ନୂଆଦିଲ୍ଲୀ: ଆର୍ନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ (ଆଇସିସି/ ଇଣ୍ଟରନ୍ୟାଶନାଲ କ୍ରିକେଟ କାଉନସିଲ୍) ଚାମ୍ପିଅନ୍ସ ଟ୍ରଫି ୨୦୨୫କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ୨୦୨୫ ଚମ୍ପିଅନ୍ସ ଟ୍ରଫି ହାଇବ୍ରିଡ୍ ମଡେଲ୍ରେ ହେବା ନେଇ ଆଇସିସି ପକ୍ଷରୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଏହି ଟୁର୍ନାମେଣ୍ଟ ଏବେ ପାକିସ୍ତାନ ଓ ଦୁବାଇରେ କରାଯିବ । ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଏବଂ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ମଧ୍ୟରେ ଏ ସମ୍ପର୍କରେ ଅଲୋଚନା ହୋଇସାରିଛି । ଭାରତୀୟ କ୍ରିକେଟ ଟିମ୍ ଚାମ୍ପିୟନ୍ସ୍ ଟ୍ରଫି ୨୦୨୫ରେ ସବୁ ମ୍ୟାଚ୍ ଦୁବାଇରେ ଖେଳବ । କିନ୍ତୁ ଟୁର୍ନାମେଣ୍ଟର ଅନ୍ୟ ମ୍ୟାଚଗୁଡ଼ିକ ପାକିସ୍ତାନରେ କରାଯିବ ।
ପାକିସ୍ତାନ ଚମ୍ପିଅନ୍ସ ଟ୍ରଫିର ମୋଟ ୧୦ଟି ମ୍ୟାଚ୍ ଖେଳିବ । ଲିଗ୍ ଷ୍ଟେଜ୍ରେ ଭାରତୀୟ ଟିମ୍ ୩ଟି ମ୍ୟାଚ୍ ଦୁବାଇରେ ଖେଳିବ । ମ୍ୟାଚ୍ ବ୍ୟତୀତ ଭାରତୀୟ ଟିମ୍ ଟୁର୍ନାମେଣ୍ଟର ସେମିଫାଇନାଲ ଓ ଫାଇନାଲ ମ୍ୟାଚ୍ ଦୁବାଇରେ ହିଁ ଖେଳିବ । ଯଦି ଭାରତ ନକଆଉଟ୍ ଷ୍ଟେଜରେ ନ ପହଞ୍ଚେ ତେବେ ସେମିଫାଇନାଲ ଓ ଫାଇନାଲ ଲାହୋର ଏବଂ ରାୱଲପିଣ୍ଡିରେ ଅନୁଷ୍ଠିତ ହେବ ।
ରିପୋର୍ଟ ମୁତାବକ ମ୍ୟାଚ୍ ନେଇ ପାକିସ୍ତାନକୁ କୌଣସି ମୂଲ୍ୟ ପ୍ରଦାନ କରାଯିବ ନାହିଁ । ଯଦି ଭାରତ ମ୍ୟାଚ୍ ଖେଳିବା ପାଇଁ ପାକିସ୍ତାନ ଆସିବାକୁ ମନା କରେ ତେବେ ପାକିସ୍ତାନକୁ ମ୍ୟାଚ୍ ପାଇଁ ଅର୍ଥରାଶି ପ୍ରଦାନ କରାଯାଉ ବୋଲି ପିସିବି ଆଇସିସି ନିକଟରେ ପ୍ରସ୍ଥାବ ରଖିଥିଲା । କିନ୍ତୁ ଏହାକୁ ଆଇସିସି ପକ୍ଷରୁ ଖାରଜ କରିଦିଆଯାଇଥିଲା । ଏହାଛଡ଼ା ୨୦୨୬ରେ ହେବାକୁ ଥିବା ଟି-୨୦ ୱାର୍ଲ୍ଡ କପ୍ ମ୍ୟାଚରେ ପାକିସ୍ତାନ ଟିମ୍ ଭାରତ ଆସିବ ନାହିଁ । ଟି-୨୦ ବିଶ୍ୱ କପ୍ ଭାରତ ଓ ଶ୍ରୀଲଙ୍କା ପକ୍ଷରୁ ହୋଷ୍ଟ କରାଯିବ । ପାକିସ୍ତାନ କଲମ୍ବୋରେ ମ୍ୟାଚ୍ ଖେଳିିବାକୁ ରାଜି ହୋଇଛି ।