ଦୀର୍ଘ ଦିନର ପ୍ରେମ ସମ୍ପର୍କ ନେବ ବିବାହର ରୂପ; ବଧୂ ସାଜିବେ ହ୍ୟୁମା
ହ୍ୟୁମା ଓ ରଚିତ ଦୀର୍ଘ ଦିନ ଧରି ପରସ୍ପରକୁ ଭଲ ପାଉଥିଲେ
ମୁମ୍ବାଇ: ଦୀର୍ଘ ଦିନର ପ୍ରେମ ସମ୍ପର୍କ ନେବ ବିବାହର ରୂପ। ହାତକୁ ଦି ହାତ ହେବେ ହ୍ୟୁମା କ୍ୟୁରେଶୀ। ସେ ତାଙ୍କ ପ୍ରେମିକ ରଚିତ ସିଂହଙ୍କୁ ବିବାହ ହେବାକୁ ଯାଉଛନ୍ତି। ହେଲେ ବିବାହ ନେଇ ତାରିଖ ଘୋଷଣା ହୋଇନାହିଁ। ଏନେଇ ହିନ୍ଦୁସ୍ଥାନ ଟାଇମ୍ସରେ ଖବର ପ୍ରକାଶ ପାଇଛି।
ରିପୋର୍ଟରେ କୁହାଯାଇଛି, ହ୍ୟୁମା ଓ ରଚିତ ଦୀର୍ଘ ଦିନ ଧରି ପରସ୍ପରକୁ ଭଲ ପାଉଥିଲେ। ଉଭୟ ଏବେ ବିବାହ କରିବାକୁ ଯାଉଛନ୍ତି। ବିବାହ ଅକ୍ଟୋବର ଶେଷ ବା ନଭେମ୍ବର ପ୍ରଥମ ସପ୍ତାହ ହେବ। ସେଥିପାଇଁ ଉଭୟ ପରିବାର ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। ବିବାହରେ ଦୁଇ ପରିବାର ଲୋକ, ନିକଟ ସମ୍ପର୍କୀୟ ଓ ବଲିଉଡ୍ର କିଛି ପରିଚିତ ଲୋକଙ୍କୁ ନିମନ୍ତ୍ରଣ କରାଯିବ। ଏଥିପାଇଁ ଗୋଟିଏ ବଡ଼ ଭୋଜି ଆୟୋଜନ କରାଯିବାର ରହିଛି ବୋଲି ରିପୋର୍ଟରେ କୁହାଯାଇଛି।
ରଚିତ ସିଂହ କିଏ?
ତେବେ ମନରେ ପ୍ରଶ୍ନ ଉଠୁଛି ରଚିତ ସିଂହ? ସେ ହେଉଛନ୍ତି ଜଣେ ପରିଚିତ ମଡେଲ୍ ଓ କାଷ୍ଟିଂ ନିର୍ଦ୍ଦେଶକ। ତାଙ୍କ ଘର ଉତ୍ତରପ୍ରଦେଶର ବାରଣାସୀରେ। ୨୦୧୨ ମସିହାରେ ସେ ଦିଲ୍ଲୀ ଆସିଥିଲେ। ସେଠାରେ କିଛି ବର୍ଷ ମଡେଲିଂ କରିଥିଲେ। ତାପରେ ଅର୍ଥାତ ୨୦୧୬ ମସିହାରେ ସେ ମୟାନଗରୀ ମୁମ୍ବାଇ ଆସିଥିଲେ।
ସେଠାରେ ମଡେଲିଂ କରିବା ସହିତ ଅଭିନୟ କରିବା ଆରମ୍ଭ କରିଥିଲେ। ହେଲେ ଅଭିନୟ ପ୍ରତି ତାଙ୍କର ରୁଚି ନଥିବାରୁ କାଷ୍ଟିଂ ନିର୍ଦ୍ଦେଶକ ଓ ଏଡିଟିଂ କାମରେ ନିଜକୁ ନିୟୋଜିତ କରିଥିଲେ। ଏବେ ସେ ବହୁ ଫିଲ୍ମରେ କାଷ୍ଟିଂ ନିର୍ଦ୍ଦେଶନା ଦେଇଛନ୍ତି। ସେହି ସମୟରେ ତାଙ୍କର ହ୍ୟୁମାଙ୍କ ସହିତ ଦେଖା ହୋଇଥିଲା। ପରେ ଉଭୟ ପରସ୍ପରକୁ ପ୍ରେମ କରିଥିଲେ। ଯାହା ଏବେ ବିବାହ ରୂପ ନେବାକୁୂ ଯାଉଛି।
