fbpx

ବଦଳିଯିବ IAS କ୍ୟାଡର ନିୟମ, ଏଣିକି ବାବୁମାନଙ୍କ ଡେପୁଟେସନକୁ କଣ୍ଟ୍ରୋଲ କରିବ କେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟମାନଙ୍କରେ କାର୍ଯ୍ୟ କରୁଥିବା ଆଇଏଏସ ଅଧିକାରୀଙ୍କୁ ଏଣିକି କେନ୍ଦ୍ର ସରକାର ଯେ କୌଣସି ସମୟରେ ଡେପୁଟେସନରେ ନେଇ ପାରିବେ । ଏଥିନେଇ ରାଜ୍ୟ ସରକାରଙ୍କ ଠାରୁ ଅନୁମୋଦନ ନେବାର ଆଉ ଆବଶ୍ୟକ ପଡ଼ିବ ନାହିଁ । ଏହି କ୍ଷମତା ହାସଲ ଲାଗି କେନ୍ଦ୍ର ସରକାରଙ୍କ କାର୍ମିକ ମନ୍ତ୍ରଣାଳୟ ଆଇଏଏସ (କ୍ୟାଡର) ନିୟମ, ୧୯୫୪ରେ ସଂଶୋଧନ କରିବାକୁ ଯାଉଛି । ନୂଆ ନିୟମ ଅନୁଯାୟୀ, କେନ୍ଦ୍ର କୌଣସି ଅଧିକାରୀଙ୍କୁ ନିଯୁକ୍ତି ଦେଲେ, ରାଜ୍ୟ ତାଙ୍କୁ ଦାୟିତ୍ୱରୁ ମୁକ୍ତ କରିବ । ରାଜ୍ୟ କ୍ୟାଡରରେ କାର୍ଯ୍ୟ କରୁଥିବା ଅଧିକାରୀଙ୍କ ମଧ୍ୟରୁ ୪୦ ପ୍ରତିଶତ ଡେପୁଟେସନରେ ରହିବେ ।

ତେବେ ପୂର୍ବରୁ ଆଇଏଏସ ଅଧିକାରୀମାନେ ରାଜ୍ୟ ସରକାରଙ୍କ ଅଧୀନରେ ରହି କେନ୍ଦ୍ର ସରକାରଙ୍କୁ ଏକପ୍ରକାର ଅଣଦେଖା କରିଆସୁଥିଲେ । ଏବେ ଏଥିରେ ପୂର୍ଣ୍ଣଚ୍ଛେଦ ପଡ଼ିବା ସହ ସର୍ବଭାରତୀୟ ପ୍ରଶାସନିକ ସେବା ଅଧିକାରୀମାନେ କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣକୁ ଆସିଯିବେ । ରାଜ୍ୟ ସରକାର ଚାହିଁଲେ ବି ସେମାନଙ୍କୁ ସୁରକ୍ଷା ଦେଇ ପାରିବେ ନାହିଁ । ତେବେ ଏହି ନିୟମକୁ କେରଳ, ପଶ୍ଚିମବଙ୍ଗ, ତାମିଲନାଡ଼ୁ, ବିହାର, ମହାରାଷ୍ଟ୍ର ପରି କିଛି ରାଜ୍ୟ ବିରୋଧ କରିଛନ୍ତି । ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ରାଜ୍ୟକୁ ଚିଠି ପଠାଯାଇଥିବା ବେଳେ ଆସନ୍ତା ୨୫ ତାରିଖ ମଧ୍ୟରେ ଜବାବ ଦାଖଲ ପାଇଁ କୁହାଯାଇଛି । ତେବେ କେନ୍ଦ୍ର ସରକାର ଯଦି ଏହି ଆଇନକୁ କାର୍ଯ୍ୟକାରୀ କରନ୍ତି, ତେବେ ବିଭିନ୍ନ ରାଜ୍ୟରେ ଶାସନ କରୁଥିବା ଆଞ୍ଚଳିକ ଦଳମାନେ ଏଥିରେ ପ୍ରଭାବିତ ହେବାର ଆଶଙ୍କା ରହିଛି । ତେବେ ରାଜ୍ୟରେ ବାବୁମାନଙ୍କର ଯେଉଁ ପତିଆରା ରହିଛି, କେନ୍ଦ୍ରକୁ ଗଲେ ତାହା ମିଳିବ ନାହିଁ ବୋଲି ରାଜ୍ୟର କିଛି ଅଧିକାରୀ କହିଛନ୍ତି ।

Get real time updates directly on you device, subscribe now.