ବମ୍ବେ ହାଇକୋର୍ଟରେ ପହଞ୍ଚିଲେ ଇମ୍ରାନ ଖାନ୍, ‘ଭାରତ ଛାଡ଼’ ନୋଟିସ୍ ବିରୋଧରେ ଦାଖଲ କଲେ ଯାଚିକା

CJP ପ୍ରତିବାଦରେ ସାମିଲ ହେବା ପରେ ଅଭିନେତା ଇମ୍ରାନ ଖାନ୍‌ଙ୍କୁ FRRO ପକ୍ଷରୁ ଭାରତ ଛାଡ଼ିବାକୁ ନୋଟିସ୍ ଦିଆଯାଇଥିବା ଖବର। ନୋଟିସ୍‌କୁ ଚ୍ୟାଲେଞ୍ଜ କରି ବମ୍ବେ ହାଇକୋର୍ଟରେ ଯାଚିକା ଦାଖଲ କରିଥିବା ସୂଚନା।

ମୁମ୍ୱାଇ: CJP ପ୍ରତିବାଦରେ ସାମିଲ ହେବା ପରେ ବଲିଉଡ୍ ଅଭିନେତା ଇମ୍ରାନ ଖାନ୍‌ଙ୍କ ଅଡ଼ୁଆ ବଢ଼ିଥିବା ଖବର ସାମ୍ନାକୁ ଆସିଥିଲା। ପ୍ରତିବାଦ ସମୟରେ ମୁମ୍ବାଇ ପୋଲିସ ତାଙ୍କୁ ଅଟକ ରଖିଥିଲା। ପରେ ଛାଡ଼ି ଦିଆଯାଇଥିଲେ ମଧ୍ୟ ଘଟଣା ଏତିକିରେ ଥମିନାହିଁ।

ଫରେନର୍ସ ରିଜିଓନାଲ୍ ରେଜିଷ୍ଟ୍ରେସନ୍ ଅଫିସ୍‌ (FRRO) ପକ୍ଷରୁ ତାଙ୍କୁ ଭାରତ ଛାଡ଼ିବାକୁ ନୋଟିସ୍ ଜାରି ହୋଇଥିବା ଦାବି କରାଯାଇଛି। ଏହି ନୋଟିସ୍‌କୁ ଚ୍ୟାଲେଞ୍ଜ କରି ଏବେ ବମ୍ବେ ହାଇକୋର୍ଟରେ ଯାଚିକା ଦାଖଲ କରିଛନ୍ତି ଅଭିନେତା।

ସୂତ୍ର ଅନୁସାରେ, ଇମ୍ରାନ ଖାନ୍ ଏହି ମାମଲାରେ ଆଇନଗତ ପରାମର୍ଶ ପାଇଁ ‘MZM ଲିଗାଲ୍ LLP’କୁ ନିଯୁକ୍ତ କରିଛନ୍ତି। ତେବେ ହାଇକୋର୍ଟରେ ଦାଖଲ ଯାଚିକା ଉପରେ ଶୁଣାଣି ଓ ଏହାର ପରବର୍ତ୍ତୀ ନିଷ୍ପତ୍ତି ଉପରେ ଏବେ ନଜର ରହିଛି।

CJP ପ୍ରୋଟେଷ୍ଟରେ ସାମିଲ ହୋଇଥିଲେ: ଗତ ଶନିବାର ମୁମ୍ବାଇର ଅଗଷ୍ଟ କ୍ରାନ୍ତି ମୈଦାନରେ ଆୟୋଜିତ CJP ପ୍ରତିବାଦରେ ଇମ୍ରାନ ଖାନ୍ ସାମିଲ ହୋଇଥିଲେ। ଏହି ପ୍ରତିବାଦରେ ଯୋଗଦେବା ପରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ଖବର ମିଳିଛି। ବିଦେଶୀ ନାଗରିକ ଏବଂ ଇମିଗ୍ରେସନ୍ ଆଇନର ନିୟମ ଉଲ୍ଲଂଘନ ଅଭିଯୋଗରେ ତାଙ୍କୁ ଭାରତ ଛାଡ଼ିବାକୁ ନୋଟିସ୍ ଦିଆଯାଇଥିବା କୁହାଯାଉଛି।

ରିପୋର୍ଟ ଅନୁସାରେ, ଇମ୍ରାନଙ୍କୁ ଅକ୍ଟୋବର ୨୮ ସୁଦ୍ଧା ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ଇମ୍ରାନ ଖାନ୍ ଜଣେ ଆମେରିକୀୟ ନାଗରିକ ଏବଂ ତାଙ୍କ ପାଖରେ OCI (ଓଭରସିଜ୍ ସିଟିଜେନ୍ ଅଫ୍ ଇଣ୍ଡିଆ) କାର୍ଡ ରହିଛି। ଏହି କାରଣରୁ ମାମଲାଟି ଆହୁରି ଜଟିଳ ହୋଇଛି।

କାରଣ ଦର୍ଶାଅ ନୋଟିସ୍: FRRO ପକ୍ଷରୁ ଇମ୍ରାନ ଖାନ୍‌ଙ୍କୁ କାରଣ ଦର୍ଶାଅ ନୋଟିସ୍ ମଧ୍ୟ ପଠାଯାଇଥିବା ସୂଚନା ମିଳିଛି। ଏଥିରେ ତାଙ୍କ OCI କାର୍ଡ କାହିଁକି ବାତିଲ୍ କରାଯିବ ନାହିଁ, ସେନେଇ ଜବାବ ମଗାଯାଇଛି ବୋଲି ସୂତ୍ରରୁ ଜଣାପଡ଼ିଛି।

ରିପୋର୍ଟ ଅନୁସାରେ, ଏହି ନୋଟିସ୍‌ର ଜବାବ ଦେବାକୁ ଇମ୍ରାନଙ୍କୁ ୧୫ ଦିନ ସମୟ ଦିଆଯାଇଛି। ତାଙ୍କ ଉତ୍ତର ମିଳିବା ପରେ OCI କାର୍ଡ ବାତିଲ୍ କରାଯିବ କି ନାହିଁ, ସେନେଇ FRRO ନିଷ୍ପତ୍ତି ନେବ ବୋଲି କୁହାଯାଉଛି।

ପ୍ରତିବାଦକୁ ନେଇ କ’ଣ କହିଥିଲେ ଇମ୍ରାନ୍: ପ୍ରତିବାଦରେ ଯୋଗଦେବାକୁ ନେଇ ଇମ୍ରାନ ଖାନ୍ ପୂର୍ବରୁ ନିଜ ପକ୍ଷ ରଖିଥିଲେ। ସମ୍ବାଦ ସଂସ୍ଥା ANI ସହ କଥା ହେବାବେଳେ ସେ କହିଥିଲେ ଯେ, ସେ କୌଣସି ରାଜନୈତିକ ଦଳର ପ୍ରତିନିଧି ଭାବେ ସେଠାକୁ ଯାଇନଥିଲେ। ଜଣେ ନାଗରିକ ଭାବେ ଲୋକମାନେ କାହିଁକି ପ୍ରତିବାଦ କରୁଛନ୍ତି, ତାହା ଦେଖିବାକୁ ଯାଇଥିଲେ ବୋଲି ସେ କହିଥିଲେ।

ସେ ଆହୁରି କହିଥିଲେ ଯେ, ତାଙ୍କର କାହା ପାଖରେ କୌଣସି ଦାବି ନାହିଁ। ଏବେ ଦେଶ ଛାଡ଼ିବା ନୋଟିସ୍‌କୁ ଚ୍ୟାଲେଞ୍ଜ କରି ସେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିବାରୁ ମାମଲାର ପରବର୍ତ୍ତୀ ଗତିବିଧି ଉପରେ ସମସ୍ତଙ୍କ ନଜର ରହିଛି।