଛନ୍ତି । ଏହା ବାଦ ନୀରଜଙ୍କ ଜାଭେଲିନ୍ କିଣା ବାବଦକୁ ୪ ଲକ୍ଷ ୩୫ ହଜାର ଟଙ୍କା ବ୍ୟୟ କରାଯାଇଛି । ୨୦୨୧ରେ ଅଲିମ୍ପିକ୍ସ ପ୍ରସ୍ତୁତି ପାଇଁ ୧୯.୨୨ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି । ସ୍ୱିଡେନରେ ରହଣି ବାବଦରେ ଏହି ଅର୍ଥ ଖର୍ଚ୍ଚ କରାଯାଇଥିଲା । ତେବେ କେବଳ ସରକାର ନୁହନ୍ତି ଜିନ୍ଦଲ ଷ୍ଟିଲ ମଧ୍ୟ ନୀରଜଙ୍କ ବାବଦରେ ଅର୍ଥ ଖର୍ଚ୍ଚ କରିଛି । ନୀରଜଙ୍କ ଜର୍ମାନୀରେ ପ୍ରଶିକ୍ଷଣ ଠାରୁ ଆରମ୍ଭ କରି ଫିଜିଓ ରଖିବା ପର୍ଯ୍ୟନ୍ତ ଖର୍ଚ୍ଚ ଜେଏସଡବ୍ଲ୍ୟୁ ବହନ କରିଛି । ନୀରଜଙ୍କ ବ୍ୟତିତ ଏମ୍ ସି ମେରୀ କମ୍ ଓ ବଜରଙ୍ଗ ପୁନିଆଙ୍କ ଖର୍ଚ୍ଚ ମଧ୍ୟ ଜେଏସଡବ୍ଲ୍ୟୁ ବହନ କରୁଛି ।

Get real time updates directly on you device, subscribe now.