ଆଦିଆଲା ଜେଲ ବାହାରେ ଇମ୍ରାନ ଖାନଙ୍କ ଭଉଣୀମାନଙ୍କୁ ନିର୍ଯାତନା, ଥଣ୍ଡା ରାତିରେ ରାସାୟନିକ ପାଣିରେ ଗାଧୋଇଦେଲେ
ଇମ୍ରାନ ଖାନଙ୍କ ଭଉଣୀମାନଙ୍କୁ ନିର୍ଯାତନା ଦେଉଛି ପୋଲିସ।
ଓଡିଶାଭାସ୍କର: ପାକିସ୍ତାନର ରାୱଲପିଣ୍ଡିର ଆଡିଆଲା ଜେଲ ବାହାରେ ବିଳମ୍ବିତ ରାତିରେ ଏକ ବଡ଼ ଅଶାନ୍ତି ସୃଷ୍ଟି ହୋଇଥିବା ଘଟଣା ସାମ୍ନାକୁ ଆସିଛି।
ପଞ୍ଜାବ ପୋଲିସ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଭଉଣୀ ଏବଂ ତାଙ୍କ ସହ ଧାରଣାରେ ବସିଥିବା ତାଙ୍କ ଦଳ, ପାକିସ୍ତାନ ତେହେରିକ୍-ଏ-ଇନସାଫ (ପିଟିଆଇ)ର ସମର୍ଥକମାନଙ୍କ ଉପରେ ରାସାୟନିକ ପଦାର୍ଥ ପ୍ରଯୋଗ କରିବା ସହ ପାଣିମାଡ଼ କରିଥିଲା।
ଏହି ଘଟଣା ଉତ୍ତେଜନା ସୃଷ୍ଟି କରିବାର ଅର୍ଥ ଏବେ ଥଣ୍ଡା ପାଗ ଥିବାରୁ ରାତି ଅଧରେ ଏପରି ପାଣି ମାଡ଼ ସମସ୍ତଙ୍କୁ ଓଦାରେ ଥରାଇ ଦେଇଥିଲା।
ଇମ୍ରାନ ଖାନଙ୍କ ଭଉଣୀଙ୍କ ପ୍ରତିବାଦ:
ଆଦିଆଲା ଜେଲ ବାହାରେ ପ୍ରତିବାଦ ଶାନ୍ତିପୂର୍ଣ୍ଣ ଥିଲା। ଇମ୍ରାନ ଖାନଙ୍କ ଭଉଣୀମାନେ – ଆଲିମା ଖାନ, ଉଜମା ଖାନ ଏବଂ ନୋରିନ ଖାନ ନିଆଜି – ପିଟିଆଇ ନେତା ଏବଂ କର୍ମୀମାନଙ୍କ ସହିତ ଜେଲ ବାହାରେ ଏକତ୍ରିତ ହୋଇ ଇମ୍ରାନ ଖାନଙ୍କ ସହ ସାକ୍ଷାତ ଦାବି କରିଥିଲେ। ଇମ୍ରାନଙ୍କୁ ଆଦିଆଲା ଜେଲରେ ରଖାଯାଇଛି ଏବଂ ତାଙ୍କ ବିରୁଦ୍ଧରେ ଅନେକ ଗମ୍ଭୀର ଅଭିଯୋଗ ରହିଛି।
ବିକ୍ଷୋଭକାରୀମାନେ ଜେଲ ଆଡକୁ ମାଡ଼ି ଯିବାକୁ ଚେଷ୍ଟା କରିଥିଲେ, କିନ୍ତୁ ପୋଲିସ ସେମାନଙ୍କୁ ଅଟକାଇଥିଲା। ବିଳମ୍ବିତ ରାତିରେ ପୋଲିସ ପାଣି ତୋପ ବ୍ୟବହାର କରି ସେମାନଙ୍କୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲା।
ପିଟିଆଇ ପ୍ରଶ୍ନ କରିଛି ଯେ କେଉଁ ଆଇନ ଅନୁଯାୟୀ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଦଳ କହିଛି ଯେ ଶାନ୍ତିପୂର୍ଣ୍ଣ ପ୍ରତିବାଦକାରୀଙ୍କ ଉପରେ ଏପରି ଅତ୍ୟାଚାରକୁ ବରଦାସ୍ତ କରାଯିବ ନାହିଁ।
ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଉଲ୍ଲଂଘନ କରୁଛି ପୋଲିସ:
ମାର୍ଚ୍ଚ ୨୦୨୫ରେ, ଇସଲାମାବାଦ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ ଇମ୍ରାନ ଖାନଙ୍କୁ ସପ୍ତାହରେ ଦୁଇଥର, ମଙ୍ଗଳବାର ଏବଂ ଗୁରୁବାର ଦିନ ତାଙ୍କ ପରିବାର ସହିତ ସାକ୍ଷାତ କରିବାକୁ ଅନୁମତି ଦିଆଯିବ।
ହେଲେ, ପିଟିଆଇ ଦାବି କରିଛି ଯେ ଏହି ନିର୍ଦ୍ଦେଶକୁ ଠିକ୍ ଭାବରେ ପାଳନ କରାଯାଉ ନାହିଁ। ପ୍ରତିବାଦକାରୀମାନେ ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ଦାବି କରୁଥିଲେ।
ପିଟିଆଇ ଏହି ପୋଲିସ କାର୍ଯ୍ୟାନୁଷ୍ଠାନର ତୀବ୍ର ନିନ୍ଦା କରିଛି। ଦଳ ଅଭିଯୋଗ କରିଛି ଯେ ପୋଲିସ ମହିଳା, ବୟସ୍କ ବ୍ୟକ୍ତି ଏବଂ ସାଧାରଣ ନାଗରିକଙ୍କୁ ରାସାୟନିକ ମିଶ୍ରିତ କିମ୍ବା ବିଷାକ୍ତ ପାଣି ସିଞ୍ଚନ କରିଛି।
କିଛି କର୍ମୀଙ୍କୁ ମଧ୍ୟ ମାଡ଼ ମରାଯାଇଥିଲା ଏବଂ ଅନେକଙ୍କୁ ଅଟକ ରଖାଯାଇଥିଲା। ପିଟିଆଇ କହିଛି ଯେ ସରକାର ଏବଂ ସେନା ଦମନର ଏକ ନୂତନ ଉଦାହରଣ ସ୍ଥାପନ କରୁଛନ୍ତି।
ପାକିସ୍ତାନ ପୋଲିସ ନ୍ୟାୟପାଳିକାର ସ୍ୱାଧୀନତା ଛଡ଼ାଇ ନେଇଛି:
ଇମ୍ରାନ ଖାନଙ୍କ ଭଉଣୀ ଅଲିମା ଖାନ କହିଛନ୍ତି ଯେ ନ୍ୟାୟପାଳିକାର ସ୍ୱାଧୀନତା ଛଡ଼ାଇ ନିଆଯାଇଛି। ଦେଶରେ ବେକାରୀ ବୃଦ୍ଧି ପାଉଛି, ଏବଂ ସୁରକ୍ଷା ପରିସ୍ଥିତି ଖରାପ ହେଉଛି।
ସେ ତାଙ୍କ ଭଉଣୀ ଉଜମାଙ୍କୁ ଡିସେମ୍ବର ୨ ତାରିଖରେ ଇମ୍ରାନଙ୍କ ସହ ଏକ ସଂକ୍ଷିପ୍ତ ସାକ୍ଷାତ କରିଥିବା କଥା ମନେ ପକାଇଲେ। ଉଜମା କହିଛନ୍ତି ଯେ ଇମ୍ରାନ ବହୁତ ବିରକ୍ତ ଏବଂ କ୍ରୋଧିତ ଥିଲେ। ତାଙ୍କୁ ଏବଂ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ଏକ ଛୋଟ କୋଠରୀରେ ମାନସିକ ଭାବରେ ହଇରାଣ କରାଯାଉଥିଲା।
ଏହି ଘଟଣା ପାକିସ୍ତାନ ରାଜନୀତିରେ ଉତ୍ତେଜନାକୁ ଆହୁରି ବୃଦ୍ଧି କରୁଛି। ପିଟିଆଇ କହିଛି ଯେ ସରକାର ଇମ୍ରାନ ଖାନଙ୍କୁ ଅଲଗା କରିବାକୁ ଚାହୁଁଛି, କିନ୍ତୁ ଜନସାଧାରଣଙ୍କ ସମର୍ଥନ ତାଙ୍କ ସହିତ ଅଛି।
