fbpx

ମଧ୍ୟାହ୍ନ ଭୋଜନ ନା ବିଷ: ହଷ୍ଟେଲ ଖାଦ୍ୟ ଖାଇବା ପରେ ହଠାତ୍ ଅସୁସ୍ଥ ହୋଇ ପଡ଼ିଲେ ୧୦୦ ଛାତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମଧ୍ୟାହ୍ନ ଭୋଜନ ଖାଇବା ପରେ ଅସୁସ୍ଥ ହୋଇ ପଡ଼ିଛନ୍ତି ୧୦୦ରୁ ଅଧିକ ଛାତ୍ରୀ । ସୁନ୍ଦରଗଡ଼ ଜିଲ୍ଲା ବଣାଇରୁ ଏଭଳି ଏକ ଖବର ଆସିଛି । ହଷ୍ଟେଲ ଖାଦ୍ୟ ଖାଇବା ପରେ ଉକ୍ତ ଛାତ୍ରୀମାନଙ୍କର ଦେହ ଖରାପ ହେବାରୁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଖବର ମୁତାବକ, ଅସୁସ୍ଥ ହୋଇଥିବା ସମସ୍ତ ଛାତ୍ରୀମାନେ ହେଉଛନ୍ତି କୋଇଡ଼ା ବ୍ଳକ ଫଟାଟାଙ୍ଗର ଆଶ୍ରମ ସ୍କୁଲର ହଷ୍ଟେଲର ଅନ୍ତେବାସୀ । ଅସୁସ୍ଥ ଛାତ୍ରୀମାନଙ୍କୁ ବଣାଇ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ୨ ଜଣ ଗୁରୁତରଙ୍କୁ ରାଉରକେଲା ଜେନେରାଲ ହସ୍ପିଟାଲ (ଆରଜିଏଚ)କୁ ସ୍ଥାନାନ୍ତର କରାଯାଇଛି ।

ତେବେ ହଷ୍ଟେଲର ମୋଟ ୨୦୦ରୁ ଅଧିକ ଛାତ୍ରୀ ମଧ୍ୟାହ୍ନ ଖାଇଥିବା ଜଣାପଡ଼ିଛି । ମଧ୍ୟାହ୍ନ ଭୋଜନରେ ଛାତ୍ରୀମାନଙ୍କୁ ଭାତ ଓ ଡାଲି ଖାଇବାକୁ ଦିଆଯାଇଥିଲା । ଖାଇବାର ଅଳ୍ପ ସମୟରେ ସେମାନେ ଅସୁସ୍ଥ ହୋଇ ପଡ଼ିବା ସହ ଝାଡ଼ା, ବାନ୍ତି ହୋଇଥିଲା । ତେବେ ପ୍ରଥମେ ଛାତ୍ରୀମାନଙ୍କୁ ହଷ୍ଟେଲରେ ଚିକିତ୍ସା କରାଯାଇଥିଲା । ପରେ ସେମାନଙ୍କର ଅବସ୍ଥା ବିଗିଡ଼ିବାରୁ ସ୍କୁଲ ପକ୍ଷରୁ ସେମାନଙ୍କୁ ମେଡିକାଲକୁ ନିଆଯାଇଥିଲା ।

Get real time updates directly on you device, subscribe now.