fbpx

ଆମ୍ବ କୂଟନୀତିରେ ଇମ୍ରାନ ବିଫଳ; ବନ୍ଧୁ ବୋଲାଉଥିବା ଦେଶ ଉପହାରକୁ ଫେରାଇଦେଲେ

ନୂଆଦିଲ୍ଲୀ: ପାକିସ୍ତାନରେ କ୍ଷମତାରେ ଥିବା ଇମ୍ରାନ ଖାନ ଏବେ ଖୋଦ୍ ଦେଶ ପାଇଁ ଅସୁବିଧାର କାରଣ ସାଜିଛନ୍ତି । ଏବେ ସେ ପାକିସ୍ତାନକୁ ଜଟିଳ ଅସୁବିଧାରେ ପକାଇବା ସହିତ ନୂଆ ସମସ୍ୟା ସୃଷ୍ଟି କରିଚାଲିଛନ୍ତି । ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ବର୍ତ୍ତମାନ ଆମ୍ବ କୂଟନୀତିର ପନ୍ଥା ଆପଣାଇଛି । ହେଲେ ଯେଉଁ ଡାଳକୁ ଧରିଲେ ସେହି ଡାଳ ଭାଙ୍ଗିଲା ପରି ସବୁ ପ୍ଲାନ୍ ଫେଲ୍ ମାରୁଛି ।

ବାସ୍ତବରେ ପାକିସ୍ତାନ ଏହି ଆମ୍ବକୁ ବିଶ୍ୱର ବିଭିନ୍ନ ଦେଶକୁ ଉପହାର ରୂପେ ପଠାଉଛି । କିନ୍ତୁ ମାଗଣାରେ ଏହି ଆମ୍ବକୁ ନେବା ପାଇଁ କେହି ନାହାନ୍ତି । ପାକିସ୍ତାନର ଅନୁଗତ ଚୀନ ଓ ଆମେରିକା ନିଜେ ପାକିସ୍ତାନର ଏହି ଆମ୍ବ କୂଟନୀତି ନାପସନ୍ଦ କରି ନାନା ସମାଲୋଚନା କରିବାରେ ଲାଗିଛନ୍ତି । ସେମାନେ ଏହାକୁ ସ୍ୱୀକାର କରିବାକୁ ମନା କରି ଦେଇଛନ୍ତି ।

ପାକିସ୍ତାନର ୩୨ରୁ ଅଧିକ ଦେଶକୁ ଉପହାର ଭାବେ ଆମ୍ବ ପଠାଇଥିଲା । ହେଲେ ଆମେରିକା ଓ ଚୀନ ଏହି ଉପହାରକୁ ଫେରାଇ ଦେଇଛନ୍ତି । ଆମେରିକା ଏବଂ ଚୀନ କରୋନା ମହାମାରୀ ଭୁତାଣକୁ ଦୃଷ୍ଟିରେ ରଖି ଏପରି କରିଥିବା ନେଇ କହିଛନ୍ତି । ପାକିସ୍ତାନ ରାଷ୍ଟ୍ରପତି ଡ. ଆରିଫ୍ ଅଲୱିଙ୍କ ପକ୍ଷରୁ ଏହି ଆମ୍ବ ଉପହାର ପଠାଯାଇଥିଲା । ଆମେରିକା, ଚାଇନା ସହିତ ଆମ୍ବପେଟି ସବୁକୁ ଇରାନ୍, ତୁର୍କୀ, ଆଫଗାନିସ୍ତାନ, ବାଂଲାଦେଶ ଆଦିକୁ ପଠାଯାଇଥିଲା । କିନ୍ତୁ ଏଥିମଧ୍ୟରୁ ଆମେରିକା ଓ ଚାଇନା ଏହାକୁ ଅସ୍ୱୀକାର କରିବା ସହିତ ନେପାଳ, କାନାଡା, ମିଶର ଓ ଶ୍ରୀଲଙ୍କା ମଧ୍ୟ ପାକିସ୍ତାନର ଏହି ଉପହାରକୁ ଗ୍ରହଣ କରିବାକୁ ସଫା ସଫା ମନା କରିଦେଇଛନ୍ତି ।

ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟର ଏହି ତାଲିକାରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ନାଁ ମଧ୍ୟ ରହିଛି କିନ୍ତୁ ପ୍ୟାରିସ୍ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହିଁ । କରୋନାକୁ ଦୃଷ୍ଟିରେ ରଖି ଏଭଳି କରାଯାଇଥିବା ସମ୍ପୃକ୍ତ ଦେଶର ବର୍ହିବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଉଛି । ଏହା ଦ୍ୱାରା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଶକ୍ତ ଝଟକା ଲାଗିଛି ।

ସେହିପରି ପାକିସ୍ତାନ ଭାରତକୁ ମଧ୍ୟ ଆମ୍ବ ପଠାଏ । ୨୦୧୫ରେ ପାକିସ୍ତାନ ତତ୍କାଳୀନ ପ୍ରଧାନମନ୍ତ୍ରୀ ନୱାଜ୍ ସରିଫ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ , ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଓ କଂଗ୍ରେସ ଦଳର ମୁଖ୍ୟ ସୋନିଆ ଗାନ୍ଧୀଙ୍କ ନିକଟକୁ ଆମ୍ବ ପଠାଇଥିଲେ । ଏହା ଭାରତ ଏବଂ ପାକିସ୍ତାନର ଜାତୀୟ ଫଳ ଅଟେ । କିନ୍ତୁ ଭାରତ ଆମ୍ବ ଉତ୍ପାଦନ କରିବାରେ ବିଶ୍ୱର ସର୍ବବୃହତ ଦେଶ । ଭାରତରେ ୧୨୦୦ରୁ ଅଧିକ କିସମର ଉତ୍ପାଦନ ହୋଇଥାଏ । ଯେତେବେଳେ କି ପାକିସ୍ତାନ ସେହି ସଂଖ୍ୟାର ଏକ ତୃତୀୟାଂଶ ଉତ୍ପାଦନ କରେ ।

 

Get real time updates directly on you device, subscribe now.