ସାବଧାନ! ବଜାରରେ ମିଳୁଛି ନକଲି ରସଗୋଲା, କେମିତି ଜାଣିବେ କିଏ ଅସଲି କିଏ ନକଲି…
ଛୋଟ ଉପାୟରେ ଜାଣନ୍ତୁ ଆପଣ ଖାଉଥିବା ରସଗୋଲା ଅସଲି କି ନକଲି!
ଭୁବନେଶ୍ଵର: ପାଖେଇ ଆସିଲାଣି ଦୀପାବଳି । ଆଉ ବଜାରରେ ବଢିଲାଣି ମିଠା ବ୍ୟବସାୟ । ଭଳି କି ଭଳି ମିଠା ବଜାରରେ ବିକ୍ରି ହେଉଥିବା ବେଳେ ଓଡିଆଙ୍କ ପ୍ରିୟ ରସଗୋଲାର କ୍ରେଜ ସବୁଠୁ ଅଲଗା । କିନ୍ତୁ ଏହି ପାର୍ବଣ ଋତୁରେ ନକଲି ରସଗୋଲା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ବିପଦପୂର୍ଣ୍ଣ ହୋଇପାରେ। ସେଥିପାଇଁ ଆପଣ ମିଠା ଖାଇବା ପୂର୍ବରୁ ଏହାର ଶୁଦ୍ଧତା ଯାଞ୍ଚ କରିବା ଉଚିତ । ଜାଣନ୍ତୁ କେମିତି କରିବେ ନକଲି ରସଗୋଲା ଚିହ୍ନଟ ।
ହାତରେ ଦବାନ୍ତୁ: ରସଗୋଲାର ଗଠନ ହିଁ ଆପଣଙ୍କୁ ଜଣେଇଦେବ ଯେ ଏହା ଅସଲି ନା ନକଲି । ସେଥିପାଇଁ ରସଗୋଲାକୁ ହାତରେ ଚିପନ୍ତୁ । ଯଦି ରସଗୋଲା ଚିପିବା ପରେ ତାହାର ମୂଳ ଆକାରକୁ ଫେରିଯାଏ, ତେବେ ଏହା ଅସଲି । କିନ୍ତୁ, ଯଦି ରସଗୋଲା ଚିପିବା ପରେ ସେମିତି ରୁହେ କି ଭାଙ୍ଗିଯାଏ ତେବେ ଏହା ଅପମିଶ୍ରିତ ।
ରଙ୍ଗରୁ ଚିହ୍ନଟ: ବାସ୍ତବରେ ରସଗୋଲାର ରଙ୍ଗ ଧଳା । କିନ୍ତୁ ଯଦି ରସଗୋଲା ଆଖିକୁ ଚକଚକିଆ କିମ୍ବା ଗାଢ଼ ରଙ୍ଗର ଦେଖାଯାଏ ତେବେ ଏଥିରେ ଅପମିଶ୍ରିତ ହୋଇଥାଇପାରେ। ରାସାୟନିକ ରଙ୍ଗ ମିଶାଇବା ଦ୍ୱାରା ରସଗୋଲା ଚକଚକିଆ ହୋଇଥାଏ । ଚକଚକିଆ ରସଗୋଲା ଅଧିକ ଆକର୍ଷଣୀୟ ଦେଖାଯାଇପାରେ, କିନ୍ତୁ ରାସାୟନିକ ରଙ୍ଗର ବ୍ୟବହାର ହୋଇଥିବାରୁ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ।
ଆୟୋଡିନ୍ ଟେଷ୍ଟ: ରସଗୋଲାର ଏକ ଛୋଟ ଅଂଶ ନେଇ ପାଣିରେ ଫୁଟାନ୍ତୁ। ପାଣି ଫୁଟିବା ପରେ, ପାଣିରେ କିଛି ବୁନ୍ଦା ଆୟୋଡିନ୍ ମିଶାନ୍ତୁ। ଯଦି ପାଣି ରଙ୍ଗ ପରିବର୍ତ୍ତନ କରେ ଏବଂ ନୀଳ କିମ୍ବା କଳା ହୋଇଯାଏ, ତେବେ ଏହାର ଅର୍ଥ ହେଉଛି ମିଠା ପ୍ରସ୍ତୁତି ସମୟରେ ଷ୍ଟାର୍ଚ ମିଶାଯାଇଥିଲା।
