ବାରଣ୍ଡାରେ ପଡ଼ିଛି ମହିଳାଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ; ଘରେ ତାଙ୍କ ସ୍ୱାମୀ…

ବାଙ୍ଗିରିପୋଷି ଥାନା ଅଧୀନ ଜାମଦାପାଳ ଗାଁର ବୈଦ୍ୟନାଥ ସିଂହ କାମଦାମ କରି ଚଳନ୍ତି। ଶନିବାର ସନ୍ଧ୍ୟାରେ ଘରକୁ ଫେରିଥିଲେ ବୈଦ୍ୟନାଥ

ମୟୂରଭଞ୍ଜ: ଧାରୁଆ ଅସ୍ତ୍ରରେ ପତ୍ନୀଙ୍କୁ ହାଣି ରକ୍ତାକ୍ତ କଲା ସ୍ୱାମୀ! ପରେ ପଶ୍ଚାତାପ କଲେ। ଆତ୍ମହତ୍ୟା ଉଦ୍ୟମ କରିଥିଲେ। ନିଜକୁ ନିଜେ ହାଣି ରକ୍ତାକ୍ତ ହୋଇଥିବା ଅଭିଯୋଗ ହୋଇଛି। ଏପରି ଲୋମଟାଙ୍କୁରା ଘଟଣା ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅଞ୍ଚଳରେ ଘଟିଛି। ପୋଲିସ ରକ୍ତ ଜୁଡ଼ୁବୁଡ଼ୁ ହୋଇଥିବା ସ୍ୱାମୀଙ୍କୁ ଉଦ୍ଧାର ମେଡିକାଲରେ ଭର୍ତ୍ତି କରିଛି।

ବାଙ୍ଗିରିପୋଷି ଥାନା ଅଧୀନ ଜାମଦାପାଳ ଗାଁର ବୈଦ୍ୟନାଥ ସିଂହ କାମଦାମ କରି ଚଳନ୍ତି। ଶନିବାର ସନ୍ଧ୍ୟାରେ ଘରକୁ ଫେରିଥିଲେ ବୈଦ୍ୟନାଥ। ହେଲେ ରାତିରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିବା ଅଭିଯୋଗ ହେଉଛି। ଯେଉଁଥିପାଇଁ ବୈଦ୍ୟନାଥ ତାଙ୍କ ପତ୍ନୀ ଟୁନି ସିଂହଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଯାହାଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ପତ୍ନୀଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଦେଖି ନିଜର ଅକଲ ଗୁଡ଼ୁମ ହୋଇଯାଇଥିଲା। ସେଥିପାଇଁ ପଶ୍ଚାତାପ କରିଥିଲେ। ଆଉ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ନିଜକୁ ନିଜେ ହାଣି ପକାଇଥିଲେ। ଯାହାଫଳରେ ଗୁରୁତର ଆହତ ହୋଇଥିଲେ। ଆଜି ସକାଳେ ଟୁନି ସିଂହ ଘର ବାରଣ୍ଡାରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ଦେଖି ପଡ଼ୋଶୀ ପୋଲିସକୁ ଖବର ଦେଇଥିଲେ।

ପୋଲସ ଖବର ପାଇ ଗାଁରେ ପହଞ୍ଚିଥିଲା। ଘର ଭିତରୁ ସ୍ୱାମୀ ବୈଦ୍ୟନାଥ ସିଂହଙ୍କୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର କରି ବାଙ୍ଗିରିପୋଷି ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରିଥିଲେ। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗ ଜନକ ରହିଛି। ଅନ୍ୟପକ୍ଷରେ ତାଙ୍କ ପତ୍ନୀଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ତେବେ ଆକ୍ରମଣ ପ୍ରକୃତ କାରଣ ଜଣାପଡ଼ି ନାହିଁ। ପୋଲିସ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି।