fbpx

HSRP ସମୟସୀମା ମାସେ ବଢ଼ିଲା: କେଉଁ ଗାଡ଼ି ନମ୍ବର ପାଇଁ ଶେଷ ତାରିଖ କେତେ, ବିଜ୍ଞପ୍ତି ଜାରି କଲା ରାଜ୍ୟ ପରିବହନ ବିଭାଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୨୦୧୯ ମସିହା ପୂର୍ବରୁ ପଞ୍ଜୀକୃତ ସମସ୍ତ ଗାଡ଼ିରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ (ଏଚଏସଆରପି) ଲଗାଇବାକୁ ରାଜ୍ୟ ସରକାର ବାଧ୍ୟତାମୂଳକ କରିଥିଲେ । ଅକ୍ଟୋବର ୧ ତାରିଖ ଠାରୁ ଏହାର ଯାଞ୍ଚ କରାଯାଇ ଉଲ୍ଲଂଘନକାରୀଙ୍କଠାରୁ ଜରିମାନା ଆଦାୟ କରାଯିବ ବୋଲି କୁହାଯାଇଥିଲା । ତେବେ ଟାଇମଲାଇନ ମଧ୍ୟରେ ବୁକିଂ କରିଥିଲେ ରିହାତି ମିଳିବ ବୋଲି ଗତ ୨୬ ତାରିଖରେ ପରିବହନ ବିଭାଗ ପକ୍ଷରୁ କୁହାଯାଇଥିଲା । ଯେଉଁମାନେ ଅନଲାଇନ୍ ବୁକିଂ କରିବା ସହ ସ୍ଲିପ ପାଖରେ ରଖିଥିବେ ସେମାନେ ଚେକିଂରୁ ରକ୍ଷା ପାଇପାରିବେ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ।

ତେବେ ଏହା ମଧ୍ୟରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବା ସମୟସୀମାକୁ ମାସେ ବୃଦ୍ଧି କରାଯାଇଛି । ଆଜି ସରୁଥିବା ଡେଡଲାଇନକୁ ଅକ୍ଟୋବର ମାସ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସଟିଏ) ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଏହି ଅବଧି ବୃଦ୍ଧି ହେବା ନେଇ ଆଜି ରାଜ୍ୟ ସରକାର ପ୍ରସ୍ତାବ ଦେଇଥିଲେ । ସ୍ଲଟ ବୁକିଂ ପାଇଁ ପୋଷ୍ଟ ଅଫିସ ଓ ଜନସେବା କେନ୍ଦ୍ରକୁ ସାମିଲ କରିବାକୁ ପ୍ରସ୍ତାବରେ କୁହାଯାଇଥିଲା । ପୂର୍ବରୁ ନମ୍ବର ପ୍ଲେଟର ଡେଡଲାଇନ ପ୍ରସଙ୍ଗକୁ ନେଇ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିବା ସହ ରାଜ୍ୟ ସରକାରଙ୍କୁ ଜବାବ ମାଗିଥିଲେ ।

ଏବେ ନୂଆ ନିୟମ ଅନୁଯାୟୀ, ଯେଉଁ ଗାଡ଼ିର ରେଜିଷ୍ଟ୍ରେସନ ମାର୍କ ଓ ରେଜିଷ୍ଟ୍ରେସନ ନମ୍ବର ୧, ୨, ୩ ଓ ୪ରେ ଶେଷ ହେଉଥିବ, ତାହାର ଶେଷ ତାରିଖ ହେଉଛି ଅକ୍ଟୋବର ୩୧ ତାରିଖ । ଶେଷ ଅଙ୍କ ୫, ୬ ଥିବା ଗାଡ଼ିର ଶେଷ ତାରିଖ ହେଉଛି ନଭେମ୍ବର ୩୦ ତାରିଖ । ଶେଷ ଅଙ୍କ ୭, ୮ ଥିବା ଗାଡ଼ିର ଶେଷ ତାରିଖ ହେଉଛି ଡିସେମ୍ବର ୩୧ ତାରିଖ । ଶେଷ ଅଙ୍କ ୯, ୦ ଥିବା ଗାଡ଼ିର ଶେଷ ତାରିଖ ହେଉଛି ୨୦୨୩ ମସିହା ଜାନୁଆରୀ ୩୧ ତାରିଖ । ଏହି ତାରିଖ ମଧ୍ୟରେ ଗାଡ଼ି ମାଲିକମାନେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବା ବାଧ୍ୟତାମୂଳକ ଅଟେ ।

Get real time updates directly on you device, subscribe now.