TCS ଯୌନ ଉତ୍ପୀଡ଼ନ ଓ ଧର୍ମାନ୍ତରଣ ମାମଲା: ଅଭିଯୁକ୍ତ ନିଦା ଖାନ୍ଙ୍କୁ ସ୍ୱାମୀଙ୍କ ଛାଡ଼ପତ୍ର ନୋଟିସ୍
ନିଦା ଖାନ୍ଙ୍କ ସ୍ୱାମୀ ବିବାହ ସମ୍ପର୍କ ଶେଷ କରିବାକୁ ଚାହିଁ ଛାଡ଼ପତ୍ର ଆବେଦନ କରିଥିଲେ। ଏହାପରେ ଗତ ଅଗଷ୍ଟ ୨୨ ତାରିଖରେ ପାରିବାରିକ ଅଦାଲତ ପକ୍ଷରୁ ନିଦାଙ୍କ ନାମରେ ସମନ ଜାରି ହୋଇଥିଲା। ଅଦାଲତଙ୍କ ନିର୍ଦ୍ଦେଶ ଅନୁସାରେ, ଅକ୍ଟୋବର ୧୬ ତାରିଖରେ ନିଦା କିମ୍ବା ତାଙ୍କ ଓକିଲ କୋର୍ଟରେ ଉପସ୍ଥିତ ରହି ନିଜ ପକ୍ଷ ରଖିବେ।
ନାସିକ: ମହାରାଷ୍ଟ୍ରର ନାସିକସ୍ଥିତ ଟାଟା କନସଲଟାନ୍ସି ସର୍ଭିସେସ୍ (ଟିସିଏସ୍)ରେ ଯୌନ ଉତ୍ପୀଡ଼ନ ଓ ଧର୍ମାନ୍ତରଣ ଅଭିଯୋଗକୁ ନେଇ ଚର୍ଚ୍ଚାରେ ଥିବା ନିଦା ଖାନ୍ଙ୍କ ସଂସାରରେ ଉଠିଛି ଝଡ଼। ମାମଲାରେ ଅଭିଯୁକ୍ତ ନିଦାଙ୍କୁ ତାଙ୍କ ସ୍ୱାମୀ ଛାଡ଼ପତ୍ର ଦେବାକୁ ଆବେଦନ କରିଛନ୍ତି। ଏବେ କୋର୍ଟ ନିଦାଙ୍କୁ ସମନ ଜାରି କରିଛନ୍ତି।
ନିଦା ଖାନ୍ଙ୍କ ସ୍ୱାମୀ ବିବାହ ସମ୍ପର୍କ ଶେଷ କରିବାକୁ ଚାହିଁ ଛାଡ଼ପତ୍ର ଆବେଦନ କରିଥିଲେ। ଏହାପରେ ଗତ ଅଗଷ୍ଟ ୨୨ ତାରିଖରେ ପାରିବାରିକ ଅଦାଲତ ପକ୍ଷରୁ ନିଦାଙ୍କ ନାମରେ ସମନ ଜାରି ହୋଇଥିଲା। ଅଦାଲତଙ୍କ ନିର୍ଦ୍ଦେଶ ଅନୁସାରେ, ଅକ୍ଟୋବର ୧୬ ତାରିଖରେ ନିଦା କିମ୍ବା ତାଙ୍କ ଓକିଲ କୋର୍ଟରେ ଉପସ୍ଥିତ ରହି ନିଜ ପକ୍ଷ ରଖିବେ।
ଅନ୍ୟପଟେ, ନାସିକର ଟିସିଏସ୍ ୟୁନିଟ୍ରେ ଯୌନ ଉତ୍ପୀଡ଼ନ ଓ ଧର୍ମାନ୍ତରଣ ଅଭିଯୋଗର ତଦନ୍ତ କରୁଥିବା ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍ଆଇଟି) ଏଯାଏଁ ଦୁଇଟି ଚାର୍ଜସିଟ୍ ଦାଖଲ କରିସାରିଛି। ଏହି ମାମଲାରେ ଗିରଫ ହୋଇଥିବା ନିଦା ଖାନ୍ଙ୍କୁ ପରବର୍ତ୍ତୀ ସମୟରେ ଜାମିନ ମିଳିଥିଲା।
ଅଭିଯୋଗ ଅନୁସାରେ, ଜଣେ ପୀଡ଼ିତାଙ୍କୁ ଜାଣିଶୁଣି ଯୌନ ଉତ୍ପୀଡ଼ନ କରିବା ସହ ଧର୍ମାନ୍ତରଣ ପାଇଁ ଉଦ୍ୟମ କରାଯାଇଥିଲା। ଏପରିକି ପୀଡ଼ିତା ଅନୁସୂଚିତ ଜାତିର ବୋଲି ଜାଣିଥିଲେ ମଧ୍ୟ ତାଙ୍କୁ ଧର୍ମାନ୍ତରଣ କରାଇବାକୁ ଉଦ୍ୟମ ହୋଇଥିବା ଅଭିଯୋଗ ପକ୍ଷ ଦାବି କରିଛି।
ଦେବଲାଲି କ୍ୟାମ୍ପ ଥାନାରେ ରୁଜୁ ହୋଇଥିବା ଏଫ୍ଆଇଆର୍ ଆଧାରରେ ଏହି ମାମଲାର ତଦନ୍ତ ଚାଲିଛି। ଏଥିରେ ପ୍ରତାରଣା ଆଦି ମାଧ୍ୟମରେ ଯୌନ ସମ୍ପର୍କ ସ୍ଥାପନ ଓ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇବା ଭଳି ଅଭିଯୋଗ ରହିଛି।
ଟିସିଏସ୍ ମାମଲାରେ ଆଇନଗତ ତଦନ୍ତ ଜାରି ରହିଥିବା ବେଳେ ଏବେ ଛାଡ଼ପତ୍ର ମାମଲା ମଧ୍ୟ ନିଦା ଖାନ୍ଙ୍କ ପାଇଁ ଆଉ ଏକ ଆଇନଗତ ଚ୍ୟାଲେଞ୍ଜ ହୋଇଛି। ତେବେ ଛାଡ଼ପତ୍ର ଆବେଦନ ଉପରେ ଅଦାଲତଙ୍କ ପରବର୍ତ୍ତୀ ଶୁଣାଣି ଓ ନିଦାଙ୍କ ପକ୍ଷରୁ ଦିଆଯିବାକୁ ଥିବା ଜବାବ ଉପରେ ଏବେ ନଜର ରହିଛି। ମାମଲାରେ ଉଠିଥିବା ଅଭିଯୋଗଗୁଡ଼ିକ ଅଦାଲତରେ ପ୍ରମାଣିତ ହେବା ବାକି ରହିଛି।

