fbpx

ତିମି ଗିଳିବା ପରେ ବି ବଞ୍ଚିଛନ୍ତି ଏହି ଆମେରିକୀୟ ଚିଙ୍ଗୁଡ଼ି ଧରାଳି, ଜାଣନ୍ତୁ କିପରି ପାଇଛନ୍ତି ମୁକ୍ତି

ନୂଆଦିଲ୍ଲୀ: ତିମି ପାଟିରୁ ବର୍ତ୍ତି ଫେରିଛନ୍ତି ଜଣେ ଆମେରିକୀୟ ଯୁବକ । ଆଉ ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ବର୍ତ୍ତମାନ ଏହା ଚର୍ଚ୍ଚାରେ ରହିଛି । ଯୁକ୍ତରାଷ୍ଟ୍ର ଆମେରିକାର ଜଣେ ସାମୁଦ୍ରିକ ଚିଙ୍ଗୁଡ଼ି ଧରାଳିଙ୍କୁ ଗୋଟିଏ ତିମି ଗିଳି ପୁଣି ପାଟିରୁ ବାହାର କରି ଦେଇଛି । ଏନେଇ ସେ ଏକ ଫେସବୁକ ପୋଷ୍ଟ ମାଧ୍ୟମରେ କହିଛନ୍ତି । ୫୬ ବର୍ଷିୟ ମତ୍ସ୍ୟଜୀବୀ ମାଇକେଲ୍‌ ପ୍ୟାକାର୍ଡ ଫେସ୍‌ବୁକ୍‌ରେ ଲେଖିଛନ୍ତି, ସେ ପାଣି ଉପରକୁ ଉଠି ମତେ ପାଟିରୁ ବାହାର କରିବା ପୂର୍ବରୁ ତା’ର ବନ୍ଦ ପାଟି ଭିତରେ ମୁଁ ପ୍ରାୟ ୩୦ ରୁ ୪୦ ସେକେଣ୍ଡ୍‌ ରହିଥିଲି । ସେ ଆହୁରି ମଧ୍ୟ ଲେଖିଛନ୍ତି ଗୋଟାଏ କୁଜପିଠିଆ ପ୍ରକାଣ୍ଡ ତିମି ମୋତେ ଖାଇବାକୁ ବସିଥିଲା । ମୁଁ କ୍ଷତବିକ୍ଷତ ହୋଇଯାଇଥିଲେ ବି ମୋର କୌଣସି ହାଡ଼ ଭାଙ୍ଗିନାହିଁ । ତେବେ ଏହି ସମୟର ଦୃଶ୍ୟ ତାଙ୍କର ସାଥୀ ମତ୍ସ୍ୟଜୀବୀ ଜୋସିଆ ମାୟୋ ବି ସମୁଦ୍ରର ସେ ଅଞ୍ଚଳରେ ଜଳ-ବିସ୍ଫୋରଣ ହେବା ପରି ଦୃଶ୍ୟ ଦେଖିଥିବା କଥା କହିଛନ୍ତି ।

ମାଇକେଲ୍‌ ଡାକ୍ତରଖାନାରୁ ରିଲିଜ୍‌ ହେବା ପରେ ଆଞ୍ଚଳିକ ଖବରକାଗଜ ‘କେପ୍‌ କୋଡ୍‌ ଟାଇମ୍‌ସ୍‌’କୁ ପ୍ୟାକାର୍ଡ ତାଙ୍କର ଏହି ଅବିଶ୍ୱସନୀୟ ମାଛ ଗିଳିବା କାହାଣୀ କହିଛନ୍ତି । ସେ କହିଛନ୍ତି, ମାସାଚ୍ୟୁସେଟ୍‌ସ୍‌ ପ୍ରଦେଶର ଉତ୍ତରପୂର୍ବ ଉପକୂଳରେ ଚିଙ୍ଗୁଡ଼ି ଧରିବା ପାଇଁ ସେ ବୁଡ଼ ମାରୁଥିବା ବେଳେ ଏଭଳି ଘଟଣା ଘଟିଲା । ହଠାତ୍‌ ଗୋଟାଏ ଶକ୍ତ ଧକ୍କା ଖାଇବା ପରି ମୋର ମନେହେଲା । ତା’ପରେ ମତେ ଚାରିଆଡ଼ ଅନ୍ଧାର ଦିଶିଲା । କିଛି କ୍ଷଣ ପରେ ମୁଁ ବାହାରର ଆଲୁଅ ଦେଖିଲି । ଆଉ ଦେଖିଲି ସେ ଏକଡ଼ ସେକଡ଼ ମୁଣ୍ଡ ବୁଲାଉଛି। ସେତେବେଳେ ଜାଣିଲି ମୁଁ ତା’ ପାଟିରୁ ବାହାରି ପାଣିରେ ପଡ଼ିଛି ।

ସମୁଦ୍ର ପାଣିରେ ପ୍ରାୟ ୩୦ ଫୁଟ୍‌ ଗଭୀରକୁ ବୁଡ଼ିଥିଲା ବେଳେ ପ୍ରଥମେ ତାଙ୍କର ମନେ ହେଲା ବୋଧହୁଏ ଧଳା ହାଙ୍ଗର (ସାର୍କ) ତାଙ୍କୁ ଆକ୍ରମଣ କରିଛି । କିନ୍ତୁ, ତା’ର ଦାନ୍ତ ନ ଥିବା ଏବଂ ନିଜ ଦେହରେ ନ କ୍ଷତ ହେବାରୁ ତାହା ହାଙ୍ଗର ନୁହେଁ ବୋଲି ତାଙ୍କର ମନେହେଲା । ସେ କହିବାନୁସାରେ, ମୁଁ ଗୋଟାପଣ ତା’ ପାଟିରେ ଥିଲି । ଚାରିଆଡ଼େ ଘନ ଅନ୍ଧାର । ଭାବିଲି, ଏଠୁ ନିସ୍ତାର ପାଇବାର ଉପାୟ ନାହିଁ । ସେତେବେଳେ ଖାଲି ମୋ ୧୨ ଓ ୧୫ ବର୍ଷିୟ ପୁଅ ଦୁଇଟାଙ୍କ କଥା ମନକୁ ଆସୁଥିଲା ।

ଆହାର ସନ୍ଧାନୀ ତିମି ପାଟି ମେଲା କରି ପାଣିରେ ଖୁବ୍‌ ଦ୍ରୁତ ବେଗରେ ମାଡ଼ି ଆସୁଥାଏ । ଏହି ସମୟରେ ମାଛ, ପାଣି ଏବଂ ଅନ୍ୟ ଯାହା ତା’ ପାଟିରେ ପଶେ ସେ ତୁରନ୍ତ ଗିଳି ପକାଏ । ମାଛ ଗିଳି ପକାଇ ପରେ ପାଟିରୁ ପାଣି ବାହାର କରିଦିଏ । ତିମିର ପାଟି ବଡ଼, କିନ୍ତୁ ତଣ୍ଟି ସରୁ ହୋଇଥିବାରୁ ମଣିଷକୁ ଗିଳି ପାରେ ନାହିଁ ବୋଲି ସେ କହିଛନ୍ତି ମାସାଚ୍ୟୁସେଟ୍‌ସ୍‌ସ୍ଥିତ ପ୍ରୋଭିନ୍ସ୍‌ଟାଉନ୍‌ରେ ଥିବା ‘ସେଣ୍ଟର୍‌ ଫର୍‌ କୋଷ୍ଟାଲ୍‌ ଷ୍ଟଡିଜ୍‌’ର ‘ହମ୍ପ୍‌ବ୍ୟାକ୍‌ ହ୍ବେଲ୍‌ ଷ୍ଟଡିଜ୍‌’ର ନିର୍ଦେଶକ ଜୁକି ରବିନ୍‌ସ୍‌ ।

 

Get real time updates directly on you device, subscribe now.