“ମୁଁ ଜଣେ ମୂଲିଆ..” କଥାରେ କଥାରେ ଚୟନକର୍ତ୍ତାଙ୍କୁ ତାତ୍ସଲ୍ୟ କଲେ ଶାମୀ
"ଜୀବନ ଥିବା ଯାଏଁ ବେଙ୍ଗଲ ପାଇଁ ଖେଳିବି": ଆଇପିଏଲ୍ ମଇଦାନରେ ଶାମୀଙ୍କ ଭାବୁକ ବୟାନ
କୋଲକତା : ସନରାଇଜର ହାଇଦ୍ରାବାଦ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଲକ୍ଷ୍ନୌ ସୁପରଜାଏଂଟସ ପକ୍ଷରୁ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଷ୍ଟାର ଖେଳାଳୀ ମହମ୍ମଦ ଶାମୀ ନିଜ ହୋମ ଗ୍ରାଉଣ୍ଡ ଇଡେନ ଗାର୍ଡେନକୁ ପ୍ରତ୍ୟୋବର୍ତ୍ତନ କରିଛନ୍ତି । ଗୁରୁବାର ଦିନ କୋଲକତା ବିପକ୍ଷରେ ଖେଳାଯିବାକୁ ଥିବା ମ୍ୟାଚ ପୂୂର୍ବରୁ ଶାମୀ ବିପକ୍ଷ ଦଳକୁ କିଛି ଖାସ ଅନ୍ଦାଜରେ ଚେତାବନୀ ଦେଇଛନ୍ତି । ଗୋଟେ ପଟେ କୋଲକତା କ୍ରମାଗତ ଭାବେ ୩ ଟି ମ୍ୟାଚ ହାରି ବିଜୟର ଆଶାକୁ ଚାହିଁ ରହିଥିବାବେଳେ ଅନ୍ୟପଟେ ଶାମୀ ନିଜ ଘରୋଇ ଗ୍ରାଉଣ୍ଡର ଫାଇଦା ଉଠାଇବା ପାଇଁ ପ୍ରସ୍ତୁତ ଅଛନ୍ତି ।
ମଙ୍ଗଳବାର ବେଙ୍ଗଲ ଫ୍ରି ଟି-୨୦ ଲିଗର ତୃତୀୟ ସଂସ୍କରଣର ଶୁଭାରମ୍ଭ ସମୟରେ ମହମ୍ମଦ ଶାମୀ କେକେଆରର ଅଧିନାୟକ ଅଜିଙ୍କେ ରାହାଣେ ଏବଂ ରିଙ୍କୁ ସିଂହଙ୍କ ଉପସ୍ଥିତିରେ କହିଥିଲେ ଯେ, “ଇଡେନ ଗାର୍ଡେନରେ ଖେଳିବା ଦ୍ୱାରା ସବୁବେଳେ ଏକ ଘରୋଇ ଫାଇଦା ମିଳିଥାଏ । ଆପଣେ ଯେହେତୁ ଦୀର୍ଘ ସମୟ ଧରି ଏଠାରେ କ୍ରିକେଟ ଖେଳୁଛନ୍ତି ସେଥିପାଇଁ ଏହାର ପରିସ୍ଥିତ ଏବଂ ପିଚର ବ୍ୟବହାରକୁ ବୁଝିପାରୁଛନ୍ତି । ଯଦି ମୁଁ ଏଠାରେ କେକେଆର ବିପକ୍ଷରେ ଖେଳିବି ସେ ନିଶ୍ଚୟ ମୋତେ ଫାଇଦା ମିଳିବ ।”
ନିଜର ସରଳତା ଏବଂ ମାଟି ସହ ଜଡ଼ି ରହିବା ପାଇଁ ଜଣାଶୁଣା ମହମ୍ମଦ ସାମି ନିଜ ବୋଲିଂକୁ ନେଇ ଏକ ମଜାଦାର କଥା କହିଛନ୍ତି। ସେ କହିଛନ୍ତି, “ଆମେ ହେଉଛୁ ମୂଲିଆ ମଣିଷ, ଆମ କାମ କେବଳ ବଲ୍ ପକାଇବା। ଜୀବନରେ ଅନେକ ଉତ୍ଥାନ-ପତନ ଏବଂ ଆଘାତ (ଚୋଟ) ଆସିବ, କିନ୍ତୁ କେବେବି ନିଜର କଠିନ ପରିଶ୍ରମକୁ ଭୁଲିବା ଉଚିତ୍ ନୁହେଁ। ଯଦି ଆପଣ ଅଧିକ ଚାକଚକ୍ୟ ଜିନିଷ ପଛରେ ଗୋଡ଼ାଇବେ, ତେବେ ତାହା ଆପଣଙ୍କର ଦୁର୍ବଳତା ପାଲଟିଯିବ। ଆଜିକାଲି ସମସ୍ତେ ସୋସିଆଲ ମିଡିଆ ପଛରେ ପଡ଼ିଛନ୍ତି।”
ସାମି ଆହୁରି ମଧ୍ୟ କହିଛନ୍ତି ଯେ, ସେ ଏକ ଚାଷୀ ପରିବାରରେ ଜନ୍ମଗ୍ରହଣ କରିଛନ୍ତି ଏବଂ ସେ ନିଜର ଚେର ବା ପରମ୍ପରାକୁ ଛାଡ଼ିନାହାନ୍ତି। ବେଙ୍ଗଲକୁ ନିଜର କର୍ମଭୂମି ବୋଲି କହି ସେ କହିଛନ୍ତି ଯେ, ଯେପର୍ଯ୍ୟନ୍ତ ତାଙ୍କ ଶରୀରରେ ଜୀବନ ଅଛି, ସେ ବେଙ୍ଗଲ ପାଇଁ ଖେଳୁଥିବେ। ଘରୋଇ କ୍ରିକେଟର ଗୁରୁତ୍ୱ ଉପରେ ଜୋର୍ ଦେଇ ସେ କହିଛନ୍ତି ଯେ, ଖେଳ ପ୍ରତି ତାଙ୍କର ଭୋକ ଏବେ ମଧ୍ୟ ବଜାୟ ରହିଛି।
ଆଘାତରୁ ଫେରିବା ପରେ ସାମିଙ୍କ ପ୍ରଦର୍ଶନ ଚମତ୍କାର ରହିଛି। ନିକଟରେ ଶେଷ ହୋଇଥିବା ରଣଜୀ ଟ୍ରଫିରେ ସେ ୧୬.୭୨ ହାରରେ ୩୭ଟି ୱିକେଟ୍ ଅକ୍ତିଆର କରିଛନ୍ତି ଏବଂ ସେ ଶ୍ରେଷ୍ଠ ୬ ଜଣ ୱିକେଟ୍ ଗ୍ରହଣକାରୀଙ୍କ ମଧ୍ୟରେ ସାମିଲ ଅଛନ୍ତି। ଆଇପିଏଲ୍ର ଗତ ମ୍ୟାଚ୍ରେ ମଧ୍ୟ ସେ ଋଷଭ ପନ୍ତଙ୍କ ନେତୃତ୍ୱାଧୀନ ଦଳ ପାଇଁ ମାତ୍ର ୯ ରନ୍ ଦେଇ ୨ଟି ୱିକେଟ୍ ନେଇଥିଲେ, ଯେଉଁଥିରେ ୧୮ଟି ଡଟ୍ ବଲ୍ ସାମିଲ ଥିଲା। ଯଦିଓ ସେ ବର୍ତ୍ତମାନ ଜାତୀୟ ଦଳରୁ ବାହାରେ ଅଛନ୍ତି, କିନ୍ତୁ ତାଙ୍କର ଏହି ଫର୍ମ ଇଡେନ ଗାର୍ଡେନ୍ସରେ କେକେଆର୍ ବ୍ୟାଟରମାନଙ୍କ ପାଇଁ ବଡ଼ ମୁସିବତ ସୃଷ୍ଟି କରିପାରେ।
