ଯୁଆଡେ ଆଖି ବୁଲାଇବ ସିଆଡେ ରକ୍ତର ଛିଟା, ଚାହୁଁ ଚାହୁଁ କିଛି ସମୟ ଭିତରେ ଟ୍ରେନ ପାଲଟିଗଲା ରକ୍ତର ନଦୀ
ହଠାତ୍ ଟ୍ରେନର ଯାତ୍ରୀଙ୍କ ଉପରେ ଛୁରା ମାଡ଼।
ଓଡିଶାଭାସ୍କର: ଚତୁଃପାର୍ଶ୍ୱ ଯୁଆଡେ ଆଖି ବୁଲାଇବେ ସିଆଡେ ରକ୍ତର ବନ୍ୟା। ଆଖି ପିଛୁଳାକେ ଟ୍ରେନଟି ପାଲଟିଗଲା ରକ୍ତର ନଦୀ। କେହି କିଛି ବୁଝିବା ଆଗରୁ ଗୋଡାଇ ଗୋଡାଇ ଛୁରୀ ଧରି ଭୁସିବାକୁ ଲାଗିଥିଲେ ଜଣେ ଯାତ୍ରୀ।
କଥାଟି ହୁଏତ ଆପଣଙ୍କୁ କୌଣସି ଫିଲ୍ମର କାହାଣୀ ପରି ଲାଗୁଥିବ। ହେଲେ ଏହା ଏକ ବାସ୍ତବ ଘଟଣା। ଯାହା ସମସ୍ତଙ୍କ ମନକୁ ଭୟଭୀତ କରିଦେଇଛି। ଆଉ ଟ୍ରେନରେ ଥିବା ପ୍ରତ୍ୟେକ୍ଷଦର୍ଶୀ ଯାତ୍ରୀ ଏବେ ବି ସେ ଭୟଙ୍କର କଥାକୁ ମନେପକାଇ ଥରୁଛନ୍ତି।
ଟ୍ରେନରେ ଛୁରାମାଡ଼:
ଘଟଣାଟି ଅବଶ୍ୟ ଆମ ଭାରତର ନୁହେଁ। ଏହି ହୃଦୟବିଦାରକ ଘଟଣାଟି ଘଟିଛି ଲଣ୍ଡନରେ। ଲଣ୍ଡନ ଯାଉଥିବା ଏକ ଟ୍ରେନରେ ଯାତ୍ରୀ ଭାବେ ବସିଥିବା ସନ୍ଦିଗ୍ଧ ବ୍ୟକ୍ତି କିପରି ଅଚାନକ ଅନ୍ୟ ଯାତ୍ରୀମାନଙ୍କୁ ଛୁରାମାଡ଼ କରିଥିଲେ ସଂ ଭୟଙ୍କର ଘଟଣା ବିଷୟରେ ବର୍ଣ୍ଣନା କରିଛନ୍ତି କିଛି ପ୍ରତ୍ୟକ୍ଷଦର୍ଶୀ।
ନଭେମ୍ୱର ୧ ତାରିଖ ଶନିବାର ସନ୍ଧ୍ୟା ପ୍ରାୟ ୭.୩୦ ହେବ। ଟ୍ରେନଟି ପିଟରବରୋ ଷ୍ଟେସନ ଛାଡିବାର କିଛି ମିନିଟ୍ ପରେ ଏହି ଘଟଣା ଘଟିଥିଲା। ଏହା ଡୋନକାଷ୍ଟରରୁ ଲଣ୍ଡନର କିଙ୍ଗସ କ୍ରସ୍ ଷ୍ଟେସନକୁ ଯାଉଥିଲା, ଯାହା ସାଧାରଣତଃ ସବୁବେଳେ ଯାତ୍ରୀମାନଙ୍କ ଭିଡ଼ ଥାଏ।
ଏହି ସମୟରେ ଜଣେ ବ୍ୟକ୍ତି ଛୁରୀରେ ହଠାତ୍ ଅନେକ ଯାତ୍ରୀଙ୍କୁ ଆକ୍ରମଣ କରିବା ଆରମ୍ଭ କରିଥିଲେ। ଯେଉଁଥିରେ ୧୦ ଜଣ ଆହତ ହୋଇଛନ୍ତି। ଏବଂ ସେମାନଙ୍କ ମଧ୍ୟରୁ ୯ ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି।
ପ୍ରତ୍ୟକ୍ଷଦର୍ଶୀମାନେ କ’ଣ କହିଲେ:
ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ ସେମାନେ ଜଣେ ବ୍ୟକ୍ତିଙ୍କୁ ଏକ ବଡ଼ ଛୁରୀ ଧରି ବୁଲୁଥିବାର ଦେଖିଛନ୍ତି। ଯେଉଁଥିରେ ରକ୍ତ ମଧ୍ୟ ଲାଗିଥିଲା। ଜଣେ ଯାତ୍ରୀ କହିଛନ୍ତି ଯେ ଭୟରେ ଲୋକମାନେ ନିଜ ଜୀବନ ବଞ୍ଚାଇବାକୁ ଭୟରେ ଟ୍ରେନ ଟଏଲେଟରେ ଲୁଚିଯାଇଥିଲେ।
ଏପରିକି ଦୌଡାଦୌଡି ସମୟରେ ଅନେକ ଲୋକ ତଳେ ପଡିଯାଇଥିଲେ। ଯାହା ଫଳରେ ଦଳାଚକଟା ପରିସ୍ଥିତି ମଧ୍ୟ ଦେଖିବାକୁ ମିଳିଥିଲା। ଏହି ସମୟରେ ଆଉ ଜଣେ ଯାତ୍ରୀ କହିଛନ୍ତି “ଲୋକମାନେ ଚିତ୍କାର କରୁଥିଲେ, ‘ଆମେ ତୁମକୁ ଭଲ ପାଉଛୁ’, ହୁଏତ କାହାକୁ ଶାନ୍ତ କରିବାକୁ ଚେଷ୍ଟା କରୁଥିଲେ।”
ଅନ୍ୟ ଜଣେ ପ୍ରତ୍ୟକ୍ଷଦର୍ଶୀ ଗଣମାଧ୍ୟମକୁ କହିଛନ୍ତି ଯେ ସେମାନେ ଜଣେ ଆହତ ବ୍ୟକ୍ତିଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦୌଡ଼ି ପଳାଇ ଯାଉଥିବାର ଦେଖିଛନ୍ତି, ଯିଏକି ଚିତ୍କାର କରି କହୁଥିଲେ “ସେମାନଙ୍କ ପାଖରେ ଛୁରୀ ଅଛି, ସେମାନେ ମୋତେ ମାରି ଦେବେ।”
ସେହିପରି ଡରି ଡରି ଆଉ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, “ପ୍ରଥମେ ମୁଁ ଏହାକୁ ଏକ ମଜା ବୋଲି ଭାବିଥିଲି, କିନ୍ତୁ ତା’ପରେ ଲୋକମାନେ ଚିତ୍କାର କରିବାକୁ ଲାଗିଲେ, ‘ଦୌଡ଼, ଦୌଡ଼, ସେ ସମସ୍ତଙ୍କୁ ଛୁରୀ ମାରୁଛି।”
ବ୍ରିଟିଶ ପରିବହନ ପୋଲିସ ଏହା କହିଛି:
ବ୍ରିଟିଶ ପରିବହନ ପୋଲିସ କହିଛି ଯେ ଆକ୍ରମଣର ସମ୍ପୂର୍ଣ୍ଣ ଉଦ୍ଦେଶ୍ୟ ଏବଂ ପୃଷ୍ଠଭୂମି ପ୍ରତିଷ୍ଠା କରିବା ପାଇଁ ଆତଙ୍କବାଦ ବିରୋଧୀ ପୋଲିସ ମଧ୍ୟ ତଦନ୍ତରେ ସହାୟତା କରୁଛି। ପୋଲିସ ଅଧିକାରୀ କ୍ରିସ୍ କେସି କହିଛନ୍ତି ଯେ ତଦନ୍ତ ଚାଲିଛି ଏବଂ ଏକ ନିଷ୍କର୍ଷରେ ପହଞ୍ଚିବା ପାଇଁ ସମୟ ଲାଗିବ।
ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା:
ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମର ଏହି ଆକ୍ରମଣକୁ “ସମ୍ପୂର୍ଣ୍ଣ ଭୟଙ୍କର” ବୋଲି ବର୍ଣ୍ଣନା କରିଛନ୍ତି ଏବଂ ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ସେ ଲୋକମାନଙ୍କୁ ପୋଲିସ ନିର୍ଦ୍ଦେଶ ପାଳନ କରିବାକୁ ଅନୁରୋଧ କରିଛନ୍ତି।
