fbpx

ଆପଣ Dalmia, UltraTech ଓ ACC ଆଦି କମ୍ପାନୀର ସିମେଣ୍ଟରେ ଘର କରିଛନ୍ତି କି? ହୋଇଯାଆନ୍ତୁ ସାବଧାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତକାଲି କଟକ ଜିଲ୍ଲାର ଜଗତପୁର ପୀରବଜାରସ୍ଥିତ ଏକ ସିମେଣ୍ଟ କାରଖାନାକୁ ପୋଲିସ ସିଲ୍ କରିଥିଲା । ଅପମିଶ୍ରଣ ଓ ନକଲି ସିମେଣ୍ଟ ପ୍ରସ୍ତୁତ କରାଯାଉଥିବା ଭଳି ଗୁରୁତର ଅଭିଯୋଗ ଉକ୍ତ ଫ୍ୟାକ୍ଟ୍ରି ବିରୋଧରେ ଆସିବା ପରେ ଚାରିଆଡ଼େ ଚାଞ୍ଚଲ୍ୟ ଖେଳିଯାଇଥିଲା । ପୂର୍ବରୁ କଟକରୁ ଏକାଧିକ ଘିଅ, ତେଲ, ହଳଦୀଗୁଣ୍ଡ, ରଙ୍ଗ ଆଦି ବେଆଇନ କାରଖାନାକୁ ଠାବ କରାଯାଇଥିଲା । ତେବେ ପୋଲିସ ଏହି ଘଟଣାରେ କାରଖାନାର ମାଲିକଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଏହି ଘଟଣା ପରେ କଟକ ସହର ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଥିବା ଚାରିଆଡ଼େ ଚର୍ଚ୍ଚା ହୋଇଗଲାଣି ।

ତେବେ ସବୁଠାରୁ ଗୁରୁତର କଥା ହେଉଛି, କେତେଦିନ ହେଲା ସେଠାରେ ନକଲି ସିମେଣ୍ଟ ପ୍ରସ୍ତୁତ ହେଉଥିଲା ଆଉ କେଉଁ କେଉଁ ଅଞ୍ଚଳକୁ ଏହା ବିକ୍ରି ପାଇଁ ସପ୍ଲାଏ କରାଯାଇଛି । ଯେଉଁ ଲୋକମାନେ ଏହି ନକଲି ସିମେଣ୍ଟ ନିଜ ଘରେ ବ୍ୟବହାର କରିଥିବେ, ସେମାନଙ୍କର ଘରର ଅବସ୍ଥା କ’ଣ ହେବ । ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିଜର ସ୍ୱପ୍ନର ଘର ନିର୍ମାଣ କରିଥିବା ଲୋକମାନଙ୍କ ସହ ଯେ ଆଗକୁ ଏପରି କିଛି ଦୁର୍ଘଟଣା ନ ଘଟିବ, କିଏ କହିବ । ତେଣୁ ପ୍ରଶାସନର କାର୍ଯ୍ୟାନୁଷ୍ଠାନ ଅପେକ୍ଷା ବ୍ୟକ୍ତିଗତ ଭାବେ ଏହାକୁ ଗୁରୁତ୍ୱ ଦେବା ଜରୁରୀ । ତେଣୁ ଯେଉଁ ଲୋକମାନେ ନିକଟରେ ଘର ନିର୍ମାଣ କରିଛନ୍ତି, ସେମାନେ ତୁରନ୍ତ ଏନେଇ ତତ୍ପରତା ପ୍ରକାଶ କରିବା ଦରକାର ।

ଜଣାପଡ଼ିଛି ଯେ, ଏହି ସବୁ ନକଲି ସିମେଣ୍ଟ ପ୍ୟାକେଟ୍ ବ୍ରହ୍ମପୁରରୁ ଆସୁଥିଲା । ସେଥିରେ ସେମାନେ ନଷ୍ଟ ହୋଇଯାଇଥିବା ଟେଳା ସିମେଣ୍ଟକୁ ଗୁଣ୍ଡ କରି ରିପ୍ୟାକିଂ କରୁଥିଲେ । ଏପରି ହଜାର ହଜାର ବସ୍ତା ସିମେଣ୍ଟ, ନକଲି ସିମେଣ୍ଟ ତିଆରି ସାମଗ୍ରୀ ଓ ନକଲି ସିମେଣ୍ଟ ବସ୍ତାକୁ ଜବତ କରାଯାଇଛି । ତେଣୁ ପୂର୍ବରୁ କେତେ ମାତ୍ରାରେ ସିମେଣ୍ଟ କେଉଁ ସ୍ଥାନକୁ ଡେଲିଭରି କରାଯାଇଛି, ତାହାର ଏକ ଲିଷ୍ଟ ପ୍ରସ୍ତୁତ କରିବା ଦରକାର । ଉକ୍ତ କାରଖାନାରୁ ଶହ ଶହ ଡାଲମିଆ, ଅଲଟ୍ରାଟେକ ଓ ଏସିସି ଆଦି ବ୍ରାଣ୍ଡର ଖାଲି ବସ୍ତା ଜବତ ହୋଇଛି । ତେଣୁ ଯେଉଁମାନେ ଏହି ସବୁ କମ୍ପାନୀର ସିମେଣ୍ଟ ପୂର୍ବରୁ କିଣିଥିବେ, ତାହା ଅସଲି କି ନକଲି ତାହା ଜାଣିବା ବର୍ତ୍ତମାନ ମୁସ୍କିଲ୍ । ତେବେ ଏହି ନକଲି ସିମେଣ୍ଟ ବ୍ୟବହାର କରିବା ଦ୍ୱାରା ଘର ନଷ୍ଟହେବା ସହ ଛାତ ଭାଙ୍ଗିବା ପାଣି ଝରିବା ଆଦି ସମସ୍ୟା ଦେଖାଦେଇଥାଏ ।

Get real time updates directly on you device, subscribe now.