‘ମୁଁ ମେସିଙ୍କୁ କ୍ଷମା ମାଗୁଛି’ ଷ୍ଟାଡିୟମରେ ଚେୟାର ଫିଙ୍ଗିଲେ ଫ୍ୟାନ୍ସ, ଉତ୍ତେଜନାକୁ ନେଇ ମୁହଁ ଖୋଲିଲେ ମମତା,କହିଲେ…
ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତାର ସଲ୍ଟ ଲେକ୍ ଷ୍ଟାଡିୟମରେ ଫୁଟବଲ୍ ତାରକା ଲିଓନେଲ ମେସିଙ୍କ ଗସ୍ତ ସମୟରେ ହୋଇଥିବା ବଡ଼ ଅବ୍ୟବସ୍ଥାକୁ ନେଇ ଗଭୀର ଦୁଃଖ ଓ କ୍ଷୋଭ ପ୍ରକାଶ କରିଛନ୍ତି।
ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତାର ସଲ୍ଟ ଲେକ୍ ଷ୍ଟାଡିୟମରେ ଫୁଟବଲ୍ ତାରକା ଲିଓନେଲ ମେସିଙ୍କ ଗସ୍ତ ସମୟରେ ହୋଇଥିବା ବଡ଼ ଅବ୍ୟବସ୍ଥାକୁ ନେଇ ଗଭୀର ଦୁଃଖ ଓ କ୍ଷୋଭ ପ୍ରକାଶ କରିଛନ୍ତି। ଏହି ଦୁର୍ଭାଗ୍ୟଜନକ ଘଟଣା ପାଇଁ ସେ ମେସି ଏବଂ ହଜାର ହଜାର କ୍ରୀଡ଼ାପ୍ରେମୀଙ୍କ ନିକଟରେ ଆନ୍ତରିକ କ୍ଷମା ପ୍ରାର୍ଥନା କରିଛନ୍ତି।
ମମତା କ’ଣ ଲେଖିଛନ୍ତି: ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (X)ରେ ମମତା ଲେଖିଛନ୍ତି, “ଆଜି ସଲ୍ଟ ଲେକ୍ ଷ୍ଟାଡିୟମରେ ଦେଖାଦେଇଥିବା ଅବ୍ୟବସ୍ଥା ଯୋଗୁଁ ମୁଁ ମର୍ମାହତ। ହଜାର ହଜାର କ୍ରୀଡ଼ାପ୍ରେମୀଙ୍କ ସହ ମୁଁ ମଧ୍ୟ ନିଜର ପ୍ରିୟ ଫୁଟବଲରଙ୍କୁ ଦେଖିବା ପାଇଁ ଷ୍ଟାଡିୟମ ଯାଉଥିଲି, କିନ୍ତୁ ଏଭଳି ଘଟଣା ଅତ୍ୟନ୍ତ ଦୁଃଖଦାୟକ।”

ଷ୍ଟାଡିୟମରେ ଭିଡ଼ ଓ ବିଶୃଙ୍ଖଳା: ରିପୋର୍ଟ ଅନୁଯାୟୀ, ମେସିଙ୍କୁ ଦେଖିବା ପାଇଁ ଷ୍ଟାଡିୟମରେ ପ୍ରବଳ ଭିଡ଼ ଜମିଥିଲା। ଅତ୍ୟଧିକ ଜନସମାଗମ ଏବଂ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଯୋଗୁଁ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ଭିଡ଼ ଭିତରେ ଟେଣ୍ଟ ଏବଂ ହୋର୍ଡିଂଗୁଡ଼ିକ ଭାଙ୍ଗି ଯାଇଥିଲା, ଯାହା ଫଳରେ ମେସିଙ୍କୁ ତାଙ୍କ କାର୍ଯ୍ୟକ୍ରମ ଅଧାରୁ ବନ୍ଦ କରି ଫେରିବାକୁ ପଡ଼ିଥିଲା। ମୁଖ୍ୟମନ୍ତ୍ରୀ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ଉତ୍ସାହିତ ପ୍ରଶଂସକଙ୍କ ନିରାଶାକୁ ହୃଦୟଙ୍ଗମ କରିଛନ୍ତି।
ଘଟଣାର ତଦନ୍ତ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ: ଏହି ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ତୁରନ୍ତ ଏକ ତଦନ୍ତ କମିଟି ଗଠନ କରିଛନ୍ତି। ଅବସରପ୍ରାପ୍ତ ବିଚାରପତି ଅସୀମ କୁମାର ରାୟଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି। ଏଥିରେ ରାଜ୍ୟର ମୁଖ୍ୟ ଶାସନ ସଚିବ ଏବଂ ହୋମ ଆଣ୍ଡ ହିଲ୍ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଦସ୍ୟ ରହିବେ। ଏହି କମିଟି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ ଏବଂ ଦାୟୀ ବ୍ୟକ୍ତିବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିବ। ଭବିଷ୍ୟତରେ ଯେପରି ଏଭଳି ଘଟଣାର ପୁନରାବୃତ୍ତି ନହୁଏ, ସେଥିପାଇଁ ମଧ୍ୟ କମିଟି ପରାମର୍ଶ ଦେବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।
